ଉଦ୍ୟାନ କୃଷି ନିର୍ଦେଶାଳୟ ପାଚେରି ଭାଙ୍ଗିଦେଲେ

ଜଙ୍ଗଲ ଜମିରେ ୧୦୦ ଫୁଟିଆ ରାସ୍ତା

ଭୁବନେଶ୍ୱର : ଶେଷରେ ଯାହା ଆଶା କରାଯାଉଥିଲା ତାହି ହିଁ ହେଲା। ରାଜ୍ୟ ଉଦ୍ୟାନ କୃଷି ନିର୍ଦେଶାଳୟ ମଧ୍ୟ ଦେଇ ରେଣ୍ଟାଲ କଲୋନି ଓ ଭିଆଇପି ରୋଡ୍‌କୁ ସଂଯୋଗ କରୁଥିବା ୧୦୦ ଫୁଟିଆ ରାସ୍ତା ପାଇଁ ଶେଷରେ ପାଚେରି ଭଙ୍ଗା ଯାଇଛି। ରେଣ୍ଟାଲ କଲୋନି ପଟୁ ପ୍ରଥମେ ଏହି ପାଚେରି ଭଙ୍ଗା ଯାଇଥିବା ବେଳେ ପାଖରେ ଥିବା ଗଛଗୁଡ଼ିକୁ କାଟି ଦିଆଯାଇଛି।

ରାଜ୍ୟ ଉଦ୍ୟାନ କୃଷି ନିର୍ଦେଶାଳୟ ମଧ୍ୟ ଦେଇ ଜଙ୍ଗଲ ଜମିରେ ୧୦୦ ଫୁଟିଆ ରାସ୍ତା ନିର୍ମାଣ କରାଯାଉଥିବା ଖବର ଗତବର୍ଷ ଅକ୍ଟୋବର ୩୧ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ସମସ୍ତ ନୀତି ନିୟମକୁ ଦଳି କିଭଳି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଚାଲିଛି ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଘଟଣା ସଂପର୍କରେ ଉଦ୍ୟାନକୃଷି ନିର୍ଦେଶାଳୟର ନିର୍ଦେଶକ ଓ ପୂର୍ତ ବିଭାଗର ସଚିବ କୌଣସି ନିୟମର ଉଲ୍ଲଂଘନ ହୋଇ ନ ଥିବା କହିଥିଲେ। ତେବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରଏଣ୍ଡବିକୁ ହସ୍ତାନ୍ତର କରାଯାଇଥିବା ୩ ଏକର ଜମିରୁ ପ୍ଲଟ୍‌ ନଂ ୫ରେ ଥିବା ୬୬୫ ଡିସିମିଲ ଜାଗାରେ ରାସ୍ତା ନିର୍ମାଣ ହୋଇପାରିବ ନାହିଁ ବୋଲି ଉଲ୍ଲେଖ ରହିଥିଲା। ପ୍ଲଟ୍‌ ନଂ ୫ର ୬୬୫ ଡିସିମିଲ ଜାଗା ଜଙ୍ଗଲ କିମସ-୨ର ହୋଇଥିବା ବେଳେ ଏଥିରେ ଜଙ୍ଗଲ କାର୍ଯ୍ୟକୁ ବାଦ୍‌ ଦେଲେ ଅନ୍ୟ କାର୍ଯ୍ୟ ପାଇଁ ଯୁଗ୍ମ ଭାବେ ତଦାରଖ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ଯୁଗ୍ମ ତଦାରଖ କମିଟି ପାଇଁ ନିର୍ଦେଶ ଦିଆଯାଇଥିଲେ ହେଁ, ତାହା ହୋଇପାରି ନାହିଁ।

ନିର୍ଦେଶାଳୟ ପରିସରରେ ସମୁଦାୟ ୨୮୬ଟି ଗଛ ରହିଛି। ଏଥିରେ ବହୁ ପୁରୁଣା ଆମ୍ବ, ସପେଟା, କାଜୁ, ପେସ୍ତାବାଦାମ, ନଡ଼ିଆ ଓ ଔଷଧୀୟ ଗଛ ରହିଛି। ମାତ୍ର ରାସ୍ତା କାମ ପାଇଁ ଅନେକ ଗଛକୁ କାଟି ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ନିର୍ଦେଶାଳୟର ଦୁଇ ପାଚେରି ମଧ୍ୟରେ ଏହି ରାସ୍ତା କାମ ଜାରି ରହିଥିଲା। ମାତ୍ର ଏବେ ରେଣ୍ଟାଲ କଲୋନି ପଟରେ ଥିବା ପାଚେରିକୁ ଭାଙ୍ଗି ଦିଆଯାଇଛି। ଜଙ୍ଗଲ ଜମିରେ ଏଭଳି ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ ହେଁ, ଅଦୃଶ୍ୟ ହାତ ଯୋଗୁଁ ଏହି ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର