ହଜାରେ ଛୁଇଁଲାଣି ହରିଣ ଶିକାର! ୨ ଦୁର୍ଦ୍ଦାନ୍ତ ଶିକାରୀ ଗିରଫ

ମାଟିତଳୁ ହରିଣ ମୁଣ୍ଡ, ଗୋଡ଼ ଜବତ, ବଡ଼ ହୋଟେଲକୁ ଚାଲାଣ କରୁଥିଲେ ମାଂସ

କଟକ: ଶହେ କି ଦୁଇ ଶହ ନୁହେଁ ପାଖା‌ପାଖି ହଜାରେରୁ ଅଧିକ ହରିଣ ଶିକାର କରିଛନ୍ତି ସେମାନେ। ୧୦ବର୍ଷ ହେଲା ଆଠଗଡ଼ ବନଖଣ୍ଡର ସବୁ ଜଙ୍ଗଲ ଏମାନଙ୍କ କବ୍‌ଜାରେ। ହରିଣ ଶିକାର ଓ ମାଂସ ବିକ୍ରି କରିବା ପାଇଁ ଏକ ଯୋଜନାବଦ୍ଧ ରାକେଟ୍‌ ଚଳାଇଛନ୍ତି ଏହି ଦୁର୍ବୃତ୍ତ। କଟକ, ଭୁବନେଶ୍ବରର ବଡ଼ବଡ଼ ହୋ‌ଟେଲକୁ ଏମାନେ ଯୋଗାଉଛନ୍ତି ମାଂସ। କେବଳ ହୋଟେ‌ଲ ନୁହେଁ, ତାଙ୍କର ନିର୍ଦ୍ଦିଷ୍ଟ ଗ୍ରାହକ ମଧ୍ୟ ଅଛନ୍ତି। ହରିଣ ମାଂସ ଚାଲାଣ ରାକେଟ୍‌ର ମୁଖ୍ୟ ଫେରାର ଥିବାବେଳେ ତାର ଦୁଇ ପ୍ରମୁଖ ସହଯୋଗୀ ଖୁଣ୍ଟୁଣୀ ବନାଞ୍ଚଳର ଓସ୍ତପୁର ଗ୍ରାମର ପ୍ରଦୀପ୍ତ କୁମାର ସାହୁ(୩୫) ଓ ପଣ୍ଡାଣିଆର ପବିତ୍ର ମଙ୍ଗୁଆଳ(୩୬)ଙ୍କୁ ଗିରଫ କରିଛି ବନବିଭାଗ। ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ସଦ୍ୟ ଶିକାର କରାଯାଇଥିବା ହରିଣର ମୁଣ୍ଡ, ଗୋଡ, ଚମଡାକୁ ସେମାନେ ମାଟିତଳେ ପୋତି ଦେଇଥିଲେ। ସେଗୁଡିକୁ ଜବତ୍‌ କରାଯିବା ସହ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତ ୮ତାରିଖ ଦିନ ଆଠଗଡ଼ ବନବିଭାଗ ଦୁର୍ଦ୍ଦାନ୍ତ ହାତୀ ଶିକାରୀ ବାବୁଲି ମହାଳିକକୁ ଗିରଫ କରିଥିଲା। ତେବେ ତା ପାଖରୁ ବନବିଭାଗ ଜନ୍ତୁ ଶିକାର ସଂପର୍କରେ ଅନେକ ତଥ୍ୟ ପାଇଥିଲା। ଏହି ତଥ୍ୟକୁ ଆଧାର କରି ତଦନ୍ତ ଚଳାଇଥିଲେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ଓ ତାଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ସ୍କ୍ବାଡ। ଗତକାଲି ହରିଣ ଶିକାର କରି ମାଂସ ବିକ୍ରି ପରେ ଶିକାରୀ ଏସବୁକୁ ମାଟି ତଳେ ପୋତି ଦେଇଥିବା ଖବର ପାଇ ଚଢ଼ଉ କରିଥିଲା ବନ ବିଭାଗ। ଜଙ୍ଗଲରୁ ଦୁଇ ଜଣଙ୍କୁ ଧରି ବନବିଭାଗ ଜେରା କରିବା ବେଳେ ଖୋଲି ଥିଲା ହରିଣ ଶିକାର ଗୁମର। ସେମାନେ ପାଖାପାଖି ହଜାରେରୁ ଅଧିକ ହରିଣ ଶିକାର କରିଛନ୍ତି। ମାଂସ ବିକ୍ରି ପରେ ମୁଣ୍ଡ ଓ ଗୋଡ଼କୁ ମାଟି ତଳେ ପୋତି ଦେଉଥିବା ସେମାନେ ସ୍ବୀକାର କରିଛନ୍ତି। ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା ଦେଇଥିବା ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ସନ୍ତୋଷକୁ ଧରିବା ପାଇଁ ଜାଲ ବିଛାଯାଇଛି। ଆଠଗଡ ବନଖଣ୍ଡରେ ବନ୍ୟଜନ୍ତୁ ଶିକାର ଓ ଜନ୍ତୁ ମାଂସ ଚାଲାଣର ଏକ ବଡ ରାକେଟ୍‌ ଚାଲିଛି। ତାକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର