ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କ ମନମାନି ଯୋଗୁଁ ହସ୍ପିଟାଲରେ ପଡ଼ି ରହୁଛନ୍ତି ଗୁରୁତର ରୋଗୀ। ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇପାରୁନି। ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଛାଡ଼ି ସେମାନଙ୍କ ଦାୟିତ୍ବ ସରିଗଲା ବୋଲି ଭାବି ଚାଲି ଯାଉଛନ୍ତି। ଏଣେ ରୋଗୀଙ୍କ ପରିଜନ କେହି ନଥିବାରୁ ଓ ସେମାନଙ୍କ ପରିଚୟ ମିଳିନଥିବାରୁ ଚିକିତ୍ସାରେ ବିଳମ୍ବ ହେଉଛି। ଯଦି ଚିକିତ୍ସାରେ ବିଳମ୍ବ ଯୋଗୁଁ କୌଣସି ଆହତଙ୍କ ମୃତ୍ୟୁ ଘଟେ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ନିୟମ ଅନୁସାରେ କ୍ୟାପିଟାଲ ହସ୍ପିଟାଲ୍‌କୁ ୧୦୮ ଆମ୍ବୁଲାନ୍ସରେ ଆସୁଥିବା ଅଚିହ୍ନା ଗୁରୁତର ଆହତଙ୍କ ଆଡମିସନ ଠାରୁ ଚିକିତ୍ସା, ବ୍ୟାଣ୍ଡେଜ୍ ପର୍ଯ୍ୟନ୍ତ ଶେଷରେ ଏମଏଲସି ହେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ଉପସ୍ଥିତ ରହିବେ। ସେଠାରେ ନିଯୁକ୍ତ ସଂସ୍ଥାକୁ ରୋଗୀଙ୍କୁ ହସ୍ତାନ୍ତର କରିବେ। ପରେ ସଂସ୍ଥାର କର୍ମଚାରୀ ସଂପୃକ୍ତ ରୋଗୀଙ୍କୁ ବିଭିନ୍ନ ବିଭାଗକୁ ନେଇଥାନ୍ତି। କିନ୍ତୁ କିଛି ୧୦୮ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ଏହି ନିୟମ ପାଳନ କରୁନାହାନ୍ତି। ଦୁର୍ଘଟଣାର ଶିକାର ହୋଇ ଆସୁଥିବା ଆହତମାନଙ୍କୁ ଚିକିତ୍ସା ନ କରି କାଜୁଆଲିଟି ସମ୍ମୁଖରେ ମୁର୍ମୂଷ ଅବସ୍ଥାରେ ଛାଡ଼ି ଚାଲିଯାଉଛନ୍ତି। ଆଉ କିଛି କେବଳ ଏମଏଲସି କରି ଚାଲି ଯାଉଥିବା ଅଭିଯୋଗ ହୋଇଛି। ଫଳରେ ଆହତଙ୍କ ଚିହ୍ନଟ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡୁଛି। ରୋଗୀ ସୁସ୍ଥ ହେଲେ ତା’ ଠାରୁ ସୂଚନା ମିଳୁଛି ନଚେତ ରୋଗୀ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ କିମ୍ବା ମୃତ୍ୟୁବରଣ କଲେ ମୃତ ବ୍ୟକ୍ତିଙ୍କ ପରିବାରକୁ ସୂଚନା ଦିଆଯାଇ ପାରୁନାହିଁ। ଏହା ସହ କାଜୁଆଲିଟି ସମ୍ମୁଖରେ ଦୀର୍ଘ ସମୟ ଧରି ପଡ଼ିରହି ଯଦି ରୋଗୀର ମୃତ୍ୟୁ ହୁଏ ତେବେ ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପରିସରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥାନ୍ତି। ହସ୍ପିଟାଲ କର୍ମଚାରୀଙ୍କ ସୂଚନା ଅନୁସାରେ କିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଣୁଥିବା ସାମାନ୍ୟ ଆହତଙ୍କୁ କାଜୁଆଲିଟି ସମ୍ମୁଖରେ ଦାୟିତ୍ଵରେ ଥିବା ସଂସ୍ଥାକୁ ଜଣାଇ ଚାଲି ଯାଆନ୍ତି। କିନ୍ତୁ ସଂସ୍ଥାର କର୍ମଚାରୀ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ରୋଗୀ ଚିକିତ୍ସାରେ ବିଳମ୍ବ ହୋଇଥାଏ। ଯଦି ସଂପୃକ୍ତ ଆହତ ଗୁରୁତର ହୋଇଯାଆନ୍ତି କିମ୍ବା ମୃତ୍ୟୁବରଣ କରନ୍ତି ତେବେ ପରିବାର ଲୋକ କାଜୁଆଲିଟି କର୍ମଚାରୀ କିମ୍ବା ଡାକ୍ତରଙ୍କ ଉପରେ ଦୋଷାରୋପ କରିଥାନ୍ତି। ସେହିପରି କିଛି ଲୋକ ମଧ୍ୟ ଗୁରୁତର ରୋଗୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି କାଜୁଆଲିଟି ସମ୍ମୁଖରେ ପଡିଥିବା ଷ୍ଟ୍ରେଚର୍ ଉପରେ ଶୁଆଇ ଚାଲିଯାଉଛନ୍ତି। ସେମାନଙ୍କ ବାବଦରେ କିଛି ସୂଚନା ନଥିବାରୁ ଚିକିତ୍ସା କରିବାରେ ବିଳମ୍ବ ହୋଇଥାଏ।

କିଛି ଦିନ ତଳେ ରାତି ପ୍ରାୟ ୧୧.୩୦ରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦୁର୍ଘଟଣାରେ ଆହତ ଜଣେ ଅଚିହ୍ନା ମହିଳାଙ୍କୁ ନୂଆପଲ୍ଲୀ ଅଞ୍ଚଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ମହିଳାଙ୍କ ସହ ଥିବା ଶିଶୁ ପୁତ୍ର ମଧ୍ୟ ସାମାନ୍ୟ ଆହତ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କାଜୁଆଲିଟି ସମ୍ମୁଖରେ ପଡ଼ିରହିଥିଲେ ସୁଦ୍ଧା ତାଙ୍କ ଚିକିତ୍ସା କରାଯାଇନଥିଲା। ସେହିଭଳି ସେହିଦିନ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା। କିନ୍ତୁ ସେ ମଧ୍ୟ ସମାନ ଭାବେ ଷ୍ଟ୍ରେଚର୍‌ରେ କାଜୁଆଲିଟି ସମ୍ମୁଖରେ ଦୀର୍ଘ ସମୟ ଧରି ପଡ଼ି ରହିଥିଲେ। ଆମ୍ବୁଲାନ୍ସରେ ଆସିବାର ୧୦-୧୫ ମିନିଟ ପରେ ପରିବାର ଲୋକ ଆସି ହସ୍ପିଟାଲ ପରିସରରେ ପାଟିତୁଣ୍ଡ କରିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ଯଦି ଚିକିତ୍ସାରେ ବିଳମ୍ବ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥା’ନ୍ତା ଏଥିପ୍ରତି ଦାୟୀ କିଏ ରହିଥାନ୍ତା? ଏସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇପାରି ନାହିଁ।