ଓପିଏଚ୍‌ଡବ୍ଲୁସି ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ବର: ଆୟ ବହିର୍ଭୂତ ମାମଲାରେ ଛନ୍ଦି ହୋଇଥିବା ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ(ଓପିଏଚ୍‌ଡବ୍ଲୁସି)ର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ କୋଟି ‌କୋଟି ଟଙ୍କାର ସମ୍ପତ୍ତିକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଆଟାଚ୍‌ କରିଛି। ଆୟବହିର୍ଭୂତ ୧୧ କୋଟି ୩୫ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆଟାଚ୍‌ କରାଯାଇଛି। ସୂଚନା ମୁତାବକ, ୨୦୨୧ ନଭେମ୍ବର ୧୦ରେ ଭିଜିଲାନ୍ସ ବିଭାଗ ପ୍ରତାପ ଓ ତାଙ୍କ ପତ୍ନୀ ସସ୍ମିତାଙ୍କ ନାମରେ ଥିବା ସମ୍ପତ୍ତିକୁ ଠାବ ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା।

ଏହି ସମୟରେ ତାଙ୍କ ବାସଭବନରୁ ନଗଦ ୩୮.୧୨ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ପ୍ରତାପ ଓ ତାଙ୍କ ସ୍ତ୍ରୀ ନାଁରେ ଥିବା ମୋଟ ୧୪କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଯାହାକି ତାଙ୍କ ଆୟଠାରୁ ୧୦୮୭ଗୁଣା ଅଧିକ ବୋଲି ଭିଜିଲାନ୍ସ ହିସାବରୁ ଜାଣିବାକୁ ପାଇଥିଲା। ତଦନ୍ତରୁ ଜଣାପଡିଥିଲା, ତାଙ୍କ ପତ୍ନୀ ୨ଟି ଓଡ଼ିଆ ସିନେମାରେ ଅର୍ଥ ବିନିଯୋଗ କରିଥିଲେ। ସେଥିରୁ ଗୋଟିଏରେ ତାଙ୍କ ସ୍ୱାମୀ ପ୍ରତାପ ସାମଲ ସହ-ପ୍ରଯୋଜକ ଥିଲେ। ସେତେବେଳେ ଭିଜିଲାନ୍ସ ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦମ୍ପତିଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାର ତଦନ୍ତ ଇଡି କରିଥିଲା।

ସମ୍ବନ୍ଧିତ ଖବର