ଭୁବନେଶ୍ବର : ସହରରେ ବୁଲି ଲୋକଙ୍କଠାରୁ ସୁଯୋଗ ଦେଖି ମୋବାଇଲ ଛିନ୍ତାଇ କରୁଥିବା ଦୁଇଜଣିଆ ଏକ ଗ୍ୟାଙ୍ଗ୍କୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ସେମାନଙ୍କଠାରୁ ୧୧ଟି ମୋବାଇଲ ଉଦ୍ଧାର କରାଯାଇଛି। ସେମାନେ ହେଲେ, ଖଣ୍ଡଗିରି ସରକନ୍ତରାର ବିକାଶ ଓ ତ୍ରିଲୋଚନ କାଣ୍ଡି। ସୂଚନା ମୁତାବକ, ଗତ ୧୩ ତାରିଖ ଦିନ ଖଣ୍ଡଗିରିବାରି ଅଞ୍ଚଳର ଶ୍ରୀଧର ବେହେରା ଚାଲି ଚାଲି ଘରକୁ ଫେରୁଥିଲେ। ତପୋବନ ସ୍କୁଲ ନିକଟରେ ଅଭିଯୁକ୍ତଦ୍ବୟ ତାଙ୍କଠାରୁ ମୋବାଇଲ ଛଡ଼ାଇ ଫେରାର୍ ହୋଇଯାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମୋବାଇଲ ଫୋନ୍କୁ ଟ୍ରାକ୍ କରି ଉଭୟଙ୍କୁ ଗିରଫ କରିଛି। ଅନ୍ୟ ମୋବାଇଲ କେଉଁଠୁ ଚୋରି କିମ୍ବା ଛିନ୍ତାଇ କରିଛନ୍ତି, ତାହାର ତଦନ୍ତ ଚାଲୁଛି।
କାର୍ରୁ ଦାମୀ ମଦ ଜବତ
ଭୁବନେଶ୍ବର : ମଦ ଦୋକାନ ବନ୍ଦ। ହେଲେ ବେପାର ଚାଲିଛି। ଲକ୍ଡାଉନ୍ ପାଇଁ କଡ଼ାକଡ଼ି ଯାଞ୍ଚ ଚାଲିଛି। ଏଭଳି ସ୍ଥିତିରେ ଦାମୀ ଗାଡ଼ିରୁ ଜବତ ହୋଇଛି ବ୍ରାଣ୍ଡେଡ ମଦ। ୧୦କି ୧୨ ବୋତଲ ନୁହେଁ ୧୦ ପେଟି। କଟକଣାକୁ ଖାତିର ନ କରି ଏଭଳି ମଦ ନେଉଥିବା ୪ ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ପୁରୁଣା ଭୁବନେଶ୍ବରର ସୁନନ୍ଦ ଦାସ, ସାମନ୍ତରାପୁର ଅଞ୍ଚଳର ସୌମ୍ୟରଞ୍ଜନ ସେଠୀ, ନୂଆପଲ୍ଲୀ ଅଞ୍ଚଳର ପ୍ରଭଞ୍ଜନ ପରିଡ଼ା ଓ ଗଣ୍ଡମୁଣ୍ଡା ଅଞ୍ଚଳର ସନ୍ତୋଷ ନାୟକ। ଗତ ରାତିରେ ଚେକିଂ ଚାଲିଥିବା ବେଳେ ଖଣ୍ଡଗିରି ଛକରେ ଏହି ଗାଡ଼ି (ଡବ୍ଲୁବି୦୬-୪୭୪୭)କୁ ପୁଲିସ ଅଟକାଇଥିଲା। ହେଲେ ଗାଡ଼ିଟି ନ ରହି ଚାଲି ଯାଇଥିଲା। ସନ୍ଦେହ ହେବାରୁ ବରମୁଣ୍ଡା ଚେକିଂ ପଏଣ୍ଟକୁ ଖବର ଦିଆଯାଇଥିଲା। ରାସ୍ତା ବନ୍ଦ କରି ପୁଲିସ୍ ଗାଡ଼ିକୁ ଧରିଥିଲା।