ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ରେ ଭୁବନେଶ୍ବରରେ ୧୦ ହଜାର ୪୭୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏଠାରେ ପରୀକ୍ଷା ଦେବା ପାଇଁ ୧୦ ହଜାର ୯୯୭ ଜଣ ପଞ୍ଜୀକରଣ କରିଥିବା ବେଳେ ୫୨୦ ଜଣ ଅନୁପସ୍ଥିତ ରହିଥିଲେ। ସହରରେ ହୋଇଥିବା ମୋଟ ୧୬ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଦୁଇଟି କେନ୍ଦ୍ରରେ ୯୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗାଇଡାନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସର୍ବାଧିକ ପିଲା ଭାଗନେଇଥିବା ଜଣାପଡ଼ିଛି। ତେବେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ର ବାହାରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ ଅଧିକାଂଶ ସ୍ଥାନରେ ପରୀକ୍ଷାର୍ଥୀ ବର୍ଷାରେ ଭିଜି ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଦେଖାଯାଇଥିଲା। ସେହିପରି ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକଙ୍କ ପାଇଁ ଅପେକ୍ଷା ସ୍ଥଳୀ କରାଯାଇ ନ ଥିବାରୁ ସେମାନେ ଘଣ୍ଟା ଘଣ୍ଟା ଧରି ବାହାରେ ଛିଡ଼ା ହୋଇ ବର୍ଷାରେ ଭିଜିଥିଲେ।
ଅପରାହ୍ଣ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଲାଗିଥିଲା ଲମ୍ବା ଲାଇନ୍। ଦୂର ଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ବାହାରେ ଅପେକ୍ଷା କରି ରହିଥିଲା। ପ୍ରବଳ ବର୍ଷା ଲାଜିରହିଥିବାରୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଛତା ଧରି ଛିଡ଼ା ହୋଇ ରହିଥିଲେ। ଏହି ସମୟରେ କରୋନା କଟକଣା କିମ୍ବା ସାମାଜିକ ଦୂରତା ରକ୍ଷାକୁ ସମସ୍ତେ ଭୁଲିଯାଇଥିଲେ। ପରୀକ୍ଷା ଆଗରେ ସବୁ ଯେପରି ତୁଚ୍ଛ ହୋଇପଡ଼ିଥିଲା। ୧୧ଟାରେ ପରୀକ୍ଷା କେନ୍ଦ୍ର ଫାଟକ ଖୋଲିବା କ୍ଷଣି ପରୀକ୍ଷାର୍ଥୀଙ୍କ ଲମ୍ବା ଲାଇନ୍ ଲାଗିଯାଇଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ପିଲାମାନେ ବର୍ଷାରେ ଛତା ଧରି ଛିଡ଼ା ହୋଇଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ ପାଣି ପଶିଯିବାରୁ ପରୀକ୍ଷାର୍ଥୀ ଓଦା ହୋଇ ପଦାକୁ ଆସିବାକୁ ପଡ଼ିଥିଲା।
ପ୍ରବେଶ ଫାଟକ ନିକଟରେ ହ୍ୟାଣ୍ଡ ସାନିଟାଇଜର ସାଙ୍ଗକୁ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯାଇଥିଲା। ପରୀକ୍ଷାର୍ଥୀଙ୍କ ତାପମାତ୍ରା ମଧ୍ୟ ମପା ଯାଇଥିଲା। ଏହାପରେ ପରୀକ୍ଷାର୍ଥୀଙ୍କୁ ସ୍କାନର ମେସିନ୍ ମାଧ୍ୟମରେ ତନତନ କରି ଯାଞ୍ଚ କରାଯାଇଥିଲା। କାଳେ ପରୀକ୍ଷାର୍ଥୀ ଶରୀର ଭିତରେ କୌଣସି ବୈଦ୍ୟୁତିକ ସାମଗ୍ରୀ ଆଣି କେନ୍ଦ୍ରକୁ ଆସିଥିବେ, ସେଥିପାଇଁ ଏଭଳି ଯାଞ୍ଚ ହୋଇଥିଲା। ଏଥର ମଧ୍ୟ ଡ୍ରେସ୍କୋଡ୍ ଉପରେ କଟକଣା ଜାରି ହୋଇଥିଲା। କେନ୍ଦ୍ର ଭିତରକୁ ଯିବା ସମୟରେ ପରୀକ୍ଷାର୍ଥୀ କେବଳ ଆଡମିଟ୍ କାର୍ଡ ଓ ପାସ୍ପୋର୍ଟ ଫଟୋ ସାଙ୍ଗରେ ନେଇଥିଲେ। ସ୍ଲିପର, ସାଣ୍ଡାଲ ଓ କମ୍ ହିଲ୍ ଥିବା ଚପଲକୁ ଛାଡ଼ି ଅନ୍ୟ ଜୋତା ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପରୀକ୍ଷା କେନ୍ଦ୍ର ବାହାରେ ଜୋତା ରଖି ପରୀକ୍ଷା ଦେବାକୁ କୁହାଯାଇଥିଲା। ସେହିପରି ପେପର, ଜ୍ୟାମିତି ବାକ୍ସ, ପ୍ଲାଷ୍ଟିକ୍ ପାଉଚ୍, କାଲକ୍ୟୁଲେଟର, ପେନ୍, ସ୍କେଲ୍, ପ୍ୟାଡ୍, ପେନ୍ଡ୍ରାଇଭ୍, ଘଣ୍ଟା, କ୍ୟାମେରା, ବ୍ରେସ୍ଲେଟ୍, ପାଣି ବୋତଲ ଭିତରକୁ ନେବା ଲାଗି ବାରଣ ହୋଇଥିଲା। ରିଙ୍ଗ, କାନଫୁଲ, ନାକଫୁଲ, କୁର୍ତା, ଚେନ୍/ନେକ୍ଲେସ୍, ପଦକ, ପିନସ୍, ବେଲ୍ଟ ଟୋପି ପିନ୍ଧି ଥିବା ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ଯେଉଁଥିପାଇଁ ସେମାନେ ଅଭିଭାବକଙ୍କୁ ଉକ୍ତ ସାମଗ୍ରୀ ଧରାଇ ଭିତରକୁ ପ୍ରବେଶ କରିଥିଲେ। ପ୍ରବେଶ ପଥ ନିକଟରେ ଯାଞ୍ଚ ପରେ ହଲ୍ ଭିତରକୁ ପ୍ରବେଶ ସମୟରେ ଆଉ ଥରେ ଯାଞ୍ଚ କରାଯାଇଥିଲା। ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ପରୀକ୍ଷାର୍ଥୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଥିଲା।