ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନରେ କ୍ୟାବିନେଟ୍‌ ମୋହର, ଜଳିଲା ୧୦ ହଜାର ଦୀପ

କଥା ରଖିଲେ ମୁଖ୍ୟମନ୍ତ୍ରୀ, ଆଇନ ଲାଗୁ ହେଲେ କ’ଣ ହେବ

ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିପାଇଁ ଆଜି କ୍ୟାବିନେଟ୍‌ ଅନୁମୋଦନ ହୋଇଛି। ଏହି ଖବର ଆଜି ଏକାମ୍ର କ୍ଷେତ୍ରରେ ଖୁସିର ମାହୋଲ୍‌ ସୃଷ୍ଟି କରିଛି। ସେବାୟତମାନେ ୧୦ ହଜାର ଦୀପ ଜାଳି ଏହାକୁ ସ୍ବାଗତ କରିଛନ୍ତି। ଆଜି ସନ୍ଧ୍ୟାରେ ମନ୍ଦିରର ସବୁ ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧିମାନେ ମନ୍ଦିର ସମ୍ମୁଖରେ ଏକାଠି ହୋଇ ଦୀପ ଜାଳିଛନ୍ତି। ଏଥିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବହୁ ପୂର୍ବତନ କର୍ପୋରେଟର୍‌, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଓ ସେବାୟତମାନେ ସାମିଲ ହୋଇଥିଲେ।

କଥା ରଖିଲେ ମୁଖ୍ୟମନ୍ତ୍ରୀ
ଚଳିତ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ଗସ୍ତ କରି ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ସେତେବେଳେ ସେବାୟତମାନେ ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି କହିଥିଲେ। ଆଜି କ୍ୟାବିନେଟ୍‌ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କଲେ ବୋଲି ସେବାୟତମାନେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆଇନ ଲାଗୁ ହେଲେ କ’ଣ ହେବ
ଏହି ଆଇନ ଲାଗୁ ହେବା ପରେ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସହ ଜଡ଼ିତ ମନ୍ଦିର ପରିଚାଳନା ଦାୟିତ୍ୱ ୧୫ ଜଣିଆ କମିଟି ହାତରେ ରହିବ। ଏହି ନୂଆ ଆଇନ ପରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମି ହୋଇଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରସ୍ତାବିତ ଆଇନ ଯୋଗୁଁ ରାଜ୍ୟ ସରକାର, ପରିଚାଳନା କମିଟି ଓ ମନ୍ଦିର ପ୍ରଶାସକଙ୍କ ଯେକୌଣସି କାର୍ଯ୍ୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାର ଏହି ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବେ। ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାକୁ କମିଟି କ୍ଷମତାପ୍ରାପ୍ତ ରହିବ। ତେବେ ମନ୍ଦିରର କୌଣସି ସମ୍ପତ୍ତିକୁ ବିକ୍ରି କରିବା ଓ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲିଜ୍ ଦେବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ମନ୍ଦିର ପରିଚାଳନା ପାଇଁ ଆର୍‌ଡିସି କିମ୍ବା ବରିଷ୍ଠ ଆଇଏଏସ୍‌ ଅଫିସର ଦାୟିତ୍ବ ତୁଲାଇବେ। ଏଥିସହ ଜିଲ୍ଲାପାଳ, ଦେବୋତ୍ତର କମିସନର, ବିଭିନ୍ନ ନିଯୋଗର ପ୍ରତିନିଧି କମିଟିର ସଭ୍ୟ ରହିବେ।

ମନ୍ଦିରକୁ ଆସିବ ଆର୍ଥିକ ଅନୁଦାନ
ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା କ୍ଷେତ୍ରରେ ବଡ଼ ସମସ୍ୟା ହେଉଛି ଆୟ। କେବଳ ଦାଣ୍ଡ ମହାସୁଲ ଛାଡ଼ିଦେଲେ ଏବେ ମନ୍ଦିରର ଅନ୍ୟ ସବୁ ଆୟ ପନ୍ଥା‌ ବନ୍ଦ। ସୈରାତ ନିଲାମ, ପର୍ଯ୍ୟଟକଙ୍କଠାରୁ ମିଳୁଥିବା ଆୟ, ହୁଣ୍ଡି ଓ ଭୋଗ ବାବଦ ସବୁ ପ୍ରକାର ସିଂହଭାଗ ଆୟ ବାଟ ବନ୍ଦ ରହିଛି। କେବଳ ଦାଣ୍ଡ ମହାସୁଲ ଭଳି ଗୋଟିଏ ଆୟ ମାର୍ଗ ହିଁ ମନ୍ଦିର ପରିଚାଳନା ପାଇଁ ଖୋଲା ରହିଛି। ତେବେ ଲକ୍‌ଡାଉନ୍‌ ଓ ମନ୍ଦିର ବନ୍ଦ ରହିବା ଯୋଗୁଁ ପୂର୍ବ ପରି ବ୍ୟବସାୟ ହେଉ ନଥିବାରୁ ଏହି ଦାଣ୍ଡ ମହାସୁଲ ଆୟ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ତେଣୁ ଟ୍ରଷ୍ଟ ବୋର୍ଡ ସରକାରଙ୍କୁ ଆର୍ଥିକ ଅନୁଦାନ ପାଇଁ ନିବେଦନ କରିଥିଲା। ତେବେ ଏହି ଆଇନ ଲାଗୁ ହେବା ପରେ ମନ୍ଦିରକୁ ଆର୍ଥିକ ଅନୁଦାନ ମିଳିବ ଓ ମନ୍ଦିର ପରିଚାଳନାରେ ଆଉ ଆର୍ଥିକ ସମସ୍ୟା ରହିବ ନାହିଁ।

ଫଳବତୀ ହେଲା ଦୀର୍ଘ ବ‌ର୍ଷର ଉଦ୍ୟମ
ଏହି ସ୍ବତନ୍ତ୍ର ଆଇନ ପାଇଁ ୨୦୦୬ ମସିହାରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଟ୍ରଷ୍ଟ ବୋର୍ଡ ବୈଠକ‌ରେ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ। ଟ୍ରଷ୍ଟ ବୋର୍ଡରେ ଆଲୋଚନା ହୋଇ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା। ୨୦୧୪ ମସିହା ସେପ୍ଟେମ୍ବର ମାସରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ସେବାୟତମାନେ ସଚିବାଳୟରେ ତତ୍‌କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେହି ଆଲୋଚନା ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ସମ୍ପର୍କରେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ଏକାମ୍ର ବିକାଶ ଯୋଜନା ଆରମ୍ଭ କରିବା ପରେ ଏହି ଆଇନ ପାଇଁ ଆଶା ବଢ଼ିଥିଲା। ଗତ ଜାନୁଆରି ୨୯ ତାରିଖରେ ନୂତନ ଟ୍ରଷ୍ଟ୍‌ ବୋର୍ଡ ଘୋଷଣା କରାଯାଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିଲେ। ଆଇନ ବିଭାଗର ତାଗିଦ୍‌ ପରେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଗତ ଜୁଲାଇ ୨୫ତାରିଖର ମନ୍ଦିରରେ ଥିବା ବିଭିନ୍ନ ସେବାକୁ ତାଲିକାଭୁକ୍ତ କରିବା ଆରମ୍ଭ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରର ପାଳିଆ ସେବା ସହ ବିଭିନ୍ନ ପର୍ବପର୍ବାଣୀ ଓ ଯାତ୍ରାରେ ସାମିଲ ହେଉଥିବା ସେବାୟତମାନଙ୍କ ତାଲିକା କରାଯାଇଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ଦାୟିତ୍ବରେ ଥିବା ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ୍‌ କମିସନର୍‌ ଏହି ତାଲିକା ମଗାଇଥିଲେ।

ବିକଶିତ ହେବ ଅନ୍ୟ ସବୁ ମନ୍ଦିର
ଏହି ସ୍ବତନ୍ତ୍ର ଆଇନ ଯୋଗୁଁ ଅନ୍ୟ ମନ୍ଦିରଗୁଡ଼ିକ ମଧ୍ୟ ବିକଶିତ ହେବେ। ଶ୍ରୀଲିଙ୍ଗରାଜ ମନ୍ଦିର ସହ ଜଡ଼ିତ ସମସ୍ତ ମନ୍ଦିରର ବିକାଶ କରାଯିବ। ବିଭିନ୍ନ ପର୍ବପର୍ବାଣୀରେ ଯାତ୍ରା ଏବଂ ଉପଯାତ୍ରା ବେଳେ ପ୍ରଭୁ ଶ୍ରୀଲିଙ୍ଗରାଜ ବିଭିନ୍ନ ମନ୍ଦିରକୁ ଯାତ୍ରା କରନ୍ତି। ସେଠାରେ ପୂଜା ଓ ପାଉଣା ପାଇଁ ସମସ୍ୟା ଦେଖାଦିଏ। ଏଣିକି ଏହି ସବୁ ସମସ୍ୟା ରହିବ ନାହିଁ।

ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ
୧୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି
କମିଟି ଲିଙ୍ଗରାଜ ମନ୍ଦିର ପରିସର ଏବଂ ବାହାରେ ଥିବା ଅନ୍ୟ ମନ୍ଦିର ଓ ମଠ ସଂପର୍କିତ ବ୍ୟାପାରଗୁଡ଼ିକର ପରିଚାଳନା ଦାୟିତ୍ବ ତୁଲାଇବ
‌ସେବା, ପୂଜା ଏବଂ ନୀତି ସହ ମନ୍ଦିରର କାର୍ଯ୍ୟ ପରିଚାଳନା ପାଇଁ କମିଟିକୁ ବିଶେଷ କ୍ଷମତା ପ୍ରଦାନ
ଲିଙ୍ଗରାଜ ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ ହେବେ
ମନ୍ଦିରର ସ୍ଥାବର, ଅସ୍ଥାବର ଏବଂ ଦେବୋତ୍ତର ସଂପତ୍ତିଗୁଡ଼ିକର ସୁରକ୍ଷା ଏବଂ ପରିଚାଳନା ପାଇଁ ବ୍ୟବସ୍ଥା
ଶ୍ରୀଲିଙ୍ଗରାଜ ମନ୍ଦିରର ସମସ୍ତ କାର୍ଯ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦ ଦ୍ବାରା ପରିଚାଳିତ ହେବ
ମନ୍ଦିର ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ସ୍ବତନ୍ତ୍ର ଆଇନ ବିଶେଷ ସହାୟକ ହେବ
ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ହିନ୍ଦୁ ରିଲିଜିଅସ୍‌ ଏଣ୍ଡୋ‌ମେଣ୍ଟ ଆକ୍ଟ ୧୯୫୧ ଦ୍ବାରା ପରିଚାଳିତ
ସ୍ବତନ୍ତ୍ର ଆଇନ ଦ୍ବାରା ଲିଙ୍ଗରାଜ ମନ୍ଦିରର ରୀତିନୀତି, ପରିଚାଳନା ଆହୁରି ଶୃଙ୍ଖଳିତ ହେବ
ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ରୀତିନୀତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବାରେ ସ୍ବତନ୍ତ୍ର ଆଇନ ବିଶେଷ ସହାୟକ ହେବ

ସମ୍ବନ୍ଧିତ ଖବର