ଭୁବନେଶ୍ବର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି କମିସନରେଟ ପୁଲିସ ଗୋଟିଏ ଘଟଣାର ଖୋଲତାଡ଼ କରିବା ସମୟରେ ୧୦୩ଟି ଚୋରି ମୋବାଇଲ ଉଦ୍ଧାର କରିପାରିଛି। ପୁଲିସ ରାଜଧାନୀ ଭୁବନେଶ୍ବରରେ ଝାଡ଼ଖଣ୍ଡର ମୋବାଇଲ ଲୁଟେରା ଦଳକୁ ଧରିବାରେ ସକ୍ଷମ ହୋଇଛି। ଏଥି ସହିତ ୧୦୪ଟି ମୋବାଇଲ ଜବତ କରିବା ସହିତ ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସାହେବଗଂଜ ଜିଲ୍ଲା ରାଜମହଲ ପୁଲିସ ଥାନା ଅନ୍ତର୍ଗତ ବାବୁପୁର ଗାଁର ମାଖନ ନୁନିଆଙ୍କ ପୁଅ ଦୀପକ କୁମାର (୧୯), ସେହି ଗାଁର ଦୁଧନାଥଙ୍କ ପୁଅ କାଂଚନ ନୁନିଆ (୧୯)ଓ ନିଳକୋଠି ଗାଁର ମୁନା ହଜାରୀଙ୍କ ପୁଅ ଅଙ୍କିତ କୁମାର ପେସୱାର (୧୯)।
ପୁଲିସ କହିଛି ୨୦୨୦ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସମୟରେ ପ୍ରଭାକର ଗୋଏନକା ନାମରେ ଜଣେ ବ୍ୟକ୍ତି କଳ୍ପନା ଛକ ନିକଟ ବିଦେଶୀ ମଦ ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ କିଛି ଅଜଣା ବ୍ୟକ୍ତି ଘଟଣାସ୍ଥଳକୁ ପହଂଚିଥିଲେ। ପ୍ରଭାକର କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତମାନେ ଆଇ-ଫୋନ୍ ପ୍ରୋ-୧୨ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଏ ନେଇ ପ୍ରଭାକର ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଥିଲା।
ଦୁର୍ବୃତ୍ତମାନଙ୍କୁ ପୁଲିସ ଚିନ୍ତାମଣିଶ୍ବର ଫିସିରି ଲେନସ୍ଥିତ ଏକ ଭଡା ଘରୁ ଠାବ କରିଥିଲା। ଚୋରି ଆଇ-ଫୋନ୍ ପ୍ରୋ-୧୨ ଜବତ ହୋଇଥିଲା। ତଦନ୍ତ ସମୟରେ ଅନ୍ୟ ୧୦୩ଟି ଚୋରି ମୋବାଇଲ ସଂପର୍କରେ ଜାଣିବାକୁ ପାଇଥିଲା। ଏଗୁଡ଼ିକ ପୁଲିସ ଜବତ କରିଥିଲା। ପୁଲିସ ଜାଣିବାକୁ ପାଇଛି ଯେ, ଦୁର୍ବୃତ୍ତମାନେ ଭୁବନେଶ୍ବରର ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ସହିଦନଗର, ମଂଚେଶ୍ବର ଥାନା ଅଂଚଳରୁ ଏକାକୀ ଓ ଅବହେଳା ଅବସ୍ଥାରେ ଛିଡ଼ା ହୋଇଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ସୁଯୋଗ ଦେଖି ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉ ଫେରାର ହୋଇଯାଉଥିଲେ। ଚୋରି ମୋବାଇଲ ଗୁଡ଼ିକ ବିକ୍ରି କରିବାକୁ ଆଉ ଏକ ଦଳ ସହଯୋଗ କରୁଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।