ପିଛା ଛାଡ଼ୁନି ବିବାଦ

୧୦୮ ଆମ୍ବୁଲାନ୍‌ସକୁ ୫ବର୍ଷ

ଭୁବନେଶ୍ୱର: ରାଜ୍ୟରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବାକୁ ୫ବର୍ଷ ପୂରିଛି। ୨୦୧୩ ମସିହା ମାର୍ଚ ୫ତାରିଖରେ ରାଜ୍ୟରେ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଭିତରେ ୧୮ଲକ୍ଷରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି। ଏହାସହ ଗର୍ଭବତୀ ମହିଳାଙ୍କ ପାଇଁ ଚାଲୁଥିବା ୧୦୨ରେ ୧୦୮ ଆମ୍ବୁଲାନ୍‌ସଠାରୁ ଅଧିକ ମହିଳା ଓ ଶିଶୁ ସେବା ପାଇସାରିଲେଣି। ଏସବୁ ସତ୍ୱେ ବିବାଦ ୧୦୮ ଆମ୍ବୁଲାନ୍‌ସର ପିଛା ଛାଡ଼ୁନି। ଆମ୍ବୁଲାନ୍‌ସ କର୍ମଚାରୀ ରୋଗୀଙ୍କୁ ଟଙ୍କା ମାଗିବା ଅଭିଯୋଗଠାରୁ ଆରମ୍ଭ କରି କଣ୍ଟ୍ରୋଲ ସେଣ୍ଟର୍‌କୁ ହୋକ୍ସ କଲ୍‌ ଆସିବା ଏବେ ବି ଜାରି ରହିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୪୪୪ଟି ୧୦୮ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି। ପୂର୍ବରୁ ରାଜ୍ୟରେ ୪୨୦ଟି ଆମ୍ବୁଲାନ୍‌ସ ଚାଲୁଥିବା ବେଳେ ଗତବର୍ଷ ଡିସେମ୍ବରରେ ୨୪ଟି ନୂଆ ଆମ୍ବୁଲାନ୍‌ସ ସାମିଲ ହୋଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ଆମ୍ବୁଲାନ୍‌ସ ଏଥିରେ ସାମିଲ ହେବ। ଏବେ କାର୍ଯ୍ୟ କରୁଥିବା ଆମ୍ବୁଲାନ୍‌ସ ମଧ୍ୟରୁ ୩୮୮ଟି ବିଏଲ୍‌ସ ଆମ୍ବୁଲାନ୍‌ସ ହୋଇଥିବା ବେଳେ ୫୬ଟି ଅତ୍ୟାଧୁନିକ ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ରହିଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫ଟି ୧୦୮ ଆମ୍ବୁଲାନ୍‌ସ ଚାଲୁଛି। ଏହା ପଛକୁ ବାଲେଶ୍ୱରରେ ୨୭, ସୁନ୍ଦରଗଡ଼ ଓ କଟକରେ ୨୬, ମୟୂରଭଞ୍ଜରେ ୨୫, ଖୋର୍ଧାରେ ୨୩ ଓ ପୁରୀ ଜିଲ୍ଲାରେ ୨୦ଟି ଆମ୍ବୁଲାନ୍‌ସ ରହିଛି। ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍‌ ୩ଟି ଆମ୍ବୁଲାନ୍‌ସ ଚାଲୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ୪ଟି, ଗଜପତି, ଝାରସୁଗୁଡ଼ା, ମାଲକାନାଗରି ଓ ନୂଆପଡ଼ା ଜିଲ୍ଲାରେ ୬ଟି ଲେଖାଏଁ ଆମ୍ବୁଲାନ୍‌ସ ରହିଛି। ୨୦୧୩ ମାର୍ଚ ୫ତାରିଖରୁ ଚଳିତବର୍ଷ ଜୁଲାଇ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୮ଲକ୍ଷ ୩୫ହଜାର ୯୩୪ଜଣ ୧୦୮ ଆମ୍ବୁଲାନ୍‌ସ ସେବା ପାଇଛନ୍ତି। ସେହିପରି ୨୦୧୪ ଜୁଲାଇ ୧୨ତାରିଖରୁ ଚଳିତବର୍ଷ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ୧୮ଲକ୍ଷ ୫୨ହଜାର ୩୦୯ଜଣ ଗର୍ଭବତୀ ମହିଳା ଓ ଶିଶୁ ୧୦୨ ଆମ୍ବୁଲାନ୍‌ସର ସେବା ପାଇ ପାରିଛନ୍ତି। ଅପରପକ୍ଷରେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ୧୦୮ ଆମ୍ବୁଲାନ୍‌ସରେ ଗର୍ଭବତୀ ମହିଳାଙ୍କୁ ସେବା ଦିଆଯାଇଥିବା କର୍ତୃପକ୍ଷ କହିଛନ୍ତି। ସେବା ଆରମ୍ଭରୁ ଚଳିତବର୍ଷ ମେ’ମାସ ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍‌ସରେ ୨ଲକ୍ଷ ୮୩ହଜାର ୨୭୪ଜଣ ଗର୍ଭବତୀ ମହିଳା ଏହି ସେବାରେ ଉପକୃତ ହୋଇଛନ୍ତି।

ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଇବା ସତ୍ୱେ ୧୦୮ ଆମ୍ବୁଲାନ୍‌ସର ବିବାଦ ପିଛା ଛାଡ଼ୁନାହିଁ। ବିଶେଷକରି ଘଟଣାସ୍ଥଳରେ ଆମ୍ବୁଲାନ୍‌ସ ପହଞ୍ଚିବାକୁ ନେଇ ଅନେକ ଅସନ୍ତୁଷ୍ଟ ଥିବା ଅଭିଯୋଗ ହେଉଛି। ୧୦୮ ଆମ୍ବୁଲାନ୍‌ସ କୌଣସି ସ୍ଥାନରେ ପହଞ୍ଚିବାକୁ ନେଇ ସମୟ ଧାର୍ଯ୍ୟ କରାଯାଇଛି। ସହରାଞ୍ଚଳରେ ୨୦ମିନିଟ୍‌, ଅର୍ଧ ସହରାଞ୍ଚଳରେ ୨୫ମିନିଟ୍‌ ଓ ଗ୍ରାମାଞ୍ଚଳରେ ୩୫ମିନିଟ୍‌ ଧାର୍ଯ୍ୟ କରାଯାଇଛି। ଏହା ସତ୍ୱେ ୧୦୮ ଆମ୍ବୁଲାନ୍‌ସ ଧାର୍ଯ୍ୟ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚୁ ନ ଥିବା ଅଭିଯୋଗ ଜାରି ରହିଛି। ସହରାଞ୍ଚଳକୁ ବାଦ୍‌ ଦେଲେ ଆଦିବାସୀ ଅଞ୍ଚଳରେ ୧୦୮ ଆମ୍ବୁଲାନ୍‌ସକୁ ନେଇ ମଧ୍ୟ ସମାନ ଅଭିଯୋଗ ହେଉଛି।

ମାତ୍ର ଆମ୍ବୁଲାନ୍‌ସ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। କର୍ତୃପକ୍ଷଙ୍କ କହିବାନୁଯାୟୀ, ଗ୍ରାମାଞ୍ଚଳରେ ମୋବାଇଲ ନେଟଓ୍ଵର୍କ ଠିକ୍‌ରେ ଆସୁ ନ ଥିବାରୁ ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପୋଜିସନ୍‌ ବା ସ୍ଥିତି ଜଣା ପଡ଼ୁନାହିଁ। ଯାହାଫଳରେ କେତେବେଳେ ଆମ୍ବୁଲାନ୍‌ସ ପହଞ୍ଚିପାରୁ ନାହିଁ ତ ଆଉ କେତେବେଳେ ବିଳମ୍ବରେ ପହଞ୍ଚୁଛି। ଏହାସହ ଆମ୍ବୁଲାନ୍‌ସ କର୍ମଚାରୀ ଅନେକ ସମୟରେ ରୋଗୀଙ୍କୁ ଲାଞ୍ଚ ମାଗିବା ଭଳି ଘଟଣା ମଧ୍ୟ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସକୁ ବିବାଦକୁ ଟାଣି ନେଇଛି। ଗତ ୪ବର୍ଷ ମଧ୍ୟରେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ଲାଞ୍ଚ ମାଗିବା ଭଳି ୯୮ଟି ମାମଲା ରୁଜୁ ହୋଇଛି। ତେବେ ଚଳିତବର୍ଷ ଏଥିପାଇଁ କେତେକ ମାମଲା ରୁଜୁ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ କେତେ ଜଣ କର୍ମଚାରୀଙ୍କ ଉପରେ ମଧ୍ୟ କମ୍ପାନି କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ଚଳାଉଥିବା ଚିକିତ୍ସା ହେଲ୍‌ଥ କେୟାର କମ୍ପାନି ସହିତ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟ ବିବାଦ ଲାଗି ରହିଛି। ଅନେକ ସମୟରେ କର୍ମଚାରୀମାନେ ଧାରଣାକୁ ଓହ୍ଲାଇବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦିଆଯାଉ ନ ଥିବା ଓ ଆବଶ୍ୟକ ଅନ୍ୟାନ୍ୟ ସୁବିଧା ମିଳୁ ନ ଥିବା ନେଇ ସେମାନେ ସ୍ୱର ଉଠାଇଛନ୍ତି। ପ୍ରତିବର୍ଷ ଏଭଳି ଘଟଣାକୁ ନଜରକୁ ଆସୁଛି। ଏହାସତ୍ୱେ ୧୦୮ ଆମ୍ବୁଲାନ୍‌ସ ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

ସମ୍ବନ୍ଧିତ ଖବର