ଜାତୀୟ ରାଜପଥ ପାର୍ଶ୍ୱରେ ଜଳିଗଲା ହଜାରେ ଗଛ

ଧଉଳି: ଆଜି ପୂର୍ବାହ୍ନ ୧୧ଟା ସମୟରେ ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ଅଧୀନ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱରେ ଲାଗିଥିବା ପ୍ରାୟ ୧୦୦୦ରୁ ଅଧିକ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଫରେଷ୍ଟର ମଧୁଛନ୍ଦା ସେଠୀଙ୍କ ସମେତ ଅନ୍ୟ କର୍ମଚାରୀ, ପିପିଲି ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ତଥା ପିପିଲି ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିକାଣ୍ଡରେ ମହାଲିମ୍ବ, ଜାମୁ, ପାଥୋଡ଼ିଆ, ଗତିଆନା, କରଞ୍ଜ, ଚାକୁଣ୍ଡା, ଅର୍ଜୁନ, ଜାମୁ ଆଦି ହଜାରେରୁ ଅଧିକ ଗଛ ଜଳିଯାଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ୨୦୧୬/୧୭ ଆର୍ଥିକ ବର୍ଷରେ ଉକ୍ତ ଜାତୀୟ ରାଜପଥ ପାର୍ଶ୍ୱରେ ୨୦,୦୦୦ ଚାରା ରୋପଣ ହୋଇଥିଲା। ଅନ୍ୟପକ୍ଷରେ ଏ ସଂପର୍କରେ ରେଞ୍ଜ ଅଫିସର ଜୟକୃଷ୍ଣ ଦାସଙ୍କୁ ପଚାରିବାରେ କହିଥିଲେ, ରାସ୍ତାପାର୍ଶ୍ୱ ସହିତ ନିକଟସ୍ଥ ରଣପୁର ଜଙ୍ଗଲରେ ପୁନଃ ଚାରାରୋପଣ କରାଯିବ। ଉଜୁଡ଼ା ଜଙ୍ଗଲ ଦ୍ୱୟ ରକ୍ଷଣାବେକ୍ଷଣ ଦିଗରେ ଖୋର୍ଧା ଜିଲ୍ଲା ବନ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।

ସମ୍ବନ୍ଧିତ ଖବର