ଲକ୍‌ଡାଉନ୍‌ରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ : କେବଳ ରୋଗୀ ହିଁ ପାଇଛନ୍ତି ସେବା

ଭୁବନେଶ୍ବର : ଗତ ମାର୍ଚ ୨୫ତାରିଖରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଲୋକମାନେ ଘରେ ରହିଥିଲେ ହେଁ, ଆମ୍ବୁଲାନ୍‌ସ ସେବା ଜାରି ରହିଛି। ଗତ ୨ମାସ ଭିତରେ ୧୦୮ ଆମ୍ବୁଲାନ୍‌ସ ଜରିଆରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଲୋକ ସୁବିଧା ପାଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରେ ୧୦୨ ଆମ୍ବୁଲାନ୍‌ସ ସର୍ବାଧିକ ସେବା ଯୋଗାଇବାରେ ସଫଳ ହୋଇଛି। ମାତ୍ର ଲକ୍‌ଡାଉନ୍‌ ଯୋଗୁଁ ୧୦୮ ଆମ୍ବୁଲାନ୍‌ସରେ ଦୁର୍ଘଟଣାରେ ଆକ୍ରାନ୍ତ ରୋଗୀଙ୍କ ଅପେକ୍ଷା ଅନ୍ୟ ରୋଗରେ ଆକ୍ରାନ୍ତ ଲୋକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍‌ସରେ ମାର୍ଚ ମାସରେ ମୟୂରଭଞ୍ଜ ଜିଲ୍ଲାରେ ୪୫୭୧, ଏପ୍ରିଲରେ ୪୧୯୬ଜଣ ହସ୍ପିଟାଲକୁ ଯାଇଛନ୍ତି। ଜିଲ୍ଲାରେ ୩୪ଟି ଆମ୍ବୁଲାନ୍‌ସ ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ପଛକୁ କଟକ ଜିଲ୍ଲା ରହିଛି। ଏଠାରେ ମାର୍ଚରେ ୩୯୨୩ ଓ ଏପ୍ରିଲରେ ୩୬୦୭ ଓ ଖୋର୍ଧା ଜିଲ୍ଲାରେ ମାର୍ଚରେ ୩୮୯୯ ଓ ଏପ୍ରିଲରେ ୩୫୫୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। କଟକ ଓ ଖୋର୍ଧା ଜିଲ୍ଲାରେ ଯଥାକ୍ରମେ ୨୬ ଓ ୨୩ଟି ଆମ୍ବୁଲାନ୍‌ସ ରହିଛି।

ସେହିପରି ୧୦୨ ଆମ୍ବୁଲାନ୍‌ସ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ୧୦୨ ଆମ୍ବୁଲାନ୍‌ସର ସର୍ବାଧିକ ସେବା ଅନୁଗୁଳ ଜିଲ୍ଲାବାସୀ ପାଇଛନ୍ତି। ଏଠାରେ ମାର୍ଚ ମାସରେ ୧୩୧୧ଜଣ ଓ ଏପ୍ରିଲରେ ୧୪୮୯ଜଣଙ୍କୁ ସେବା ମିଳିଛି। ଅନୁଗୁଳ ଜିଲ୍ଲାରେ ୧୬ଟି ଆମ୍ବୁଲାନ୍‌ସ ରହିଛି। ବାଲେଶ୍ବର ଜିଲ୍ଲାରେ ମାର୍ଚରେ ୨୯୪୨ ଓ ଏପ୍ରିଲରେ ୩୩୫୭ଜଣ ଓ ବରଗଡ଼ ଜିଲ୍ଲାରେ ମାର୍ଚରେ ୧୪୪୪ ଓ ଏପ୍ରିଲରେ ୧୫୪୮ଜଣଙ୍କୁ ସେବା ମିଳିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୨୯ ଓ ୧୫ଟି ୧୦୨ ଆମ୍ବୁଲାନ୍‌ସ ରହିଛି।
ତେବେ ଲକ୍‌ଡାଉନ୍‌ କାରଣରୁ ଲୋକମାନେ ବାହାରକୁ ବାହାରି ନ ଥିବା ଦୁର୍ଘଟଣା ଯଥେଷ୍ଟ କମ୍ ହୋଇଛି। ପୂର୍ବରୁ ୧୦୮ ଆମ୍ବୁଲାନ୍‌ସରେ ଦୁର୍ଘଟଣାର ଶିକାର ହୋଇଥିବା ଆକ୍ରାନ୍ତମାନଙ୍କୁ ଅଧିକ ସଂଖ୍ୟାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଏଥର କିନ୍ତୁ ସଂପୂର୍ଣ୍ଣ ଓଲଟା ରହିଛି। ଡାକ୍ତରଖାନାକୁ ଯିବା ପାଇଁ ଚାହୁଁଥିବା ଅଧିକାଂଶ ଲୋକ ଆମ୍ବୁଲାନ୍‌ସର ସହାୟତା ନେଇଥିବା ସୂଚନା ମିଳିଛି। ତେଣୁ ସାଧାରଣ ଥଣ୍ଡା ଜ୍ବର ଭଳି ରୋଗରେ ପୀଡ଼ିତ ରୋଗୀମାନେ ମଧ୍ୟ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍ କରି ହସ୍ପିଟାଲକୁ ଯିବା ପାଇଁ ନିବେଦନ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର