ଖଣ୍ଡଗିରି: ରାଜଧାନୀରେ ନିଜର ଫ୍ଲାଟ ହେବ। ସବୁଜିମା ପରିବେଶ ମଧ୍ୟରେ ବ୍ୟାଡମିଣ୍ଟନ କୋର୍ଟ, ପାର୍କିଂ ସହିତ ସର୍ବନିମ୍ନ ସବୁ ସୁବିଧା ରହିବ। ଓଡ଼ିଶା ହାଉସିଂ ବୋର୍ଡର ଏଭଳି ପ୍ରତିଶ୍ରୁତିକୁ ବିଶ୍ବାସ କରି କଷ୍ଟୋପାର୍ଜିତ ଲକ୍ଷାଧିକ ଟଙ୍କା ଦେଇ ଫସି ଯାଇଛନ୍ତି ୧୦୪ଟି ପରିବାର। ସରକାରୀ ସଂସ୍ଥା ହୋଇଥିବାରୁ ଏହାକୁ ଅବିଶ୍ବାସ କରିବାର କାରଣ ନଥିଲା। କିନ୍ତୁ ୩୬ ମାସରେ ଘର ମିଳିବବୋଲି ପ୍ରତିଶ୍ରୁତି ଦେଇ ୧୩ ବର୍ଷ ପରେ ମଧ୍ୟ ଦେବନାହିଁ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ବୋଲି କହନ୍ତି ଫ୍ଲାଟ୍ କିଣିଥିବା ଅଧିକାଂଶ ଗ୍ରାହକ। ସେଥିରେ ପୁଣି ମନଇଚ୍ଛା ଦର ବଢ଼ାଇ ଦିଆଯିବାର ଅଭିଯୋଗ ମଧ୍ୟ ରହିଛି। ଏବେ ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ଆକ୍ଟ ଅନୁଯାୟୀ ଚୁକ୍ତିନାମା କରିବାକୁ ହାଉସିଂ ବୋର୍ଡ ରାଜିନଥିବାରୁ ଗ୍ରାହକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି।
ଅଭିଯୋଗ ଅନୁଯାୟୀ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ୨୦୧୧ ମସିହାରେ ଧର୍ମବିହାରରେ ଖାରବେଳ ଏନକ୍ଲେଭ୍ର ନିର୍ମାଣ ଆରମ୍ଭ ହୋଇଥିଲା। ଲଟେରି ଜରିଆରେ ୧୦୪ ଜଣ ଗ୍ରାହକଙ୍କୁ ୪ ପ୍ରକାର ଫ୍ଲାଟ ଆବଣ୍ଟନ ହୋଇଥିଲା। ଏଥିରେ ବ୍ଲକ-ଏ’ର ୩ ବିଆର୍ ଫ୍ଲାଟ ପାଇଁ ୪୮.୭୫ ଲକ୍ଷ, ବ୍ଲକ-ବି’ର ୩ ଆର୍ ପାଇଁ ୪୮.୨୦ ଲକ୍ଷ, ୪ ବିଆର୍ ପାଇଁ ୪୯.୮୦ ଲକ୍ଷ, ୪ ବିଆର୍ ଡିଲକ୍ସ ୬୧.୪୦ ଲକ୍ଷ ଟଙ୍କା ୬ଟି କିସ୍ତିରେ ଦେବାକୁ କୁହା ଯାଇଥିଲା। ସେହି ଅନୁସାରେ ଗ୍ରାହକମାନେ ଟଙ୍କା ଦେଇ ଚାଲିଥିଲେ। ତେବେ ଗ୍ରାହକଙ୍କଠାରୁ ୨ଟି କିସ୍ତିର ଅର୍ଥ ପାଇବା ପରେ ହାଉସିଂବୋର୍ଡ କହିଥିଲା ଯେ ନିର୍ମାଣାଧୀନ ଜମି ଜବରଦଖଲ ମୁକ୍ତ ହୋଇନାହିଁ, ତେଣୁ ଆଉ ଟଙ୍କା ଦେବାକୁ ମନା କରା ଯାଇଥିଲା। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ୨୦୧୭ ମସିହାରେ ବୋର୍ଡ ପକ୍ଷରୁ କୁହା ଯାଇଥିଲା ଯେ ସେ ଆପାର୍ଟମେଣ୍ଟ ନିର୍ମାଣ ଆରମ୍ଭ ହେବ, କିନ୍ତୁ ସବୁ ଗ୍ରାହକଙ୍କୁ ମୂଳଦର ସହିତ ଆହୁରି ୪୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡ଼ିବ। ଯେଉଁ ଗ୍ରାହକ ଏଥିରେ ରାଜି ନାହାନ୍ତି ସେମାନଙ୍କ ଟଙ୍କା ଫେରାଇ ନେଇ ପାରିବେ। ଏଭଳି ଅଚାନକ ଦର ବଢ଼ିବା ନେଇ ଗ୍ରାହକମାନେ ଅସନ୍ତୁଷ୍ଟ ହୋଇ ରେରା, ରାଜ୍ୟ ଉପଭୋକ୍ତା ଫୋରମ ଓ ଜାତୀୟ ଉପଭୋକ୍ତା ଫୋରମର ଦ୍ବାରସ୍ଥ ହୋଇଥିଲେ। ଏହାପରେ ମଧ୍ୟ ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରାଯାଇ ନଥିଲା। ନାମକୁ ମାତ୍ର କମା ଯାଇଥିଲା। କ୍ରମାଗତ ଭାବରେ ବିଭିନ୍ନ ଫୋରମ୍ରେ ଗ୍ରାହକଙ୍କ ଚାପ ପରେ ହାଉସିଂ ବୋର୍ଡ ପକ୍ଷରୁ ୨୦୨୦ ମସିହା ଜୁନ ୩୦ ତାରିଖ ସୁଦ୍ଧା ସମସ୍ତଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। କିନ୍ତୁ ସେହି ପ୍ରତିଶ୍ରୁତି ବି ପାଣିର ଗାର ହେଲା। ଆଶ୍ଚର୍ଯ୍ୟର କଥା ହେଉଛି ତା’ପରେ ମଧ୍ୟ ୬ଥର ଲିଖିତ ଭାବରେ ଗ୍ରାହକଙ୍କୁ ଫ୍ଲାଟ ହସ୍ତାନ୍ତରଣର ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ପାଳନ କରାଯାଇ ନାହିଁ।
ଅର୍ଥ ଦେଇଥିବା ଲୋକେ କିଛିଦିନ ପୂର୍ବେ ହାଉସିଂ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେବାପରେ ଚଳିତ ମାର୍ଚ୍ଚ ମାସ ଶେଷସୁଦ୍ଧା ଫ୍ଲାଟ ହସ୍ତାନ୍ତରଣର ପ୍ରତିଶ୍ରୁତି ମିଳିଛି। କିନ୍ତୁ ତାହା ମଧ୍ୟ ନିଶ୍ଚିତ ନୁହେଁ ବୋଲି ଗ୍ରାହକଙ୍କ ଭିତରୁ ଅନେକ ଆଶଙ୍କା ପ୍ରକାଶ କରିଛନ୍ତି। କାରଣ ବର୍ତ୍ତମାନ ବି ସେଠାକାର ପାର୍କିଂ ଓ ଲିଫ୍ଟ କାର୍ଯ୍ୟ ସରିନାହିଁ। ଆହୁରି ସାଂଘାତିକ କଥା ହେଉଛି, ଅକୁପେନ୍ସିଂ ସାର୍ଟିଫିକେଟ ନନେଇ ଫ୍ଲାଟ ନେବାକୁ ମଧ୍ୟ ବାଧ୍ୟ କରାଯାଉଥିବା ନେଇ କିଛି ଗ୍ରାହକ ଅଭିଯୋଗ କରିଛନ୍ତି। ନିଜେ ହାଉସିଂ ବୋର୍ଡ ନିର୍ଧାରିତ ସମୟରେ ଘର ଦେଇନାହିଁ, କିନ୍ତୁ ଯେଉଁ ଅଳ୍ପ ଗ୍ରାହକ ସମ୍ପୂର୍ଣ୍ଣ ଦେୟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଇ ନାହାନ୍ତି, ସେମାନଙ୍କ ଠାରୁ ସୁଧ ସହିତ ଦେୟ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ହାଉସିଂ ବୋର୍ଡ ଭଳି ସରକାରୀ ସଂସ୍ଥାଠାରୁ ଏପରି ବ୍ୟବହାର ଆଶା ନଥିଲା ବୋଲି ଗ୍ରାହକମାନେ କହିଛନ୍ତି। ତେବେ ଓଡ଼ିଶା ହାଉସିଂ ବୋର୍ଡର ସଚିବ ରଶ୍ମିତାରାଣୀ ତରାସିଆ ଏ ପ୍ରସଙ୍ଗରେ କହିଛନ୍ତି, କରୋନା ଯୋଗୁଁ ଆପାର୍ଟମେଣ୍ଟ ନିର୍ମାଣ ବିଳମ୍ବ ହୋଇଛି। ଠିକାଦାର ମଧ୍ୟ ଠିକ୍ ଭାବରେ ଶ୍ରମିକ ପାଇଲେ ନାହିଁ। ୨୦୨୩ ମସିହାରେ ସେ ହାଉସିଂ ବୋର୍ଡରେ ଯୋଗଦାନ କରିବା ପରଠାରୁ ଯଥାଶୀଘ୍ର କାମ ଶେଷ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହା ବହୁତଳ ପ୍ରାସାଦ, ତେଣୁ ଲୋକଙ୍କ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ବିଡିଏ, ବିଏମ୍ସି ଅନୁମୋଦନ ଓ ଅକ୍ୟୁପେନ୍ସି ସାର୍ଟିଫିକେଟ ମାମଲାରେ ବିଳମ୍ବ ହେଉଛି। ତେବେ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଫ୍ଲାଟ ହସ୍ତାନ୍ତରିତ ହୋଇଯିବ ବୋଲି ଲିଖିତ ଭାବରେ ପ୍ରତିଶ୍ରୁତି ଦିଆଯାଇଛି। ଫ୍ଲାଟ ହସ୍ତାନ୍ତର ବେଳେ ସବୁ ସରକାରୀ ନିୟମର ଅନୁପାଳନ କରାଯିବ। ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ଆକ୍ଟ୍ର ମଧ୍ୟ ଉଲ୍ଲଂଘନ ହେବନାହିଁ।