ଗୋଟେ ଦଶମ ଡୁପ୍ଲିକେଟ୍‌ ସାର୍ଟିଫିକେଟ୍‌ ମିଳିବ?

ଭୁବନେଶ୍ବର : ଆଜ୍ଞା ଏଇଟା ରୂପାଲି ଛକ? ହଁ, କୁଆଡ଼େ ଯିବ? ନା, ଗୋଟେ କାମ ଥିଲା। ଆଚ୍ଛା ଏଠି କୋଉଠି ଦଶମ ‌ଡୁପ୍ଲିକେଟ୍‌ ସାର୍ଟିଫିକେଟ୍‌ ତିଆରି ହେଉଛି କହିପାରିବେ? ଏକଥା ପଚାରିବା ବେଳେ ତାଙ୍କ ମୁହଁରେ ସାମାନ୍ୟତମ ସଂଶୟ ମଧ୍ୟ ନଥିଲା। ସେ ଏସବୁ ପ୍ରଶ୍ନ ଏତେ ଦୃଢ଼ତାର ସହ ପଚାରୁଥିଲା ଯେମିତି ସେ ପ୍ରଥମ କରି ପରିବା ମାର୍କେଟକୁ ଆସି ପଚାରୁଛି ପରିବା ହାଟଟା କୋଉଠି? ସହିଦନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ସାମ୍ନାକୁ ଚାଲି ଆସି ଏପରି ପ୍ରଶ୍ନ ପଚାରିଥିଲା ଜଣେ ୨୨ରୁ ୨୫ ବର୍ଷର ଯୁବକ।

ତା’କୁ ତା ଠିକଣା ପଚାରିବାରୁ କହିଲା, ଘର ପୁରୀ ଜିଲ୍ଲାସ୍ଥିତ ସାକ୍ଷୀଗୋପାଳ। ପଚାରିଲି, ଡୁପ୍ଲିକେଟ୍‌ ସାର୍ଟିଫିକେଟ୍‌ ନେଇ କ’ଣ କରିବ? କହିଲା, ପୁରୀ ଶ୍ରୀମନ୍ଦିରରେ କ’ଣ‌ ଗୋଟେ ଚାକରି କରେଇ ଦେବାକୁ ମୋ’ର ଜଣେ ସମ୍ପର୍କୀୟ କହିଛନ୍ତି। ତା’ର ଏ ଦୃଢ଼ତା ଦେଖି ପଚାରିଲି, ତୁମକୁ କିଏ କହିଲା ଏଠି ନକଲି ସାର୍ଟିଫିକେଟ୍‌ ମିଳୁଛି? ଉତ୍ସାହର ସହ ଉତ୍ତର ଦେଲା, ମୋ’ର ଜଣେ ସାଙ୍ଗ ଆସି ଏଇ ରୂପାଲିରୁ ସାର୍ଟିଫିକେଟ୍‌ଟେ କରି ନେଇଛି। ଡିଟୋ ବୋର୍ଡ ସାର୍ଟିଫିକେଟ୍‌ ଭଳିଆ। ତା’ଠୁ ଶୁଣି ଏଠିକି ଆସିଛି। ତାକୁ ସହଯୋଗ କରିବା ଆଳରେ ପଚାରିଲି, କେତେ ଟଙ୍କା ଦେଇ ନକଲି ସାର୍ଟିଫିକେଟ୍‌ ବନେଇବ। କହିଲା ପାଞ୍ଚଶ-ହଜାରେ ଯାହା କହିବ ଦେବି। ଖାଲି କୋଉଠି ମିଳୁଛି ଦେଖେଇଦିଅ। ଆଜି ପୂର୍ବାହ୍ନର ଏଇଭଳି ଏକ ବିରଳ ଉପଲବ୍ଧିକୁ ଅବତାରଣା କରିବାର କାରଣ ଯେ ରାଜଧାନୀ ଭଳି ସ୍ମାର୍ଟ ସିଟିରେ ବୈଷୟିକ ଜ୍ଞାନକୌଶଳ ଏତେ ଉନ୍ନତ ହୋଇଯାଇଛି ଯେ ନକଲି ସାର୍ଟିଫିକେଟ୍‌ ବି ଏଠି ୫ଶହ କି ହଜାର ଟଙ୍କାରେ କେଇ ମିନିଟ୍‌ ମଧ୍ୟରେ ମିଳିଯାଉଛି। ସଂପୃକ୍ତ ଯୁବକଟିର ସାଙ୍ଗ ଏଠାରୁ ସାର୍ଟିଫିକେଟ୍‌ ନକଲ କରି ନେଇ ତାକୁ ଏଠାକୁ ପଠାଇଥିବାରୁ ରୂପାଲି ଅଞ୍ଚଳରେ ଯେ ଏକ ନକଲି ସାର୍ଟିଫିକେଟ୍‌ ରୢାକେଟ୍‌ କାମ କରୁଛି ତାହା ସ୍ପଷ୍ଟ। ସବୁଠୁ ବଡ଼ କଥା ହେଉଛି ଯେବେ ତାକୁ ପଚାରିଲୁ, ତମେ ମେଟ୍ରିକ୍‌ ପରୀକ୍ଷା ଦେଇଛ? ସେ ଉତ୍ତର ଦେଇଥିଲା, ହଁ ଦେଇଛି। ସାର୍ଟିଫିକେଟ୍‌ ବି ଥିଲା। ହେଲେ ହଜିଯାଇଛି। ମୁଁ କହିଲି, ତା’ର ଜେରକ୍ସ କପି ରଖିଛ ଯଦି ବୋର୍ଡ ଅଫିସ୍‌କୁ ଯାଇ ଆବେଦନ କରୁନ? ସେ କହିଲା ନା ଡେରି ହେଇଯିବ। କହିଲି, ତେବେ ‌ତମେ କେଉଁଥିରେ କେତେ ମାର୍କ ଚାହିଁବ ସେ କଣ ସେତିକି ନମ୍ବର ଦେଇ ସାର୍ଟିଫିକେଟ୍‌ ବନେଇଦେବେ? ଏତେ କଥା ପଚାରୁଥିବାରୁ ବୋଧେ ସନ୍ଦେହ କଲା। ତେଣୁ କିଛି ନକହି ଚାଲିଗଲା। ସାର୍ଟିଫିକେଟ୍‌ ନକଲ କରୁଥିବା ଅନେକ ରୢା‌କେଟ୍‌ ଯେ ରାଜଧାନୀରେ ସକ୍ରିୟ ଅଛନ୍ତି ତାହା ଏଇଥିରୁ ବୁଝା ପଡ଼ୁଥିଲା।

କେମିତି ପ୍ରସ୍ତୁତ ହୁଏ ନକଲି ପ୍ରମାଣପତ୍ର
ଜଣେ ବିଶେଷଜ୍ଞଙ୍କ କହିବା ମୁତାବକ, ଜେରକ୍ସ ଦୋକାନରେ କମ୍ପ୍ୟୁଟର ଜ୍ଞାନ ଥିବା କିଛି ବ୍ୟକ୍ତି ହିଁ ଏସବୁ ପ୍ରସ୍ତୁତ କରନ୍ତି। ବୋର୍ଡ ସାର୍ଟିଫିକେଟ୍‌ ଛପା ଯାଉଥିବା କାଗଜ କେଉଁଠି ମିଳେ ତାହା ବି ସେମାନେ ଜାଣନ୍ତି। ଏକଦମ ମିଶିଯାଉଥିବା ସିଲ୍‌ ପ୍ରସ୍ତୁତ କରି ସେଇ ସାର୍ଟିଫିକେଟ୍‌ରେ ସିଲ୍‌ ଚିହ୍ନ ମାରିବାର ବ୍ୟବସ୍ଥା କରାଯାଏ। ଗୋଟେ ଅସଲି ସାର୍ଟିଫିକେଟ୍‌କୁ ସ୍କାନ୍‌ କରି ଏସବୁ ଅତି ଚତୁରତାର ସହ କରିବାକୁ ଚେଷ୍ଟା କରାଯାଏ। ସାର୍ଟିଫିକେଟ୍‌ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ହଜାରେରୁ ୧୦ ହଜାର ଟଙ୍କାରେ ବିକ୍ରି ହେବାର ନଜିର ପୂର୍ବରୁ ଦେଖିବାକୁ ମିଳିଛି। ଏହା ଏପରି ପ୍ରସ୍ତୁତ ହୁଏ ଯେ ପ୍ରାୟ ୯୯ ପ୍ରତିଶତ ମିଶିଯାଏ। କେବଳ ରଙ୍ଗରୁ ଟିକେ ଫରକ ଜଣାପଡ଼େ ବୋଲି ବିଶେଷଜ୍ଞ ଜଣକ କହିଛନ୍ତି। ଏହି ରୢାକେଟ୍‌ କେବଳ ମାଟ୍ରିକ୍‌ ନୁହେଁ ନକଲି +୨, ଡିଗ୍ରି ସାର୍ଟିଫିକେଟ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ତେଣୁ ଏହି ସାର୍ଟିଫିକେଟ୍‌କୁ ନେଇ ଅନେକ ବିଟେକ୍‌, ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି ପାଠ୍ୟକ୍ରମ ପାଇଁ ଆବେଦନ କରୁଥିବା ନେଇ ଥାନାରେ ଅଭିଯୋଗ ରହିଛି। ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ, ପ୍ୟାନ୍‌ କାର୍ଡର ମଧ୍ୟ ନକଲ କରାଯାଉଛି ବୋଲି ବିଶେଷଜ୍ଞ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର