ଶାସ୍ତ୍ରୀୟ ଭାଷା ଦିବସରେ ପ୍ରକାଶ ପାଇବ ‘କଥିତ ଓଡ଼ିଆ ଶବ୍ଦକୋଷ’ : ୧୧ଶହ ପୃଷ୍ଠାରେ ୩୦ ହଜାର କଥିତ ଶବ୍ଦ

ଭୁବନେଶ୍ୱର: ହଜି ଯାଉଥିବା କଥିତ ଭାଷାକୁ ସାଇତା ଯିବ। ମୁଖ ପ୍ରଚଳିତ ଭାଷାର ଗାରିମାକୁ ପରପିଢ଼ି ନିକଟରେ ପହଞ୍ଚାଯିବ। ଏହିଭଳି ଏକ ଉଦ୍ଦେଶ୍ୟ ନେଇ ସଂସ୍କୃତି ବିଭାଗ ଅଧୀନସ୍ଥ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ପ୍ରକାଶ ପାଇବାକୁ ଯାଉଛି ‘କଥିତ ଓଡ଼ିଆ ଶବ୍ଦକୋଷ’। ଚଳିତ ମାସ ୧୧ ତାରିଖରେ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହେବାକୁ ଯାଉଥିବା ଚତୁର୍ଥ ଶାସ୍ତ୍ରୀୟ ଭାଷା ଦିବସ ସମାରୋହରେ ଏହି ସଂକଳନ ଲୋକାର୍ପିତ ହେବ। ପ୍ରତିଷ୍ଠାନର ଏହି ପ୍ରୟାସର ଫଳସ୍ୱରୂପ ଲୋଖ ମୁଖରୁ ଧୀରେଧୀରେ ଛୁପି ଯାଉଥିବା ଶବ୍ଦମାନେ ପୁଣି ଜୀବଦାନ ପାଇଛନ୍ତି। ଲୋକମୁଖରେ ସୀମିତ ଥିବା ଅନେକ ଶବ୍ଦକୁ ଲିଖିତ ଭାବେ ଅଭିଧାନରେ ସାଇତା ଯାଇଛି। ଆଞ୍ଚଳିକ ସ୍ତରରେ ଅନେକ କଥିତ ଭାଷା ଲୁପ୍ତ ପ୍ରାୟ ଅବସ୍ଥାରେ ଥିବା ବେଳେ ସେ ସବୁ କୌଣସି ଓଡ଼ିଆ ଶବ୍ଦ କୋଷରେ ନାହିଁ। ତେଣୁ ଆଞ୍ଚଳିକ କଥିତ ଭାଷାକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଏହି ପ୍ରୟାସ କରିଛି। ୧୧ଶହ ପୃଷ୍ଠାର ଏହି ବୃହତ୍ତ ସଂକଳନ ମଧ୍ୟରେ ୩୦ ହଜାରରୁ ଊର୍ଧ୍ୱ ଶବ୍ଦ ସ୍ଥାନ ପାଇଛି ବୋଲି ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର କହିଛନ୍ତି। ୩୦ଟି ଜିଲ୍ଲାରୁ ଶବ୍ଦଗୁଡ଼ିକୁ ସଂଗ୍ରହ କରାଯାଇଥିବା ବେଳେ ସେହି ଶବ୍ଦାବଳୀର ସମ୍ପାଦିତ ସଂକଳନ ପ୍ରକାଶ ପାଇଛି। ଏହି ପୁସ୍ତକରେ କଥିତ ଭାଷାର ସରଳ ସୂଚନା ମଧ୍ୟ ଦିଆଯାଇଛି। ଫଳରେ ୧୧ ବର୍ଷର ଯୋଜନାର ସଫଳ ରୂପାୟନ ହେବାକୁ ଯାଉଛି। ୨୦୦୭ରୁ ରାଜ୍ୟର ୩୦ଟି ଜିଲ୍ଲାରେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଓ ଭାଷାବିତ୍‌ମାନଙ୍କୁ ଆଞ୍ଚଳିକ କଥିତ ଭାଷା ସଂଗ୍ରହ ପାଇଁ ଦାୟିତ୍ଵ ଦିଆଯାଇଥିଲା। ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଓଡ଼ିଆ ପ୍ରଫେସର ଡ.ରତ୍ନାକର ଚଇନିଙ୍କ ଅଧ୍ୟକ୍ଷତାରେ ଏକ କମିଟି ୩୦ଟି ଜିଲ୍ଲାରୁ ଶବ୍ଦ ଚୟନ ପାଇଁ ଦାୟିତ୍ଵ ନେଇଥିଲେ। ଏହି ଶବ୍ଦଗୁଡ଼ିକ ସମ୍ବଧରେ ଗତ ବର୍ଷ ମାର୍ଚ ମାସରେ ଆଲୋଚନା ହେବା ନେଇ ବୈଠକ ଅନୁଷ୍ଠିତ ହେବା ପରେ ଅଭିଧାନ ପ୍ରସ୍ତୁତି ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିଲା ୩୦ଟି ଜିଲ୍ଲାରୁ ସଂଗୃହୀତ ଶବ୍ଦକୁ ନେଇ ଶବ୍ଦ କୋଷ ପ୍ରସ୍ତୁତ ହୋଇଥିବା ବେଳେ କେଉଁ ଶବ୍ଦ ବିଶେଷ ଓ ବିଶେଷଣ ସୂଚିତ କରାଯାଇଛି। ବାକ୍ୟ ଗଠନରେ ଏହି ଶବ୍ଦର କିପରି ବ୍ୟବହାର କରାଯିବ ସେନେଇ ମଧ୍ୟ ସୂଚନା ରହିଛି।

ସମ୍ବନ୍ଧିତ ଖବର