୧୯୨୯ରେ ମିଶିବ ୧୦୪, ସବୁ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରହିବ

ଭୁବନେଶ୍ବର : ଏବେ ରାଜଧାନୀବାସୀଙ୍କ ପାଇଁ ସବୁଠୁ ଦରକାରୀ ନମ୍ବର ପାଲଟିଯାଇଛି ୧୯୨୯। କରୋନା ଆକ୍ରାନ୍ତ ହୁଅନ୍ତୁ କି କରୋନା ସମ୍ବନ୍ଧୀୟ କୌଣସି ପ୍ରଶ୍ନ ହେଉ ସବୁଥିରେ ୧୯୨୯କୁ ଫୋନ୍‌ ଯାଉଛି। ଅତି ଆବଶ୍ୟକ ଫୋନ୍ କଲ୍‌ ବାଦ୍ ଅନ୍ୟ କଲ୍‌ ଆସୁଥିବାରୁ ବହୁ ଲୋକଙ୍କୁ ପ୍ରତୀକ୍ଷାରେ ରହିବାକୁ ପଡ଼ୁଛି। ଏହାକୁ ନଜରରେ ରଖି ବିଏମ୍‌ସିର ୧୯୨୯ ଓ ରାଜ୍ୟ ସରକାରଙ୍କ ୧୦୪ କୋଭିଡ୍‌ ହେଲ୍‌ପଲାଇନ୍‌କୁ କିଛି ଦିନ ପାଇଁ ମିଶାଇ ଦେବାକୁ ଯୋଜନା ହୋଇଛି। ୧୯୨୯ ନମ୍ବରରେ ଫୋନ୍‌ କରି ଲୋକ ଡାକ୍ତରଙ୍କ ପରାମର୍ଶ, ଆମ୍ବୁଲାନ୍ସ, ହସ୍ପିଟାଲ ସ୍ଥାନାନ୍ତର ସମ୍ବନ୍ଧୀୟ ସମସ୍ୟା ବିଷୟରେ ସୂଚନା ପାଇପାରିବେ। ଆକ୍ରାନ୍ତମାନଙ୍କୁ ୧୦୪ ନମ୍ବରରୁ ଫୋନ୍‌ ଯିବ। ଏଥିରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ସେମାନେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଦୈନିକ ସ୍ବାସ୍ଥ୍ୟବସ୍ଥା ସମନ୍ଧୀୟ ସୂଚନା ଦିଆଯିବ। ଯଦି କେହି ୧୦୪କୁ ଫୋନ୍‌ କରି ଡାକ୍ତରୀ ପରାମର୍ଶ ଚାହିବେ ତେବେ ତାଙ୍କ କଲ୍‌କୁ ୧୯୨୯କୁ ଡାଇଭର୍ଟ କରିଦିଆଯିବ। ସେହିପରି ୧୯୨୯କୁ ଫୋନ୍ କରି କେହି ନିତିଦିନିଆ ସୂଚନା ପାଇବାକୁ ଚାହୁଥିଲେ ତାଙ୍କ କଲ୍‌କୁ ୧୦୪ ନମ୍ବରକୁ ଡାଇଭର୍ଟ କରିଦିଆଯିବ।

ଆଜି ଭୁବନେଶ୍ବର ପାଇଁ କୋଭିଡ୍‌ ପର୍ଯ୍ୟବେକ୍ଷକ ଥିବା ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ଶ୍ରମ କମିସନର ଏନ୍‌. ତିରୁମାଳା, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେପରି ଲୋକଙ୍କୁ ୧୯୨୯ ନମ୍ବରକୁ ଫୋନ୍‌ କରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି, ସବୁ ଆକ୍ରାନ୍ତଙ୍କୁ ଉଚିତ ପରାମର୍ଶ ଓ ସହାୟତା ମିଳିବ ତାହାକୁ ନଜରରେ ରଖି ଏହାକୁ ୧୦୪‌ରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ଲୋକଙ୍କୁ ଯେପରି ତୁରନ୍ତ ପରାମର୍ଶ ଦେବାରେ କିଛି ଅସୁବିଧା ହେବନି ସେଥିପାଇଁ ବିଏମ୍‌ସିର ଅଧିକାରୀ, ୧୯୨୯ ଓ ୧୦୪ର କର୍ମଚାରୀଙ୍କୁ ନେଇ ଏକ ହ୍ବାଟସ୍‌ଆପ୍ ଗ୍ରୁପ୍ କରାଯାଇଛି। ଏଥିରେ ସମସ୍ତ ସୂଚନା ତୁରନ୍ତ ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୫ରୁ କାର୍ଯ୍ୟକାରୀ ହୋଇଥିବା ୧୯୨୯ ହେଲ୍‌ପଲାଇନ୍‌କୁ ଏପ୍ରିଲ ୨୬ ସୁଦ୍ଧା ୭୨୮୨ଟି କଲ୍‌ ଆସିଥିବାବେଳେ ଏଠାରୁ ୧୨୫୧୮ଟି କଲ୍‌ ଯାଇଛି। ୧୮୨୫ଜଣ ଡାକ୍ତରୀ ପରାମର୍ଶ ପାଇଁ ଫୋନ୍‌ କରିଛନ୍ତି। ୨୪ଘଣ୍ଟା ଖୋଲା ରହୁଥିବା ଏହି କଲ୍‌ ସେଣ୍ଟରରେ ତିନିଟି ସିଫ୍ଟରେ ୩୮ଜଣ କଲ୍‌ ଏକଜିକ୍ୟୁଟିଭ୍, ୭ଜଣ ଡାକ୍ତର, ୬ଜଣ ବିଏସ୍‌ସିଏଲ୍‌ ସୁପରଭାଇଜର କାମ କରୁଛନ୍ତି। ଆକ୍ରାନ୍ତଙ୍କ ଫୋନ୍‌ ଉଠାଇବାକୁ ୮ଟି ଲାଇନ୍ ଥିବା ବେଳେ ଆକ୍ରାନ୍ତଙ୍କୁ ଫୋନ୍‌ କରିବାକୁ ୬ଟି ଲାଇନ୍ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର