୧୧୩ ବର୍ଷ ପୁରୁଣା ସ୍କୁଲ୍‌ ୮ଶ୍ରେଣୀକୁ ୫ ଗୃହ

ପୁରୁଣା ଭୁବନେଶ୍ୱର: ୮ଟି ଶ୍ରେଣୀକୁ ୫ଟି ଶ୍ରେଣୀଗୃହ। ସେଥିରେ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ୨ଟି ଶ୍ରେଣୀଗୃହ ବିପଜ୍ଜନକ ଅବସ୍ଥାରେ ଥିବାରୁ ପାଠପଢ଼ା ଅନୁପୋଯୋଗୀ ହୋଇପଡ଼ିଛି। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍କୁଲରେ ମାତ୍ର ଗୋଟିଏ ପଙ୍ଖା ଲାଗିଛି। ଏ କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳର ବିଦ୍ୟାଳୟର ଚିତ୍ର ନୁହେଁ। ରାଜଧାନୀରେ ଥିବା ଦୀର୍ଘ ୧୧୩ବର୍ଷ ପୁରୁଣା ପଣ୍ଡିତ ରଘୁନାଥ ୟୁଜି ୟୁପି ସ୍କୁଲର ଚିତ୍ର। ଶିକ୍ଷକ ଅଭାବ ସାଙ୍ଗକୁ ଆବଶ୍ୟକୀୟ ଶ୍ରେଣୀକକ୍ଷ ନଥିବାରୁ ଏଠାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧକାରମୟ ହୋଇପଡ଼ିଛି। ସ୍ଥାନୀୟ ଡାକବଙ୍ଗଳା ଛକ ନିକଟରେ ରହିଛି ସ୍ୱାଧୀନତା ପୂର୍ବର ଏହି ପୁରାତନ ବିଦ୍ୟାଳୟ। ସେତେବେଳେ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ରଘୁନାଥ ସେଠାରେ ସ୍କୁଲ ନିର୍ମାଣ ପାଇଁ ଜମି ଦାନ କରିଥିଲେ। ପରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗଠିତ ହୋଇଥିଲା ଟାଉନ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପରେ ଏହା ପଣ୍ଡିତ ରଘୁନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ହେବା ସହ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ୁଥିଲେ। ଗତ ୧୫ ବର୍ଷ ତଳେ ଏହା ୟୁଜିୟୁପି ସ୍କୁଲ ହେବା ସହ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରେ ନୂଆ କରି ନାମଲେଖା ଆରମ୍ଭ ହୋଇଛି। ଏତେ ପୁରୁଣା ବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହାର ଦୁରବସ୍ଥା କହିଲେ ନସରେ। ଦୈନିକ ପ୍ରାୟ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଆସୁଥିବା ବେଳେ ଶ୍ରେଣୀଗୃହ ଅଭାବରୁ ଗୋଟିଏ ଶ୍ରେଣୀରେ ୨ରୁ ୩ଟି ଶ୍ରେଣୀର ପିଲାମାନଙ୍କୁ ବସାଇ ପାଠ ପଢ଼ାଯାଉଛି। ସେହିପରି ୧୦ଲକ୍ଷ ଟଙ୍କା ବ୍ୟୟରେ ଦେଢ଼ ବର୍ଷ ହେଲା ଏଠାରେ ଦୁଇଟି ନୂତନ ଗୃହ ନିର୍ମାଣ ଚାଲିଛି। କିନ୍ତୁ ଏଯାଏ ସରିବାର ନାଁ ନେଉନାହିଁ। ଅପରପକ୍ଷରେ ବିଦ୍ୟାଳୟକୁ ସରକାରୀ ପ୍ରୋତ୍ସାହନ ମିଳୁ ନଥିବାରୁ ସ୍କୁଲର ପୁରାତନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ସହ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର