ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ର ୧୬ଟି ପଞ୍ଚାୟତରେ ୧୧ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ନିଜସ୍ବ ଘର ନିର୍ମାଣ ନେଇ ୫ ବର୍ଷ ହେଲା ଟଙ୍କା ଆସିଛି। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପିଛା ୭ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ହେଲେ ଦାୟିତ୍ବରେ ଥିବା ପଞ୍ଚାୟତ ପ୍ରତିନିଧି, ବ୍ଲକ୍ ଅଧିକାରୀ ଏବଂ ସମନ୍ବିତ ଶିଶୁ ବିକାଶ ପ୍ରକକ୍ପ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅଙ୍ଗନବାଡ଼ିର ନିଜସ୍ବ ଘର ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକେ ଏସଂପର୍କରେ ବିଧାୟକ ଓ ସାଂସଦଙ୍କୁ ଅବଗତ କରାଇଛନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁଫଳ ମିଳୁନି।
ଅପରପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନଥିବାରୁ ଏସବୁ ଭଡ଼ା ଘରେ ଚାଲିଛି। ସୂଚନା ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ବାଲିଅନ୍ତା ବ୍ଲକ୍ର ୧୬ଟି ପଞ୍ଚାୟତରେ ମୋଟ ୧୧ଟି କେନ୍ଦ୍ର ଘର ନିର୍ମାଣ ନେଇ ୭ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିଲା। ହେଲେ ଜାଗା ସମସ୍ୟା ଯୋଗୁ ଘରନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। କେଉଁଠି କେନ୍ଦ୍ର ନିର୍ମାଣ ନେଇ ସଂରକ୍ଷିତ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇପାରି ନଥିଲା ତ ପୁଣି ଆଉ କେଉଁଠି ରାସ୍ତା ସମସ୍ୟା ରହିଥିଲା। ବର୍ଷବର୍ଷ ପରେ ମଧ୍ୟ ଜାଗା ବିବାଦ ସମାଧାନ ହୋଇ ପାରିନାହିଁ। ଏପଟେ ସମୟ ଅନୁସାରେ ଗୃହନିର୍ମାଣ ସାମଗ୍ରୀ ମୂଲ୍ୟ ଅଧିକ ବଢ଼ିଯିବାରୁ କ୍ଷତି ହେବା ଭାବି ଠିକାଦାର କାମ କରିବାକୁ ରାଜି ହୋଇ ନଥିଲେ। ତେଣୁ କୌଣସି ସ୍ଥାନରେ ଅଙ୍ଗନବାଡ଼ି ଘର କାମ ହୋଇପାରି ନଥିଲା। ଏସଂପର୍କରେ ସିଡିପିଓ ଖୁଲଣା ସାହୁ କହିଛନ୍ତି, ୭ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନେଇ ଜାଗା ବିବାଦ ଫଇସଲା ହୋଇସାରିଛି। ଆଉ ଅତିରିକ୍ତ ଅନୁଦାନ ଅର୍ଥ ବୃଦ୍ଧି କରାଇବାକୁ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଆର୍ଡିଏକୁ ଚିଠି ଲେଖିଛନ୍ତି। ଅତିରିକ୍ତ ବ୍ୟୟ ଅଟକଳ ଅନୁଦାନ ଆସିଲେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/jINOk1xGrKWavanJH0ax.jpg)