ପୁରୁଣା ଭୁବନେଶ୍ୱର: ବିଏମ୍ସି ଓ୍ଵାର୍ଡ ନମ୍ବର ୫୪, ୫୫ ଓ ୬୦ ଅନ୍ତର୍ଗତ ସ୍ଥାନୀୟ କୋଟିତୀର୍ଥ ଲେନ୍, କେଦାରଗୌରୀ ଅଞ୍ଚଳ, ବିବେକାନନ୍ଦ ମାର୍ଗ, ନାଗେଶ୍ୱର ଟାଙ୍ଗୀ, ମହାରଣା ସାହିରେ ବାସ କରୁଥିବା ୧୦ ହଜାରରୁ ଊର୍ଧ୍ୱ ପରିବାର ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପିଏଚ୍ଡି ପାଇପ୍ ଲାଇନ୍ରୁ ଗୋଳି ପାଣି ବାହାରୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ସ୍ଥାନୀୟ ମୂଳାପଡ଼ିଆ ଓ ମ୍ୟୁଜିୟମ୍ ପିଏଚ୍ଡି ସବ୍ଡିଭିଜନ୍ ଅଧୀନରେ ରହିଛି ଏହିସବୁ ଅଞ୍ଚଳ। ତିିନି ଦିନ ହେଲା ଏହି ସମସ୍ୟା ଜାରି ରହିଥିଲେ ହେଁ ଏହାର ସମାଧାନ ହୋଇପାରୁନି। ବାଧ୍ୟ ହୋଇ ବହୁ ଲୋକ ଅନ୍ୟ ସ୍ଥାନରୁ ପାଣି ଆଣି ପିଉଛନ୍ତି।
ଏନେଇ ପୁରୁଣା ଭୁବନେଶ୍ୱର ମୂଳା ପଡ଼ିଆ କାର୍ଯ୍ୟାଳୟରେ କିଛି ଲୋକ ଅଭିଯୋଗ କରିଥିଲେ ହେଁ କେଉଁ କାରଣରୁ ଗୋଳି ପାଣି ବାହାରୁଛି, ତାହା ବିଭାଗ ଜାଣି ପାରୁନାହିଁ। ପାଇପ୍ ଫାଟିଥିବା ସନ୍ଦେହ କରି ପିଏଚ୍ଡି କର୍ମଚାରୀ ବୁଲି ବୁଲି ବହୁ ଖୋଜିଥିଲେ ମଧ୍ୟ କିଛି ସୁରାକ୍ ମିଳିନାହିଁ। ସ୍ଥାନୀୟ ନାଗେଶ୍ୱରଟାଙ୍ଗୀ ଅଧିବାସୀ ଉମାକାନ୍ତ ଦାସ କହନ୍ତି, ୩ ଦିନ ହେଲା ଏପରି ସମସ୍ୟା ଦେଖାଦେଇଛି। କେଦାରଗୌରୀ ଅଞ୍ଚଳର ରୋଜିନା ମିଶ୍ର କୁହନ୍ତି, ପଡ଼ୋଶୀ ଘରୁ ବୋରିଂ ପାଣି ଆଣି ପିଇବାକୁ ପଡ଼ୁଛି। ଏହାର ସମାଧାନ ତୁରନ୍ତ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମ୍ୟୁଜିୟମ୍ ପିଏଚ୍ଡି ସବ୍ଡିଭିଜନ୍ ଯନ୍ତ୍ରୀ ଅଞ୍ଜନ ପଟ୍ଟନାୟକ କହନ୍ତି, ଏନେଇ କୌଣସି ଅଭିଯୋଗ ହୋଇନାହିଁ। ପାଣି ନମୁନା ସଂଗ୍ରହ କରାଯିବା ପରେ ପଦକ୍ଷେପ ନିଆଯିବ। ମୂଳା ପଡ଼ିଆ ପିଏଚ୍ଡି ସବ୍ ଡିଭିଜନ୍ ଏସ୍ଡିଓ ନୃସିଂହ ଚରଣ ସାହୁ କହିଛନ୍ତି, ଅଭିଯୋଗ ପରେ ସର୍ଭେ ଚାଲିଛି। କେଉଁ ସ୍ଥାନରେ ଲିକ୍ ଅଛି ଜଣା ପଡ଼ିନାହିଁ।