ଭୁବନେଶ୍ବର: ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲାର ଆଜି ଲୋକୟୁକ୍ତ ଶୁଣାଣି କରିଛନ୍ତି। ଓକିଲ ଜରିଆରେ ଆଜି ବିଏମ୍ସି ନିଜ ପକ୍ଷ ରଖିଛି। ବିଏମ୍ସି ଲୋକାୟୁକ୍ତଙ୍କୁ ଦର୍ଶାଇଛି ଯେ ୨୦୧୧ରୁ ୨୦୧୬ ମସିହା ମଧ୍ୟରେ ଦାୟିତ୍ବରେ ଥିବା ସିଟି ହେଲ୍ଥ ଅଫିସର୍ଙ୍କ ଉତ୍ତର ପାଇବା ପରେ ଅଡିଟ୍ଙ୍କ ମତାମତ ଲୋଡ଼ା ଯାଇଛି। ଏଥିରେ ଯଦି ଅଡିଟ୍ ସନ୍ତୁଷ୍ଟ ଅଛନ୍ତି, ତେବେ ଘୋଟାଲା ହୋଇଥିବା ଅର୍ଥ ସଂପୃକ୍ତ କର୍ମଚାରୀମାନଙ୍କଠାରୁ ଆଦାୟ କରାଯିବ ନାହିଁ। ସନ୍ତୁଷ୍ଟ ନଥିଲେ, ଲୋକାୟୁକ୍ତ ଯାହା ବିଚାର କରିବେ। ତେଣୁ ପରବର୍ତ୍ତୀ ତାରିଖରେ ଲୋକାଲ ଫଣ୍ଡ ଅଡିଟ୍ ଡାଇରେକ୍ଟର ତାଙ୍କ ପକ୍ଷ ରଖିବାକୁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୨୬ ତାରିଖରେ ରହିଛି। ଏହି ଦିନ ବିଏମ୍ସି କାର୍ଯ୍ୟାନୁଷ୍ଠାନ ବାବଦରେ ବିବରଣୀ ଦେବାକୁ ଲୋକାୟୁକ୍ତ ଆଦେଶ ଦେଇଛନ୍ତି। ଅପରପକ୍ଷେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅଡିଟ୍ ସୁପାରିସ୍ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଲୋକାୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ବିଏମ୍ସି ସହରର ବିଭିନ୍ନ ଜାଗାରୁ ଆବର୍ଜନା ଉଠାଇ ସୈନିକ ସ୍କୁଲ ପଛରେ ଥିବା ଅସ୍ଥାୟୀ ଅଳିଆ ଗଦା(ଟିଟିଏସ୍)ରେ ମହଜୁଦ୍ ରଖିଥାଏ। ସେଠାରୁ ଆବର୍ଜନାକୁ ଉଠାଇ ଭୁଆସୁଣି ଡମ୍ପିଂୟାର୍ଡକୁ ନିଏ। ଟିଟିଏସ୍ରେ ଯେତିକି ଓଜନର ଆବର୍ଜନା ଜମା ହୁଏ, ଡମ୍ପିଂୟାର୍ଡକୁ ସେତିକି ଓଜନର ଆବର୍ଜନା ଯିବା କଥା। କିନ୍ତୁ ୨୦୧୧ମସିହାରୁ ୨୦୧୬ ମସିହା ମଧ୍ୟରେ ସେତିକି ଯାଇ ନଥିଲା। ଏହି ଅବଧି ମଧ୍ୟରେ ଟିଟିଏସ୍କୁ ୨୬ ଲକ୍ଷ ୮୮ହଜାର ୫୩୧ କ୍ୟୁବିକ୍ ମିଟର ଆବର୍ଜନା ଆସିଥିବା ବେଳେ ଭୁଆସୁଣିକୁ ୧୨ଲକ୍ଷ ୭୧ ହଜାର ୯୦୬ କ୍ୟୁବିକ୍ ମିଟର ଆବର୍ଜନା ସ୍ଥାନାନ୍ତର କରାଯାଇଥିଲା। ଅର୍ଥାତ୍ ୧୪ ଲକ୍ଷ ୧୬ ହଜାର ୬୨୫ କ୍ୟୁବିକ୍ ମିଟର ଆବର୍ଜନା ଟିଟିଏସ୍କୁ ଆସି ନଥିଲେ ମଧ୍ୟ ଏହି ଓଜନର ଆବର୍ଜନା ଉଠାଇବା ବାବଦକୁ ବିଏମ୍ସି ୧୧କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ଖର୍ଚ୍ଚ କରିଥିବା ଦେଖାଇଛି। ଅଡିଟ୍ରେ ଏହା ଜଣାପଡ଼ିବା ପରେ ଅର୍ଥ ହେରଫେର୍ ହୋଇଥିବା ଦର୍ଶାଇ ଦାୟିତ୍ବରେ ଥିବା ସିଟି ହେଲ୍ଥ ଅଫିସର୍ ଓ ଦାୟିତ୍ବରେ ଥିବା ୧୧ଜଣ ସାନିଟାରି ଇନ୍ସ୍ପେକ୍ଟରଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ ଅଡିଟ୍ ସୁପାରିସ କରିଥିଲେ। ହେଲେ ବିଏମ୍ସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା।
ତତ୍କାଳୀନ ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଏନେଇ ଲୋକାୟୁକ୍ତ ନୋଟିସ୍ କରିଥିଲା। ଏହି ଅର୍ଥ ୧୨ଜଣଙ୍କଠାରୁ ଆଦାୟ କରିବା ପାଇଁ କମିସନର ଶ୍ରୀ ଚୌଧୁରୀ ୨୦୨୦ ମସିହା ଜାନୁଆରି ୨୦ ତାରିଖରେ ଚିଠି ଲେଖିଥିଲେ। ସେମାନଙ୍କ ମଧ୍ୟରେ ତତ୍କାଳୀନ ସିଟି ହେଲ୍ଥ ଅଫିସର ଚନ୍ଦ୍ରିକା ପ୍ରସାଦ ଦାସ ସମେତ କାର୍ତ୍ତିକ ସେଠୀ, ଶ୍ରୀନିବାସ ସାହୁ, ବୈକୁଣ୍ଠ ସାହୁ, ସଞ୍ଜୟ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ବିଜୟ ତ୍ରିପାଠୀ, ବିଜୟ ମହାପାତ୍ର, ନିକୁଞ୍ଜ କୁମାର ରାୟ, ଉମାକାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ ଓ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ୧୧ଜଣ ସାନିଟାରି ଇନ୍ସ୍ପେକ୍ଟର ଥିଲେ। ୭ ଦିନ ଭିତରେ ଏମାନେ ପ୍ରତ୍ୟେକ ୮୬ ଲକ୍ଷ ୯୫ ହଜାର ୭୫୬ ଟଙ୍କା ଲେଖାଏଁ ବିଏମ୍ସିରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୨ ବର୍ଷ ବିତିଥିଲେ ମଧ୍ୟ ଏହି ଅର୍ଥ ଆଦାୟ ହେଲା ନାହିଁ। ବରଂ ସିଟି ହେଲ୍ଥ ଅଫିସର୍ ଶ୍ରୀ ଦାସ କମିସନରଙ୍କୁ ଉତ୍ତର ଲେଖିଥିଲେ ଯେ ବଳକା ଆବର୍ଜନା ଯାହା ଉପରେ ଅଡିଟ୍ ପ୍ରଶ୍ନ ଉଠାଇଛନ୍ତି, ସେ ଆବର୍ଜନା ସବୁ ଟିଟିଏସ୍କୁ ଯାଇଛି। ଟିଟିସଏସ୍ରେ ଖାଲ ଥିବାରୁ ସେଠାରେ ପୋତି ହୋଇଯାଇଛି। ଏହି ଉତ୍ତରକୁ ନେଇ ସେତେବେଳେ ଲୋକାୟୁକ୍ତ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/49-6.jpg)