ପୁରୁଣା ଭୁବନେଶ୍ୱର: ସପ୍ତମୀରୁ ଚଣ୍ଡୀପାଠ ଓ ଦୈନିକ ୧୦୦୮ ଆହୂତି

ବଡ଼ୁସାହି ଦୁର୍ଗାପୂଜା ସମିତି

ପୁରୁଣା ଭୁବନେଶ୍ୱର: ମହାମାୟୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ପ୍ରସିଦ୍ଧ ଶୈବକ୍ଷେତ୍ର ପୁରୁଣା ଭୁବନେଶ୍ବର। ପ୍ରାୟ ୭୦ ବର୍ଷ ଧରି ଏହି ଅଞ୍ଚଳରେ ବିଭିନ୍ନ ମଣ୍ଡପରେ ହୋଇଆସୁଥିବା ଦୁର୍ଗାପୂଜାରେ ବିଧିବିଧାନକୁ ବିଶେଷ ଗୁରୁତ୍ବ ଦିଆ‌ଯାଇଥାଏ। ଅଷ୍ଟଚଣ୍ଡୀଙ୍କ ସମେତ ଏହି ଅଞ୍ଚଳରେ ବହୁ ପ୍ରସିଦ୍ଧ ଶକ୍ତିପୀଠ ଥିବାରୁ ଏହି ଅଞ୍ଚଳର ଦୁର୍ଗାପୂଜାର ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଛି। ତନ୍ମଧ୍ୟରୁ ବଢ଼େଇବାଙ୍କ ଛକଠାରେ ହୋଇ ଆସୁଥିବା ବଡ଼ୁ ନିଯୋଗ ପୂଜାର ଏକ ନିଆରା ଭାବ ରହିଛି। ଏଠାରେ ହେଉଥିବା ଚଣ୍ଡୀପାଠ ଓ ହୋମଯଜ୍ଞ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ।

ଦୀର୍ଘ ବର୍ଷ ହେଲା ବଡ଼ୁ ସାହି ଭିତରେ ଏହି ପୂଜା ଅନୁଷ୍ଠିତ ହୁଏ। ଏଠାରେ ବଡ଼ ତୋରଣ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅନୁମତି ନଥାଏ। କିନ୍ତୁ ଏହି ପୂଜାରେ ସବୁ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ। ସପ୍ତମୀ ତିଥିରୁ ୩ ଦିନକାଳ ଚଣ୍ଡୀପାଠ କରାଯାଏ। ସେହିଭଳି ଦଶମୀ ପର୍ଯ୍ୟନ୍ତ ହେଉଥିବା ହୋମଯଜ୍ଞରେ ପ୍ରତିଦିନ ୧୦୦୮ ଆହୂତି ଦିଆଯାଏ।

ମହାନବମୀ ତିଥିରେ କୁମାରୀ ପୂଜା ଏହି ପୂଜାର ନିଆରା ପରମ୍ପରା। ମଣ୍ଡପରେ ମା’ଙ୍କ ମୂର୍ତ୍ତି ସମ୍ମୁଖରେ ଜଣେ ୧୦ ବର୍ଷ ବୟସରୁ କମ୍ ବୟସର ନାବାଳିକାଙ୍କୁ ପୂଜା କରିବା ବିଧି ପାଳିତ ହୋଇଆସୁଛି। ଅଷ୍ଟମୀ ତିଥି‌ରେ ଏଠାରେ ମା’ଙ୍କ ମୂର୍ତ୍ତି ସମ୍ମୁଖରେ ବହୁ ଶ୍ରଦ୍ଧାଳୁଙ୍କ ଅଖଣ୍ଡ ଦୀପ ଜଳିବା ମଧ୍ୟ ଏକ ସ୍ବତନ୍ତ୍ର ବିଧି। ଅନ୍ୟ ଏକ ବଡ଼ କଥା ହେଉଛି, ଏଠାରେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ମା’ଙ୍କୁ ମହାପ୍ରସାଦ ଭୋଗଲାଗି କରାଯାଇଥାଏ। ଶ୍ରୀଲିଙ୍ଗରାଜ ମନ୍ଦିରରୁ ମହାପ୍ରସାଦ ଅଣାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିକଟରେ ସମର୍ପଣ କରାଯାଏ।

ଚାନ୍ଦିମୁକୁଟ ପିନ୍ଧିବେ ସବୁ ଦେବଦେବୀ

ଏଠାରେ ମା’ ଦୁର୍ଗାଙ୍କ ସହ ସମସ୍ତ ଦେବଦେବୀଙ୍କୁ ଚାନ୍ଦି ମୁକୁଟ ପିନ୍ଧାଯିବ। ମା’ଙ୍କ ମୂର୍ତ୍ତି ଓ ମେଢ଼କୁ ଯଥାସମ୍ଭବ ସୁନ୍ଦର କରିବାକୁ କାରିଗରମାନେ ଲାଗିପଡ଼ିଛନ୍ତି। ସେହିଭଳି ଆଲୋକ ସଜ୍ଜା ଉପରେ ମଧ୍ୟ ଚଳିତ ବର୍ଷ ଗୁରୁତ୍ବ ଦିଆଯାଉଛି। ଚଳିତ ବର୍ଷ ଏହି ପୂଜା ପାଇଁ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।
କମଳାକାନ୍ତ ବଡ଼ୁ, ସମ୍ପାଦକ

ଜାକଜମକରେ ହେବ ମା’ଙ୍କ ମେଲାଣି

ଚଳିତ ବର୍ଷ ମା’ଙ୍କୁ ଆବାହନ କରିବାକୁ ଯେମିତି ବ୍ୟାପକ ପ୍ରସ୍ତୁତି ଚାଲିଛି, ମା’ଙ୍କ ମେଲାଣିକୁ ମଧ୍ୟ ସେମିତି ଆକର୍ଷଣୀୟ କରିବୁ। ଭସାଣ ଶୋଭାଯାତ୍ରାରେ ପ୍ରସିଦ୍ଧ ରଘୁରାଜପୁର ଘୋଡ଼ା ନାଚ, ଭାଙ୍ଗଡ଼ା ନୃତ୍ୟ, ବ୍ୟାଣ୍ଡ୍ ପାର୍ଟି, କ୍ୟାସିଓ ସମ୍ବଲପୁରୀ ସହ ପାରମ୍ପରିକ ଘଣ୍ଟ ବାଦ୍ୟ ଦେଖିବାକୁ ମିଳିବ। ଏବର୍ଷ ମଣ୍ଡପରେ ଅଧିକ ଲାଇଟ୍ ସଜ୍ଜା ହେବ।
ଅଞ୍ଚଳ ବଟୁ, ସଭାପତି

ସମ୍ବନ୍ଧିତ ଖବର