ଭୁବନେଶ୍ୱର : ୨୦୧୭ ଡିସେମ୍ବର ପ୍ରଥମ ସପ୍ତାହ। କମିସନରେଟ୍‌ ପୁଲିସରେ ଏକ ବଡ଼ଧରଣର ଅଦଳ ବଦଳ ହୋଇଥିଲା। ଏହା ମଧ୍ୟରେ ୧୧ଜଣ ଇନ୍ସପେକ୍ଟର ମଧ୍ୟ ଏସିପି ର‍୍ୟାଙ୍କକୁ ପଦୋନ୍ନତି ପାଇଥିଲେ। ପୁଲିସ ମହଲରେ ଚର୍ଚା ଆରମ୍ଭ ହୋଇଥିଲା, ପଦୋନ୍ନତି ପାଇଥିବା ଇନ୍ସପେକ୍ଟରମାନେ ଫାଙ୍କା ପଡ଼ିଥିବା ଏସିପି ଗାଦିରେ ବସିବେ। ଏଣେ ଏସ୍‌ଆଇରୁ ଇନ୍ସପେକ୍ଟର ହୋଇଥିବା ପୁଲିସ ଅଫିସରମାନେ ମଧ୍ୟ ଗୋଡ଼ ଟେକି ବସିଥିଲେ ଥାନାବାବୁ ହେବାକୁ। କିନ୍ତୁ ପଦୋନ୍ନତିକୁ ୫ ମାସ ବିତି ଗଲାଣି। କିନ୍ତୁ ଯିଏ ଯେଉଁଠି ଇନ୍ସପେକ୍ଟର ଥିଲେ ସମସ୍ତେ ଏବେ ସେହି ଜାଗାରେ। ତେବେ କେଉଁ ପରିସ୍ଥିତିରେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରମାନେ ପୁଣି ସେହି ଥାନାରେ ଅଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଏ ନେଇ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ। ଶେଷରେ ଅଭିଜ୍ଞ ଇନ୍ସପେକ୍ଟରଙ୍କ ଅଭାବ ଆଳରେ ପଦୋନ୍ନତି ପାଇଥିବା ଏସିପିମାନଙ୍କୁ ପୁଣି ଥରେ ଥାନା ଦାୟିତ୍ୱ ପ୍ରଦାନ କରାଯାଇଛି।

Advertisment

ଭୁବନେଶ୍ୱରର ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପ୍‌ କାନୁନଗୋ, ସହିଦନଗର ଥାନା ଇନ୍ସପେକ୍ଟର କିଶୋର ମୁଣ୍ଡ, କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ, ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଡିଏସ୍‌ ପ୍ରତାପ, ତମାଣ୍ଡୋ ଥାନା ଇନ୍ସପେକ୍ଟର ଅତୁନୁ କୁମାର ରାଉତ, ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନା, ଏନର୍ଜି ଥାନା ଇନ୍ସପେକ୍ଟର ଚନ୍ଦ୍ରଶେଖର ସାହୁ, ଧଉଳି ଥାନା ଇନ୍ସପେକ୍ଟର ପ୍ରଭାସ ପାଳ, ପିଆର୍‌ଓ ଇନ୍ସପେକ୍ଟର ସୂର୍ଯ୍ୟମଣି ପ୍ରଧାନ, ସେସ୍ପାଲ ସ୍କ୍ଵାଡ୍‌ ଇନ୍ସପେକ୍ଟର ସଂଜୀବ ଶତପଥୀ ଓ ଡିଆଇବି ଇନ୍ସପେକ୍ଟର ରଜତ ରାୟ ପ୍ରମୁଖଙ୍କର ଏସ୍‌ପି ର‍୍ୟାଙ୍କକୁ ପଦୋନ୍ନତି ଘଟିଥିଲା। ପ୍ରଭାସ ପାଳ, ଚନ୍ଦ୍ରଶେଖର ସାହୁ ଓ ଅତୁନୁ କୁମାର ରାଉତଙ୍କୁ କମିସନରେଟ୍‌ ପୁଲିସରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିଲା। ଅନ୍ୟ ୮ ଜଣ କମିସନରେଟ୍‌ ପୁଲିସରେ ପୁନଃ ଥାନାଗୁଡ଼ିକରେ ଏସିପି ଇନ-ଚାର୍ଜ ଭାବେ ନିଯୁକ୍ତି ପାଇଛନ୍ତି। କେବଳ ପଦୋନ୍ନତି ପାଇଥିବା ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନାଙ୍କୁ ଜୋନ୍‌-୪ ଏସିପି ଓ ମୁଖ୍ୟାଳୟ ଏସିପି ସେକ୍‌ ସରିଫୁଦ୍ଦିନ୍‌ଙ୍କୁ କଟକ ଜୋନ୍‌-୨ ଏସିପି ଦାୟିତ୍ୱ ପ୍ରଦାନ କରାଯାଇଛି।

କମିସନରେଟେ୍‌ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମୁଦାୟ କଟକ ଓ ଭୁବନେଶ୍ୱରରେ ୩୦ଟି ଏସିପି ପଦବି ରହିଛି। କିନ୍ତୁ ସେଥିମଧ୍ୟରୁ ୧୧ଟି ଏସିପି ପଦବି ଏବେ ବି ଖାଲି ରହିଛି। ଯାହା ମଧ୍ୟରେ ରହିଛି କଟକର ଜୋନ-୫ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଏସିପି ପଦବି। ଏସିପି ପଦବିରେ କେହି ନ ଥିବା କାରଣରୁ ବିଭାଗୀୟ କାର୍ଯ୍ୟ ଓ କେତେକ ଗୁରୁତ୍ୱପୂର୍ଣ ମାମଲାର ତଦନ୍ତରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ପଦୋନ୍ନତି ପରେ ପରେ ବରିଷ୍ଠ ଓ କନିଷ୍ଠ ପୁଲିସ ଅଫିସରଙ୍କ ମଧ୍ୟରେ ଥିବା ତାରତମ୍ୟ ମଧ୍ୟ ରହୁନାହିଁ। ଫଳରେ ଜୋନ୍‌ ଏସିପି ଥାନା ଏସିପିଙ୍କ କାର୍ଯ୍ୟର ସମୀକ୍ଷା କରିବା ଓ ନିର୍ଦେଶ ଦେବା ଘଟଣାକୁ ସହଜରେ ହଜମ କରି ପାରୁନାହାନ୍ତି ପଦୋନ୍ନତି ପାଇଥିବା ଏସିପିମାନେ। ସେହିପରି ଏସ୍‌ଆଇରୁ ଇନ୍ସପେକ୍ଟର ର‍୍ୟାଙ୍କକୁ ପଦୋନ୍ନତି ପାଇଥିବା ଅଫିସରମାନଙ୍କ ମଧ୍ୟରେ ଅସନ୍ତୋଷ ବାରି ହୋଇପଡ଼ିଲାଣି। ଯାହାର ପ୍ରଭାବ କାର୍ଯ୍ୟରେ ପଡ଼ୁଛି। କେହି କାହା କଥା ମାନିବା ପରିସ୍ଥିତିରେ ନାହାନ୍ତି। ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଅନ୍ୟ ଜିଲ୍ଲାରୁ ଇନ୍ସପେକ୍ଟରମାନେ କମିସନରେଟ୍‌ ପୁଲିସରେ ଯୋଗ ଦେବା ପରେ ଫାଙ୍କା ପଡ଼ିଥିବା ଏସିପି ପଦବି ପୂରଣ କରାଯିବ।