୧୦ମ ଆର୍ଯ୍ୟ ପୁରସ୍କାର ଉତ୍ସବ: ସମ୍ବର୍ଧିତ ହେଲେ ୧୮ମହିଳା

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ୧୦ମ ଆର୍ଯ୍ୟ ପୁରସ୍କାର ଆଜି ହୋଟେଲ୍‌ ମେ’ଫେୟାର୍‌ କନଭେନସନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମ୍ୟାଁମାର୍‌ ରାଷ୍ଟ୍ରଦୂତ କ୍ୟାୱା ଅନ୍ବଗ୍‌ ଉଦ୍‌ଘାଟନ କରିଥିଲେ। ନାରୀ ସଶକ୍ତୀକରଣ ଦିଗରେ ପରିଚୟ ଫାଉଣ୍ଡେସନ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ଗୁରୁ ଗୀତା ଚନ୍ଦ୍ରମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତନାଟ୍ୟମ୍‌ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ପ୍ରେରଣାଦାୟୀ ବକ୍ତା ଅମିତ୍ ପାଣ୍ଡେ, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ୧୮ ମହିଳା ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜସେବା ପାଇଁ ମାତିଦା କୁଲୁ ଓ ହରପ୍ରିୟା ନାୟକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶିକ୍ଷା ପାଇଁ ପଲ୍ଲୀ ପଟ୍ଟନାୟକ, ସାହିତ୍ୟ ପାଇଁ ସୁନନ୍ଦା ମିଶ୍ର ପଣ୍ଡା ଓ ମୀନାକ୍ଷୀ ଦାସ, ବ୍ୟବସାୟ ଓ ମେଡିକାଲ ବିଜ୍ଞାନ ପାଇଁ ଡ. ମାୟା ଗନ୍ତାୟତ, ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ଭାବେ ‌କୁକୁ ଦାସ, କଳା ଓ ସଂସ୍କୃତି ପାଇଁ ପ୍ରିୟଙ୍କା ଦାସ ଓ ଶଶିମଣୀ ମହାରଣା, ସାମ୍ବାଦିକତା ପାଇଁ ଲୋପାମୁଦ୍ରା ପ୍ରିୟଦର୍ଶନୀ, କ୍ରୀଡ଼ା ପାଇଁ ଦୀପଗ୍ରେସ୍‌ ଏକ୍କା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ପରେ ଫାଉଣ୍ଡେସନ୍ ପକ୍ଷରୁ ଲିଙ୍ଗଗତ ସମାନତାକୁ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା। ସେହିପରି ପ୍ରିୟଙ୍କା ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ‘ସମ୍ବାଦ’ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର