ଭୁବନେଶ୍ବର: ଆର୍ଥିକ ଅନଟନ ଏକ ଆଳ ମାତ୍ର। ନିଷ୍ଠା, ଏକାଗ୍ରତା ଓ ଇଚ୍ଛା ଥିଲେ ଯେ ଜଣେ ରୋଷେୟା ସହାୟକଙ୍କ ପୁଅ ସ୍କୁଲ୍ ଟପର ହୋଇପାରେ ତାହା ପ୍ରମାଣିତ କରି ଦେଖାଇଛନ୍ତି ଚିରଞ୍ଜୀବୀ ପାଣି। କଳିଙ୍ଗନଗର ଘାଟିକିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ୯୪ ପ୍ରତିଶତ ନମ୍ବର ରଖି କେବଳ ସ୍କୁଲ୍ରେ ଟପର ହୋଇନାହାନ୍ତି, ଯେଉଁମାନେ ଦାରିଦ୍ରୢକୁ ଆଳ କରି ପଢ଼ାରେ ଅଗ୍ରସର ହୋଇପାରିବେନି ବୋଲି ଭାବୁଛନ୍ତି ସେମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଚିରଞ୍ଜୀବୀଙ୍କ ବାପା ନାରଣ ପାଣି ଏସ୍ଓଏସ୍ ଭିଲେଜ୍ରେ ରୋଷେୟା ସହାୟକ ଭାବେ କାମ କରନ୍ତି। ସ୍ବଳ୍ପ ଦରମାରେ ଘାଟିକିଆରେ ଏକ ଭଡ଼ା ଘର କରି ରହୁଥିଲେ ହେଁ କେବେ ପୁଅର ବହି ପତ୍ରରେ ଉଣା କରିନଥିଲେ। ନାରଣଙ୍କ କହିବା ମୁତାବକ, ସେ ଭାବିଥିଲେ ପୁଅ ଭଲ କରିବ କିନ୍ତୁ ଏତେ ନମ୍ବର ଯେ ରଖିବ ସେକଥା ଭାବିନଥିଲେ। ସେ କହିଛନ୍ତି, ଆଜି ମୋ ପୁଅ ମୋ ମୁଣ୍ଡ ଉଚ୍ଚା କରିଛି। ତାହା ମୋ ପାଇଁ ଗର୍ବର କଥା। ଚିରଞ୍ଜୀବୀଙ୍କ ଇଚ୍ଛା ସେ କୃଷି ବୈଜ୍ଞାନିକ ହେବେ। କୃଷକଙ୍କ ପାଇଁ ଏମିତି ଯନ୍ତ୍ରପାତି ତିଆରି କରିବେ ଯେମିତି ତାହା ସେମାନଙ୍କ ଚାଷ କାର୍ଯ୍ୟକୁ ସୁଗମ କରିପାରିବ। ପରିବାରରେ ଅସୁବିଧା ଥିଲେ ମଧ୍ୟ ବାପା କେବେ ସେସବୁକୁ ମତେ ଜଣାଇବାକୁ ଦେଇନାହାନ୍ତି। ତେଣୁ ଅତିରିକ୍ତ ପଢ଼ାଘର ନଥିବାରୁ ରୋଷେଇ ଘରେ ବସି ପଢ଼ୁଥିଲି। ପରିଶ୍ରମର ମୂଲ୍ୟ ରହିଥିବାରୁ ଖୁସି ଲାଗୁଛି। ଆଗକୁ ମଧ୍ୟ ସ୍ବପ୍ନକୁ ସାକାର କରିବା ପାଇଁ ଆହୁରି ପରିଶ୍ରମ କରିବି ବୋଲି ସେ କହିଛନ୍ତି।
ଫୁଲେଶ୍ବରୀ ବସ୍ତିର ରତ୍ନ ତ୍ରିଲୋଚନ
ଭୁବନେଶ୍ବର: ପିଲାଦିନୁ ସେ ବି ବସ୍ତିରେ ବଢ଼ିଛନ୍ତି। ମାତ୍ର ପଙ୍କରୁ ପଦ୍ମ ଭଳି ସେ ଫୁଲେଶ୍ବରୀ ବସ୍ତିର ରତ୍ନ ପାଲଟିଛନ୍ତି। ବସ୍ତିରେ ମାଟ୍ରିକ୍ ପରୀକ୍ଷାରେ କେବେ କେହି ଏତେ ନମ୍ବର ରଖିନଥିବା ବେଳେ ତ୍ରିଲୋଚନ ବେହେରା ୯୨ ପ୍ରତିଶତ ନମ୍ବର ରଖି ବସ୍ତି ପାଇଁ ଗର୍ବ ଆଣିଛନ୍ତି। ବାପା ତ୍ରିନାଥ ବେହେରାଙ୍କ ପାଖରେ ପଢ଼ାର ଉଚ୍ଚ ଅଭିଜ୍ଞତା ନଥିଲେ ହେଁ ତାଙ୍କ ମାର୍ଗଦର୍ଶନ ତ୍ରିଲୋଚନଙ୍କୁ ସଫଳତା ଆଣି ଦେଇଛି। ବସ୍ତିରେ ଏବେ ତ୍ରିଲୋଚନକୁ ନେଇ ଖୁବ୍ ଚର୍ଚ୍ଚା। ଘରେ ଘରେ ମା’ ବାପାମାନେ ନିଜ ପିଲାମାନଙ୍କୁ ଉପଦେଶ ଦେବା ବେଳେ ତ୍ରିଲୋଚନଙ୍କ ଭଳି ହେବା ପାଇଁ କହିବା କମ୍ ଗର୍ବର କଥା ନୁହେଁ।
ତ୍ରିନାଥ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅନଟନ ଅନେକ ସମୟରେ ତାଙ୍କୁ କରଜ କରିବାକୁ ବାଧ୍ୟ କରିଛି। ବିଡ଼ମ୍ବନା ଏହି ଯେ ପୁଅ ସିନା ଏତେ ନମ୍ବର ରଖିଛି ବୋଲି ଫୁଲେଶ୍ବରୀ ବସ୍ତି ଗର୍ବରେ ଫାଟି ପଡ଼ୁଛି, କିନ୍ତୁ ତ୍ରିଲୋଚନକୁ ଆଗକୁ ଉଚ୍ଚ ଶିକ୍ଷା ଦେଇପାରିବେ କି ନାହିଁ ତ୍ରିନାଥଙ୍କୁ ସେଇ ଚିନ୍ତା ଘାରିଛି। ତ୍ରିଲୋଚନ କିନ୍ତୁ ହାର୍ ମାନିନାହାନ୍ତି। କହିଛନ୍ତି, ମୁଁ ନିଜେ କିଛି ପାର୍ଟ-ଟାଇମ୍ କାମ କରି ଇଂଜିନିୟରିଂ ପଢ଼ିବି। ବାପାଙ୍କ ଉପରେ ବୋଝ ହେବାକୁ ଦେବିନାହିଁ। ବୈଷୟିକ ଜ୍ଞାନ କୌଶଳରେ ରୁଚି ରଖୁଥିବା ତ୍ରିଲୋଚନ ବିଜ୍ଞାନ ପ୍ରକଳ୍ପରେ ଆଗରୁ ଅନେକଥର ପ୍ରଥମ ହୋଇଛନ୍ତି। ତେଣୁ ଇଚ୍ଛା ସେ ନୂତନ ବୈଷୟିକ ଦୁନିଆ ସହ ତାଳ ଦେଇ ସେଇଥିରେ କିଛି ନୂଆ କରିବାକୁ ଚେଷ୍ଟା କରିବେ।