ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନରେ ଥିବା ଭିଙ୍ଗାରପୁର, ସରକଣା ଓ ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଦୀର୍ଘ ୧୫ ଦିନ ହେଲା ୧୦୮ ଆମ୍ବୁଲାନ୍ସ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ହଇରାଣ ହେଉଛନ୍ତି। ଉପଯୁକ୍ତ ଆମ୍ବୁଲାନ୍ସ ସେବା ମିଳୁ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଲୋକେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଓ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଆମ୍ବୁଲାନ୍ସ ସେବା ମିଳୁ ନଥିବାରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ୍ରେ ପହଞ୍ଚାଇବାରେ ସମସ୍ୟା ହେଉଛି। ଅନ୍ୟ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ରୋଗୀମାନଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇପଡୁଛି। କେତେକ କ୍ଷେତ୍ରରେ ରୋଗୀଙ୍କ ମୃତ୍ୟୁ ହୋଇଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଏପରିକି ଗର୍ଭବତୀ ମହିଳା ରାସ୍ତାରେ ପିଲା ଜନ୍ମ ଦେବାର ଉଦାହରଣ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। କିଛିଦିନ ତଳେ ରଣପୁର ଗ୍ରାମ ପିଇବା ପାଣି ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ମହିଳା ପିଲା ଜନ୍ମ ଦେଇଥିଲେ। ଗ୍ରାମବାସୀମାନେ ପ୍ରସୂତି ମହିଳା ଓ ସଦ୍ୟଜାତ ପୁତ୍ର ସନ୍ତାନକୁ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଡ଼ି ପହଞ୍ଚି ନପାରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଲୋକେ ଅଟୋରେ ମହିଳାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ କହିବାନୁଯାୟୀ ବିଏମ୍ସି ପକ୍ଷରୁ ଏଠାକୁ ଯୋଗାଇ ଦିଆଯାଇଥିବା ଗାଡ଼ି ସହିତ ଅନ୍ୟ ଗାଡ଼ିଟି ମଧ୍ୟ ଖରାପ ହୋଇଯାଇଛି। ଏହା ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଗାଡ଼ି ଦୁଇଟି ସଜଡ଼ା ଯାଇପାରିନି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ବରେ ଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ କ୍ଷମାନିଧି ସେଠୀଙ୍କୁ ପଚାରିବାରେ ଏନେଇ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/108.jpg)