ଭୁବନେଶ୍ବର : ଦଶହରାକୁ ଦୃଷ୍ଟିରେ ରଖି ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିଛି କମିସନରେଟ୍ ପୁଲିସ। ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୁଲିସ କମିସନର ସତ୍ୟଜିତ୍ ମହାନ୍ତି। ପୂଜା ପୂର୍ବରୁ ଅପରାଧୀଙ୍କୁ ଖୋଜି ଖୋଜି ବାନ୍ଧିବା ପାଇଁ ସେ ଥାନାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

Advertisment

ଏଥିପାଇଁ ରାଜଧାନୀର ୫୨୦ଜଣ ଅପରାଧୀଙ୍କ ଚିହ୍ନଟ ସରିଛି। ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ନିକଟସ୍ଥ ଥାନାଗୁଡ଼ିକୁ ପଠା ଯାଇଛି। ତେବେ ଗତ ୨୩ ତାରିଖଠାରୁ ୨୯ ତାରିଖ ମଧ୍ୟରେ କମିସନରେଟ୍ ପୁଲିସ ପକ୍ଷରୁ କରାଯାଇଥିବା ସ୍ପେସାଲ ଡ୍ରାଇଭ୍‌ରେ ୧୪୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ‌େବଳେ ଦ୍ବିତୀୟ ସପ୍ତାହରେ ୧୧୪ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭୁବନେଶ୍ବର କମିସନରେଟ୍ ଅଞ୍ଚଳର ୪୩ ଓ କଟକ କମିସନରେଟ୍ ଅଞ୍ଚଳର ୭୧ ଜଣ ସମ୍ପୃକ୍ତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩୩ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ସିଆର୍‌ପିସି ୧୧୦ରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବର ୟୁପିଡିର ୨୩ ଜଣ ଅପରାଧୀ ଥିବା ବେଳେ କଟକ ୟୁପିଡିର ୧୦ ଜଣ ଅଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି।