କଟକ : ଚେତନାର ଅନୁଭବ ଯୁଗେ ଯୁଗେ ସାହିତ୍ୟକୁ ଐଶ୍ବର୍ଯ୍ୟମଣ୍ତିତ କରିଆସିଛି। ଏହା କେବଳ ତଥ୍ୟଭିତ୍ତିକ ନୁହେଁ। ସାହିତ୍ୟ ମଧ୍ୟରେ ତଥ୍ୟ କେବେହେଲେ ସାରସ୍ବତ ସ୍ବୀକୃତି ଲାଭ କରିପାରେନା। ଗଭୀର ମନନଶୀଳତା ବିଭିନ୍ନ ପୌରାଣିକ ଓ ଐତିହାସିକ ଚରିତ୍ରକୁ ମହାନ କରି ଗଢ଼ି ତୋଳିଛି। ଭୀଷ୍ମ ଚରିତ୍ର ତ୍ୟାଗ ଓ ମହନୀୟତାର ପରିଚାୟକ ହୋଇଥିବା ବେଳେ ସେହି ଚରିତ୍ର ମଧ୍ୟରେ ରହିଥବା ନମ୍ରତାକୁ ଅନେକ ବିଚାର କରିପାରୁନା। ସେହିପରି ଅନେକ ଚରିତ୍ର ସାହିତ୍ୟର ବିପୁଳାୟତନ ମଧ୍ୟରେ ଚେତନାର ଅନୁଭବ ମଧ୍ୟରେ ମହନୀୟ ହୋଇଉଠିଛନ୍ତି ବୋଲି ଉତ୍କଳ ସାହିତ୍ୟ ସମାଜର ୧୧୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାରସ୍ବତ ସାଧକ ପ୍ରଫେସର ମନୋଜ ଦାସ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ଦାସ ବିଶିଷ୍ଟ ସାହିତ୍ୟ ଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକଙ୍କୁ ଅନୁଷ୍ଠାନର ମର୍ଯ୍ୟାଦାସଂପନ୍ନ ଜେମା-ସାମନ୍ତ ସୃଜନୀ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରହିଥିବା ନାରାୟଣ ବୀରବର ସାମନ୍ତଙ୍କ ଐଶ୍ବର୍ଯ୍ୟସଂପନ୍ନ ଉତ୍ସର୍ଗୀକୃତ ଜୀବନ ଓ ସ୍ବାଧୀନତା ସଂଗ୍ରାମୀ ତଥା ବିଧାୟିକା ରତ୍ନମାଳୀ ଜେମାଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଡକ୍ଟର ଅର୍ଚ୍ଚନା ନାୟକଙ୍କ ‘ରାଣୀ ଶ୍ୟାମାବତୀ’ରେ ରହିଥିବା ବିଶେଷତ୍ବକୁ ଦର୍ଶାଇଥିଲେ। ଉତ୍ସବରେ ଡକ୍ଟର ଅର୍ଚ୍ଚନା ନାୟକ ତାଙ୍କ ସାରସ୍ବତ ଜୀବନରେ ମନୋଜ ଦାସଙ୍କଠାରୁ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’ ଲାଭ କରିବା ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି କହିଥିଲେ। ପୁରସ୍କାର ବାବଦକୁ ଡକ୍ଟର ନାୟକଙ୍କୁ ୫୦ହଜାର ଟଙ୍କାରେ ଅର୍ଥରାଶି, ତାମ୍ରଫଳକ ପ୍ରଦାନ କରାଯାଇଥିଲା। ସେହିପରି ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ଡକ୍ଟର ରତ୍ନାକର ଚଇନି ଓ କବି ପ୍ରମୋଦ କୁମାର ମହାନ୍ତିଙ୍କୁ ‘ଉତ୍କଳ ସାହିତ୍ୟ ବରିଷ୍ଠ ସଦସ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପାଠାଗାର ସଂପାଦକ ଡକ୍ଟର ସୁନାମଣି ରାଉତ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଉପସଭାପତି ମନୋଜ ପଟ୍ଟନାୟକ ସ୍ବାଗତ ଭାଷଣ ଓ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟନିର୍ବାହିକା ସମିତି ସଭ୍ୟ/ସଭ୍ୟା ତରୁଣ କୁମାର ସାହୁ, ମୀନାକ୍ଷୀ ଦେବୀ, ସସ୍ମିତା ରଥ, ବ୍ରହ୍ମାନନ୍ଦ ବିଶ୍ବାଳ ମାନପତ୍ର ପାଠ କରିଥିଲେ। ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ।
ଚେତନାର ଅନୁଭବ ସାହିତ୍ୟକୁ ଐଶ୍ବର୍ଯ୍ୟ ମଣ୍ଡିତ କରିଛି: ମନୋଜ ଦାସ
/sambad/media/post_attachments/wp-content/uploads/2019/05/UTCKAL-SHITYA-SAMAJ-RA-PRATISTHA-DIBASA-PALITA-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)