ଆଶ୍ୱସ୍ତିକର ଖବର: ଭୁବନେଶ୍ୱରରେ ଆଜି ୧୦୩୪ ଜଣ କରୋନା ସଂକ୍ରମିତ, ୧୦୧୯ ସୁସ୍ଥ

ଭୁବନେଶ୍ୱର: କରୋନା ନେଇ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଆଜି ଆଶ୍ୱସ୍ତିକର ଖବର ଆସିଛି । ଗତ ୨ ଦିନର ତୁଳନାରେ ଆଜି କମ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୧୦୪୮ ଓ ଚଳିତ ମାସ ୬ ତାରିଖରେ ୧୧୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୩୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ସଂଗରୋଧରୁ ୧୫୪ ଓ ସ୍ଥାନୀୟ ଅଂଚଳରୁ  ୮୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଆଜି ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

ବିଏମ୍‌ସିର ସୂଚନା ଅନୁସାରେ ନୟାପଲ୍ଲୀ ଓ ପଟିଆରୁ ଆଜି ୫୪ ଜଣ ଲେଖାଏଁ, ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୪୦ ଜଣ ଲେଖାଏଁ, ପୁରୁଣା ଭୁବନେଶ୍ୱରରୁ ୩୭ ଜଣ, ଚନ୍ଦ୍ରଶେଖରପୁରରୁ ୩୫ ଜଣ, ଡୁମଡୁମାରୁ ୩୩ ଜଣ, ରସୁଲଗଡ଼ରୁ ୨୭ ଜଣ, ବରମୁଣ୍ଡାରୁ ୨୪, ଝାରପଡ଼ା, ଶୈଳଶ୍ରୀ ବିହାର ଓ ୟୁନିଟ-୮ରୁ ୨୩ ଜଣ ଲେଖାଏଁ, ସୁନ୍ଦରପଦାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜି ପର୍ଯ୍ୟନ୍ତ ୫୨ ହଜାର ୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୨ ହଜାର ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨୭୯ ଜଣଙ୍କର ପ୍ରାଣହାନୀ ଘଟିଛି । କିନ୍ତୁ ଏବେବି ୧୦ ହଜାର ୭୫ ଜଣଙ୍କର ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର