ମାସ ବଢ଼ିଲେ ମୃତକ ବଢ଼ୁଛନ୍ତି: ୬ ମାସରେ ୧୦୫ଜଣ ମଲେଣି, ସେପ୍ଟେମ୍ବରରେ ସବୁଠୁ ଅଧିକ ୫୧ ମୃତ

ଅକ୍ଟୋବର ୬ ଦିନରେ ୧୨ ମୁଣ୍ଡ ଗଡ଼ିଲାଣି, ଜୁଲାଇ ମାସରେ ଯେତିକି, ଅକ୍ଟୋବର ୬ ଦିନରେ ତା’ଠୁ ଅଧିକ

ଭୁବନେଶ୍ବର: ରାଜ୍ୟର ପ୍ରଥମ କରୋନା ହଟ୍‌ସ୍ପଟ୍‌ ସହର ଥିଲା ଭୁବନେଶ୍ବର। ସବୁଠୁ ଅଧିକ ଆକ୍ରାନ୍ତ ଏଠାରୁ ଚିହ୍ନଟ ହେଉଥିଲେ। ଯେଉଁ କେତେଜଣ କରୋନାରେ ପ୍ରାଣ ହରାଉଥିଲେ, ସେମାନେ ଭୁବନେଶ୍ବରର ବାସିନ୍ଦା ଥିଲେ। କରୋନାରେ ଆକ୍ରାନ୍ତ ହୋଇ ମରନ୍ତୁ କି କରୋନା ସହିତ ଆଉ କୌଣସି ରୋଗରେ ମରନ୍ତୁ, ସମସ୍ତେ ଭୁବନେଶ୍ବରର ଥିଲେ। ତେଣୁ ଜୁନ୍‌ ମାସ ପର୍ଯ୍ୟନ୍ତ ଭୁବନେଶ୍ବର ନାଁ ଶୁଣିଲେ ଲୋକ ଡରୁଥିଲେ। ଜୁନ୍‌ ୩୦ ସୁଦ୍ଧା ଭୁବନେଶ୍ବରରେ ୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ୬ ମାସରେ ୧୦୫ ଜଣଙ୍କ ମୃତ୍ୟୁ ହେଲାଣି। କିନ୍ତୁ ଜୁନ୍‌ ମାସର ଭୟ ଆଉ ଲୋକଙ୍କ ମନରେ ନାହିଁ। ମାସ ଯେତିକି ଗଡ଼ୁଛି, କରୋନା ଜନିତ ମୃତକଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ୁଛି। ଏବେ ଯେଉଁ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ୫୧ ଜଣଙ୍କ ମୃତ୍ୟୁ କେବଳ ସେପ୍ଟେମ୍ବର ମାସରେ ହୋଇଛି। ଆଶ୍ଚର୍ଯ୍ୟର ବିଷୟ, ଅକ୍ଟୋବରର ପ୍ରଥମ ୬ ଦିନରେ ଯଦିଓ ସେପ୍ଟେମ୍ବରର ପ୍ରଥମ ୬ଦିନ ଭଳି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, କିନ୍ତୁ ୧୨ଜଣ ମରି ସାରିଲେଣି।

ସରକାରୀ ରେକର୍ଡ ଅନୁଯାୟୀ, ସେପ୍ଟେମ୍ବରର ପ୍ରଥମ ୫ଦିନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ଦୁଇଗୁଣାରୁ ଅଧିକ ଅକ୍ଟୋବରରେ ମଲେଣି। ଚକିତ କଲା ଭଳି କଥା ହେଲା, ଜୁଲାଇ ମାସରେ ୧୧ଜଣ ମରିଥିବା ବେଳେ ଗତ ୬ ଦିନରେ ୧୨ଜଣ ମଲେଣି। ଆର୍ଏମ୍‌ଆର୍‌ସି ଓ ବିଏମ୍‌ସିର ଆକଳନ ଅନୁଯାୟୀ, ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ସମ୍ଭାବନା କମ୍‌। ଏହି ଆକଳନ ଅନୁଯାୟୀ, ମୃତ୍ୟୁ ସଂଖ୍ୟାକୁ ହିସାବ କଲେ ଅକ୍ଟୋବର ବିପଜ୍ଜନକ ସାଜିପାରେ। ୬ ଦିନରେ ୧୨ଜଣ ମରିଥିବାରୁ ଏହି ହାରରେ ମୃତ୍ୟୁ ହେଲେ ନଭେମ୍ବର ୧ ପୂର୍ବରୁ ରାଜଧାନୀରେ ଆଉ ୬୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିବ। ମା‌ସ ବଢ଼ିଲେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେହିପରି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁନ୍‌ ୩୦ସୁଦ୍ଧା ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁଲାଇ ୩୧ ବେଳକୁ ୨୭୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୮୫ଜଣ ଚିକିତ୍ସିତ ଥିଲେ। କିନ୍ତୁ ମାସକରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ମାସ ଶେଷକୁ ରାଜଧାନୀର ମୋଟ୍‌ କରୋନା ଜନିତ ମୃତ୍ୟୁ ୧୫କୁ ଛୁଇଁ ଯାଇଥିଲା। ଅଗଷ୍ଟ ମାସରେ କଟକଣା କୋହଳ ହୋଇଥିଲା। କିନ୍ତୁ ଏହା ରାଜଧାନୀ ପାଇଁ ଭାରି ପଡ଼ିଥିଲା। ଅଗଷ୍ଟରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ଅଗଷ୍ଟରେ କେବଳ ୭୬୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି‌ଲେ। ଆକ୍ରାନ୍ତ ଯେଉଁ ହାରରେ ବଢ଼ିଥି‌ଲେ, ମୃତକ ବି ସେହି ହାରରେ ବଢ଼ିଥିଲେ। ଏହି ମାସରେ ୨୭ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ ୩୧ ବେଳକୁ ରାଜଧାନୀରେ କରୋନା ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚି ଯାଇଥିଲା। ସେତେବେଳ ସୁଦ୍ଧା ରାଜଧାନୀରେ ୧୦୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୩୮ଜଣ ଚିକିତ୍ସାଧୀନ ଥିଲେ।

ଅଗଷ୍ଟକୁ ବଳିଗଲା ସେପ୍ଟେମ୍ବର। ସବୁ ଆକଳନ, ସବୁ କଟକଣାକୁ ମାତ୍‌ ଦେଇଦେଲା ଏହି ମାସ। କେବଳ ଭୁବନେଶ୍ବରରେ ସରକାରୀ ରେକର୍ଡ ଅନୁଯାୟୀ, ୫୧ଜଣଙ୍କ କରୋନାରେ ମୃତ୍ୟୁ ହେଲା। ଯାହା ମୃତକଙ୍କ ସଂଖ୍ୟାକୁ ୯୩ରେ ପହଞ୍ଚାଇଦେଲା। ଏହି ମାସରେ କେବଳ ୧୧୪୭୦ଜଣ ଆକ୍ରାନ୍ତ ଭୁବନେଶ୍ବରରେ ଚିହ୍ନଟ ହୋଇଗଲେ। ଆକ୍ରାନ୍ତଙ୍କ ସଂଖ୍ୟା ୨୧୮୯୫ରେ ପହଞ୍ଚିଥିବା ବେଳେ ୩୫୩୭ଜଣ ଚିକିତ୍ସାଧୀନ ଥିଲେ। ଅକ୍ଟୋବର ମାସ ଯେ ସବୁ ମାସର କରୋନା ଅଙ୍କକୁ ମାତ୍‌ ଦେଇଦେବ, ତାହା ପ୍ରଥମ ୬ ଦିନରୁ ଜଣାପଡ଼ି ଗଲାଣି। ଏହି ୬ଦିନରେ ୨ହଜାରରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା‌ ବେଳେ ୧୨ଜଣଙ୍କର ମୃତ୍ୟୁ ହେଲାଣି, ଯାହା ଚିନ୍ତାର ବିଷୟ ପାଲଟିଲାଣି। ମାସ ବଢ଼ିବା ସହ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଏନେଇ ରାଜ୍ୟ ସରକାର ଚିନ୍ତା କରିବାର ସମୟ ଆସିଛି। ପ୍ଲାଜ୍‌ମା ଥେରାପି କାମ ଦେଉଛି ନା ନାହିଁ। ଯଦି କାମ ଦେଉଛି, ତେବେ ମୃତ୍ୟୁ ସଂଖ୍ୟା କାହିଁକି ବଢ଼ୁଛି। ଏବେ କ’ଣ ପୂର୍ବଭଳି କରୋନା ଆକ୍ରାନ୍ତଙ୍କୁ ଅନ୍ୟ ରୋଗର ଚିକିତ୍ସା କରାଯାଉନି? ଆକ୍ରାନ୍ତଙ୍କର କ’ଣ ହସ୍ପିଟାଲରେ ଗୁଣାତ୍ମକ ଚିକିତ୍ସା ହେଉନି? ଏହିଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠିଲାଣି।

ଏବେ ଦିନକୁ ହାରାହାରି ୩୧୮ ଆକ୍ରାନ୍ତ ହେଉଛନ୍ତି
ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ପ୍ଲାଟୋ ସ୍ଥିତିରେ ଅଛି। ଶିଖରରୁ ଖସିବା ପରେ ଏବେ ସ୍ଥିର ଅବସ୍ଥାରେ ଚାଲିଛି। ଆଗକୁ ଏହା କମିବ। କିନ୍ତୁ କେବେ କମିବ, ତାହା କେହି ନିର୍ଦ୍ଦିଷ୍ଟ ଭାବେ କହୁ ନାହାନ୍ତି। ଗତ ୨୩ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ ୪୦୦ ମଧ୍ୟରେ ରହୁଛି। ଏହି ୨୩ ଦିନରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟାକୁ ହିସାବ କଲେ ଦିନକୁ ହାରହାରି ୩୧୮ଜଣ ନୂଆ ଆକ୍ରାନ୍ତ ବାହାରୁଛନ୍ତି। ସେପ୍ଟେମ୍ବର ୨ରେ ୫୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୩ରେ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ରାଜଧାନୀରେ ସର୍ବାଧିକ। ଏତିକି ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କ ମନରେ ଭୟ ଖେଳି ଯାଇଥିଲା। ଭୁବନେଶ୍ବର ଶିଖରରେ ଅଛି ବୋଲି କୁହାଯାଇଥିଲା। ଏହାର ପ୍ରାୟ ୧୦ଦିନ ପରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ସେପ୍ଟେମ୍ବର ୧୩ ପରଠାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ୪୦୦ ଟପିନି। ଅଧିକାଂଶ ଦିନ ୩୫୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ପ୍ରକୃତରେ କରୋନାରେ କେତେ ମରୁଛନ୍ତି?
ଏବେ ସୁଦ୍ଧ‌ା ସମସ୍ତଙ୍କ ଚିହ୍ନା ପରିଚିତରେ କେହି ନା କେହି କରୋନାରେ ମଲେଣି। ସବୁ ପରିବାରରେ କରୋନା ନେଇ ଭୟ ଛାଇଯାଇଛି। ଏମିତିକି ଗୋଟିଏ ଗୋଟିଏ ପରିବାରରୁ ଦୁଇରୁ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଗଲାଣି। ଯାହାକୁ ପଚାରିବ, ସେ କହୁଛି ଆମର ଜଣେ ସମ୍ପର୍କୀୟଙ୍କର କରୋନାରେ ମୃତ୍ୟୁ ହୋଇଗଲା। କିଏ କହୁଛି କିଛି ନଥିଲା, ହଠାତ୍‌ ନିଶ୍ବାସପ୍ରଶ୍ବାସ ବନ୍ଦ ହୋଇଗଲା ତ କିଏ କହୁଛି ହସ୍ପିଟାଲରେ ଉଚିତ ଚିକିତ୍ସା କଲେନି ବୋଲି ମରିଗଲେ। ଏମିତିରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିକି ଯାହାର କେହି କରୋନାରେ ମରିଯାଉଛନ୍ତି, ସେ ତା’ର କିଛି ଦିନ ପର୍ଯ୍ୟନ୍ତ ସରକାରଙ୍କ କରୋନା ମୃତ୍ୟୁ ତାଲିକା ଦେଖୁଛନ୍ତି। ହେଲେ କେଉଁଥିରେ ମଲେ କିଛି ଜାଣି ପାରୁନାହାନ୍ତି। ମଲା ବେଳେ କରୋନାରେ ମରିଛନ୍ତି ବୋଲି କହୁଛନ୍ତି। କିନ୍ତୁ କରୋନା ମୃତକଙ୍କ ତାଲିକାରେ ନାଁ ଆସୁନି। ଏନେଇ ପଚାରିଲେ ଉତ୍ତର ମିଳୁଛି କରୋନାରେ ସିନା ମଲେ, ଅନ୍ୟ ରୋଗ ଥିଲା। ଏହାପରେ ଯାହାର ନିଜର କେହି ମରିଥିବ ସେ ବା କ’ଣ ଆଉ କହିପାରିବ? ସତ୍ୟନଗର ଶ୍ମଶାନରେ ୧୬୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ହୋଇ ସାରିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କର ଶବ ସତ୍କାର ହେଉଛି। କିନ୍ତୁ ସରକାରୀ ହିସାବରେ ଆଜି ସୁଦ୍ଧା ୯୨୪ଜଣଙ୍କର ମୃତ୍ୟୁ ହୋଇଛି। ପ୍ରକୃତରେ କରୋନାରେ କେତେ ମଲେଣି, ତାହା ଏବେ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର