୧୧ ମହଲାରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା: ଫ୍ଲାଟ୍‌ରେ ଏକା ରହୁଥିଲେ ଦୟାନିଧି

ମୋବାଇଲ୍‌ ନମ୍ବର ଓ ସିସିଟିଭି ଯାଞ୍ଚ କରୁଛି ପୁଲିସ

ଭୁବନେଶ୍ବର: ନୂଆପଲ୍ଲୀ ଆଇଡି ମାର୍କେଟ୍‌ ନିକଟ କ୍ରିଷ୍ଣା ପ୍ଲାଜାର ୧୧ ମହଲାରୁ ପଡ଼ି ଦୟାନିଧି ସାହାଣୀଙ୍କ ମୃତ୍ୟୁକୁ ନେଇ ପୁଲିସ ଦ୍ବନ୍ଦ୍ବରେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତ୍ୟୁର କାରଣ ଖୋଜୁଛି। ଥାନା ଅଧିକାରୀ ଅରୁଣ ସ୍ବାଇଁଙ୍କ କହିବା ଅନୁଯାୟୀ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ନଚେତ୍‌ କୌଣସି ଅଘଟଣ ଯୋଗୁ ତଳକୁ ଖସିପଡ଼ିଛନ୍ତି। କାରଣ କ୍ରିଷ୍ଣା‌ ପ୍ଲାଜାର ୧୧ର ମହଲାରେ ସେ ଏକା ରହୁଥିଲେ। ରବିବାର ରାତି ପ୍ରାୟ ସାଢ଼େ ୨ଟାରେ ତାଙ୍କୁ ଆପାର୍ଟମେଣ୍ଟ ତଳୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ତାଙ୍କ ଭଣଜା ଓ ସମ୍ପର୍କୀୟମାନେ ଆସିବା ପରେ ପୁଲିସ ସେ ରହୁଥିବା ଫ୍ଲାଟ୍‌କୁ ଯାଇଥିଲା। ହେଲେ ଭିତରପଟୁ କବାଟ ବନ୍ଦ ଥିଲା। ପୁଲିସକୁ କବାଟ ଭାଙ୍ଗିବାକୁ ପଡ଼ିଥିଲା। ସେତେବେଳେ ସେଠାରେ କେହି ନଥିଲେ। ପରେ ପୁଲିସ ଫ୍ଲାଟ୍‌ରେ ଥିବା ସମସ୍ତ ରୁମ୍‌କୁ ଯାଞ୍ଚ କରିଥିଲା। ଘର ଭିତରପଟୁ ବନ୍ଦ ଥିବା ବେଳେ ଭିତରେ କେହି ନଥିଲେ। ତେଣୁ ତାଙ୍କୁ କେହି ଠେଲି ହତ୍ୟା କରିବା ସମ୍ଭବ ନୁହେଁ ବୋଲି ପୁଲିସ କହିଛି। ଯେଉଁ ପାର୍ଶ୍ବରୁ ସେ ତଳେ ପଡ଼ିଥିଲେ ସେ ପାର୍ଶ୍ବର ବାଲ୍‌କୋନିରେ କିଛି ଖାଦ୍ୟ ଓ ମଦ ବୋତଲ ପଡ଼ିଥିଲା। ତେଣୁ ନିଶାସକ୍ତ ଅବସ୍ଥାରେ ସେ ବାଲ୍‌କୋନିରୁ ଖସି ପଡ଼ିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରିଛି। ସେହିପରି ଯଦି ଆତ୍ମହତ୍ୟା କରିଛନ୍ତି, ଏହା ପଛରେ କ’ଣ କାରଣ ରହିଛି? ପୁଲିସ ତାହାର ମଧ୍ୟ ତଦନ୍ତ କରୁଛି। ଆପାର୍ଟମେଣ୍ଟ ଓ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି। ରବିବାର ଦୟାନିଧିଙ୍କ ସହ କେହି ଫ୍ଲାଟ୍‌କୁ ଆସିଥିଲେ କି? ଯଦି ଆସିଥିଲେ କେତେ ସମୟ ରହିଥିଲେ? ଏପରି ବିଭିନ୍ନ ଦିଗ ଉପରେ ପୁଲିସ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ନମ୍ବର ତଥ୍ୟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ ଗତକାଲି ‘ସମ୍ବାଦ’ରେ ଦୟାନିଧିଙ୍କ ନାମ ବଦଳରେ ଭୁଲରେ ନୀଳମାଧବ ପରିଡ଼ା ବୋଲି ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର