ରାଜଧାନୀରେ ଭାଙ୍ଗିଛି: ୧୦୩୩୦ କ୍ବାର୍ଟର୍ସ, ୫୩୮ ସରକାରୀ କାର୍ଯ୍ୟାଳୟ

ବେସରକାରୀ ଘର ଗୋଟିଏ ସଂପୂର୍ଣ୍ଣ, ୬୦୩ ଘର ଆଂଶିକ ଭାଙ୍ଗିଛି

ଭୁବନେଶ୍ବର: ବାତ୍ୟା ଫନିରେ ଭୁବନେଶ୍ବର ତହସିଲ ଅଧୀନରେ ୧୮୩ଟି ଗାଁରେ ମୋଟ୍‌ ୧୩୨୫୬ଟି ଘର ଭାଙ୍ଗିଥିବା ତହସିଲଦାର ଗତ ୧୦ତାରିଖରେ ରିପୋର୍ଟ ଦେଇଛନ୍ତି। ଏଥିରେ ୧୩୭୯ଟି ଛାତଘର ଭାଙ୍ଗିଥିବା ରିପୋର୍ଟ ଦିଆଯାଇଥିବାବେଳେ ସହର ଭିତରେ ୬୩୭ଟି ବେସରକାରୀ ଘର ଆଂଶିକ ଭାଙ୍ଗିଛି, ଗୋଟିଏ ଘର ସଂପୂର୍ଣ୍ଣ ଭାଙ୍ଗିଛି। ହେଲେ ସରକାରୀ କୋଠାବାଡ଼ି କ୍ଷୟକ୍ଷତି ନେଇ ପୂର୍ତ୍ତ ବିଭାଗ ଯେଉଁ ରିପୋର୍ଟ ଦେଇଛି ସେଥିରୁ ଜଣାପଡ଼ୁଛି ଯେ, ବାତ୍ୟାରେ ସରକାରୀ ସଂସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୂର୍ତ୍ତ ବିଭାଗର ରିପୋର୍ଟ ଅନୁଯାୟୀ, ରାଜଧାନୀରେ ୫୩୮ଟି ସରକାରୀ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୦,୩୩୦ଟି ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି। ଏପରିକି ବେସରକାରୀ ଘର ଭଙ୍ଗା ପାଇଁ ସରକାର ଯେତିକି ସହାୟତା ଦେବାକୁ ଘୋଷଣା କରିଛନ୍ତି ‌ତାର ଶହେ ଗୁଣା ସରକାରୀ କ୍ବାର୍ଟର୍ସକୁ ସଜାଡ଼ିବାକୁ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଯେମିତି ବାତ୍ୟାରେ କେବଳ ସରକାରୀ କ୍ଷୟକ୍ଷତି ଅଧିକ ହୋଇଛି।
କେବଳ ଭୁବନେଶ୍ବରରେ ୬୬କୋଟି ୭୮ଲକ୍ଷ ୫୦ହଜାର ଟଙ୍କାର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୨୨୯କୋଟି ୪ଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି। ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୬୧କୋଟି ୪ଲକ୍ଷ ୫୦ହଜାର ଟଙ୍କା ଏବଂ ୧୮୧କୋଟି ୨୧ଲକ୍ଷ ୩ହଜାର ଟଙ୍କା ମଗାଯାଇଛି। ଏହିପରି ତୁରନ୍ତ ମରାମତି ପାଇଁ ୨୪୨.୨୫କୋଟି ଟଙ୍କା ମଗାଯାଇଛି।

୨୯୫.୮୩କୋଟିର କ୍ଷତି, ତୁରନ୍ତ ଦରକାର ୨୪୨.୨୫କୋଟି
ସରକାରୀ କ୍ଷତି ବେସରକାରୀଠାରୁ ବହୁ ଗୁଣା

ରାଜ୍ୟ ସରକାରଙ୍କୁ ପୂର୍ତ୍ତ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଭୁବନେଶ୍ବରର ପୂର୍ତ୍ତ ବିଭାଗ ଡିଭିଜନ-୧ ଅଧୀନରେ ଥିବା କଳ୍ପନା, ରାଜ୍ୟ ସଂଗ୍ରାହାଳୟ, ବିଜେବି କଲେଜ, ସଚିବାଳୟ, ନ ତା’ଲା, ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳରେ ୧୧୬ଟି ସରକାରୀ କାର୍ଯ୍ୟାଳୟ ଭାଙ୍ଗିଥିବାବେଳେ ଏଠାରେ ୬୩ଟି କ୍ବାର୍ଟର୍ସ ଭାଙ୍ଗିଛି। ଏହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟର କ୍ଷତି ରାଜଧାନୀରେ ସର୍ବାଧିକ ୨୮.୦୭କୋଟିର ହୋଇଥିବାବେଳେ କ୍ବାର୍ଟର୍ସ କ୍ଷତି ୩୪କୋଟି ୧୩ଲକ୍ଷ ୧୫ହଜାର ଟଙ୍କାର ହୋଇଛି। ଏହାର ତୁରନ୍ତ ମରାମତି ପାଇଁ ସବୁ ଟଙ୍କା ରିଲିଫ ପାଣ୍ଠି (ଏସ୍‌ଡିଆରଏଫ୍ ଏବଂ ଡିଆରଏଫ୍‌)ରୁ ଦେବାକୁ କୁହାଯାଇଛି। ସେହିପରି ପୂର୍ତ୍ତ ବିଭାଗର ଡିଭିଜନ-୨ ଅଧୀନରେ ୟୁନିଟ-୧, ୟୁନିଟ-୬, ଗଙ୍ଗନଗର, ପୁରୁଣା ଭୁବନେଶ୍ବର, ବିମାନବନ୍ଦର ଭଳି ଅଞ୍ଚଳ ଯାଉଥିବାବେଳେ ଏଠାରେ ୧୭୨ଟି ସରକାରୀ କାର୍ଯ୍ୟାଳୟ ଏବଂ ୧୯୧୪ଟି କ୍ବାର୍ଟର୍ସ ଭାଙ୍ଗିଛି। ୧୭୨ଟି ସରକାରୀ କ୍ବାର୍ଟର୍ସରେ ୨୩.୮୯କୋଟିର କ୍ଷୟକ୍ଷତି ହୋଇଥିବା‌େବଳେ କ୍ବାର୍ଟର୍ସରେ ୪୭କୋଟି ୬୪ଲକ୍ଷ ୯୭ହଜାର ଟଙ୍କା କ୍ଷତି ହୋଇଛି। ଏହି ସବୁର ତୁରନ୍ତ ମରାମତି ଆବଶ୍ୟକ ଥିବାରୁ ଏହାକୁ ରିଲିଫ ପାଣ୍ଠିରୁ ଦେବାକୁ କୁହାଯାଇଛି।

ଡିଭିଜନ୍‌-୩ ଅଧୀନରେ ୟୁନିଟ-୮, ରେଣ୍ଟାଲ, ଖଣ୍ଡଗିରି, ବରମୁଣ୍ଡା, ବିଡିଏ (ଚନ୍ଦ୍ରଶେଖରପୁର) ଅଞ୍ଚଳ ଯାଉଥିବାବେଳେ ଏଠାରେ ୧୨୪ଟି ସରକାରୀ କାର୍ଯ୍ୟାଳୟର ୮କୋଟି ୨୦ଲକ୍ଷ ଟଙ୍କାର ଏବଂ ୪୯୨୭ଟି କ୍ବାର୍ଟର୍ସରେ ୬୮କୋଟି ୩୩ଲକ୍ଷ ୫୩ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୨.୪୬କୋଟି ଏବଂ ୨୦କୋଟି ୫୦ଲକ୍ଷ ୬ହଜାର ଟଙ୍କା ଦେବାକୁ କୁହାଯାଇଛି।

ଡିଭିଜନ-୪ ଅଧୀନରେ ୧୨୬ଟି ସରକାରୀ କାର୍ଯ୍ୟାଳୟରେ ୬କୋଟି ୬୨ଲକ୍ଷ ଟଙ୍କାର କ୍ଷତି ହୋଇଥିବାବେଳେ ୩୪୨୬ଟି କ୍ବାର୍ଟର୍ସରେ ୭୮କୋଟି ୯୨ଲକ୍ଷ ୮୫ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହାର ମରାମତି ପାଇଁ ସବୁ ଟଙ୍କା ତୁରନ୍ତ ଦେବାକୁ କୁହାଯାଇଛି। ପୂର୍ତ୍ତ ବିଭାଗର ଏହି ରିପୋର୍ଟରେ ଡିଭିଜନ୍‌-୩ ଅଞ୍ଚଳରେ ଯେଉଁ କ୍ଷୟକ୍ଷତି ହୋଇଛି ‌ସେଥିରୁ କିଛି କାର୍ଯ୍ୟ ପରବର୍ତ୍ତୀ ସମୟରେ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ବାକି ତିନିଟି ଡିଭିଜନ୍‌ରେ ସମସ୍ତ ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ଡିଭିଜନ୍‌-୫ ଅଧୀନରେ କୌଣସି କ୍ଷୟକ୍ଷତି ହୋଇ ନଥିବା ରିପୋର୍ଟ ଦିଆଯାଇଛି। ବାତ୍ୟାରେ ଏହି ଡିଭିଜନ୍‌ରେ କିପରି କୌଣସି ସରକାରୀ କାର୍ଯ୍ୟାଳୟ ଏବଂ କ୍ବାର୍ଟର୍ସ କ୍ଷତି ହେଲାନି ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଏହି ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ କ୍ଷୟକ୍ଷତି ରିପୋର୍ଟ ଦେଇନାହାନ୍ତି ନା ପ୍ରକୃତରେ କ୍ଷୟକ୍ଷତି ହୋଇନି ତାହା ସ୍ପଷ୍ଟ ହୋଇନି। ଭାଙ୍ଗି ଯାଇଥିବା ଏସି ସିଟ୍‌, ଭୁଶୁଡ଼ି ଯାଇଥିବା ପାଚେରି, ଗଛ ପଡ଼ି ଭାଙ୍ଗି ଯାଇଥିବା ଘରର ଛାତ ଓ କାନ୍ଥ ଏବଂ ପୂର୍ତ୍ତ ବିଭାଗ ବିଭିନ୍ନ କ୍ବାର୍ଟର୍ସରେ ନିର୍ମାଣ କରୁଥିବା ବିଭିନ୍ନ କାର୍ଯ୍ୟକୁ ହିସାବକୁ ନେଇ ଏହି କ୍ଷୟକ୍ଷତି ଆକଳନ ହୋଇଛି। ଏହି ରିପୋର୍ଟରେ ଏତିକି ସ୍ପଷ୍ଟ ହେଉଛି ଯେ, ରାଜଧାନୀରେ ସରକାରୀ କ୍ଷତି ବେସରକାରୀ କ୍ଷତିଠାରୁ ବହୁଗୁଣା ଅଧିକ।

ସମ୍ବନ୍ଧିତ ଖବର