ଇଏସ୍‌ଆଇ ହସ୍ପିଟାଲର ୧୧ କର୍ମଚାରୀ ସଂକ୍ରମିତ; ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର : ଇଏସ୍‌ଆଇ ହସ୍ପିଟାଲରେ ଗୋଟିଏ ଦିନରେ ୧୧ଜଣ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରର ଓପିଡି (ବହିର୍ବିଭାଗ)କୁ ବନ୍ଦ କରି ଦିଆଯାଇଛି। ଓପିଡି ବନ୍ଦ ରହିବା ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଆସନ୍ତା ସୋମବାର ହସ୍ପିଟାଲର ଓପିଡି ଖୋଲାଯିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ଇଏସ୍‌ଆଇ ହସ୍ପିଟାଲର ୨ଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଡ୍ରେସର, ୨ଜଣ ପିଅନ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୧୧ଜଣ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ହସ୍ପିଟାଲର ଓପିଡିକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରି ଦିଆଯାଇଛି। ତେବେ ହସ୍ପିଟାଲରେ ଜରୁରୀକାଳୀନ ୱାର୍ଡ ଓ ଆଇପିଡି ପୂର୍ବଭଳି ଜାରି ରହିଛି। ତେବେ ଓପିଡି ବନ୍ଦ ହେବା ଫଳରେ ରୋଗୀମାନେ ଚିକିତ୍ସା ପାଇପାରୁ ନାହାନ୍ତି। ଏହାସହିତ ‌ପୂର୍ବରୁ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ନିୟମିତ ଔଷଧ ମିଳିବାରେ ମଧ୍ୟ ସମସ୍ୟା ଉପୁଜୁଛି। ଇଏସ୍‌ଆଇ ହସ୍ପିଟାଲ ଏକ ରେଫରାଲ ‌ହସ୍ପିଟାଲ ହୋଇଥିବା ବେଳେ ଓପିଡି ସିଲ୍‌ କରିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ ଥିଲା ବୋଲି ‌ରୋଗୀମାନେ ଦାବି କରିଛନ୍ତି। ଇଏସ୍‌ଆଇ ହସ୍ପିଟାଲର ଅଧୀକ୍ଷକ ଡା.ଦିଲ୍ଲୀପ ସାହୁ କହିଛନ୍ତି, ଗୋଟିଏ ଦିନରେ ହସ୍ପିଟାଲର ୧୧ଜଣ କର୍ମଚାରୀ ସଂକ୍ରମିତ ହେବା ପରେ ଓପିଡିକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଯାହାଫଳରେ ହସ୍ପିଟାଲ ଚଳାଇବା କଷ୍ଟକର ହୋଇପଡ଼ୁଛି। ତେବେ ହସ୍ପିଟାଲରେ ଜରୁରୀକାଳୀନ ଓ ଆଇପିଡି ସେବା ଉପଲବ୍ଧ ରହିଛି। କାଜୁଆଲ୍‌ଟିରେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୩ଜଣ ଆଇଏମ୍‌ଓ ଓ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ସମୁଦାୟ ୫ଜଣ ଉପଲବ୍ଧ ରହୁଛନ୍ତି। ଆଇପିଡିରେ ଏବେ ୪୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ସମସ୍ତ ରୋଗୀଙ୍କ ଆଡମିସିନ ପୂର୍ବରୁ କୋଭିଡ୍‌ ପରୀକ୍ଷା କରାଯାଇ ଆଡମିସନ୍ କରାଯାଉଛି। ପୂର୍ବରୁ ରୋଗୀମାନଙ୍କୁ ଯେଉଁଭଳି ଭାବେ ମାସାଧିକ ସମୟ ପାଇଁ ଔଷଧ ଦିଆଯାଉଥିଲା ତାହାକୁ ଜାରି ରଖିବା ପାଇଁ ଡାକ୍ତରଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ସୋମବାର ହସ୍ପିଟାଲ ଖୋଲିବା ନେଇ ବିଏମ୍‌ସିର ନିର୍ଦେଶ ରହିଛି। ତେବେ ହସ୍ପିଟାଲକୁ ଖୁବଶୀଘ୍ର କିଭଳି ପୂର୍ବଭଳି କାର୍ଯ୍ୟକ୍ଷମ କରାଯିବ ସେ ନେଇ ଆଲୋଚନା କରାଯାଉଛି ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର