ଧଉଳି: ଆଜି ରାତି ପ୍ରାୟ ୧୧ଟା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଲିଙ୍ଗିପୁର ନିକଟସ୍ଥ କୃପାସିନ୍ଧୁ ମଣ୍ଡଳଙ୍କ କବାଡ଼ିଆ ଗୋଦାମ ଉପରେ ୧୧ କେଭି ବିଦ୍ୟୁତ୍ ତାର ଛିଡ଼ିପଡ଼ିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମ ଭିତରେ ଥିବା ଏକ କାର୍, ଅଫିସ ରୁମ୍ରେ ଥିବା ବହୁ ମୂଲ୍ୟବାନ ଆସବାବପତ୍ର ଜଳିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୋଷେଇ ଘରେ ଥିବା ୨ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ସ୍ଥିତି ଆହୁରି ସଂଗିନ୍ ହୋଇପଡ଼ିଥିଲା। ୧୦ଟି ଦମକଳ ଗାଡ଼ି ପାଣି ପକାଇବା ପରେ ମଧ୍ୟ ନିଆଁକୁ ଆୟତ୍ତ ହୋଇପାରିନଥିଲା। ତେଣୁ ଅଗ୍ନିଶମ ବାହିନୀ ରୋବୋଟିକ୍ ନିଆଁ ଲିଭା ମେସିନ୍ ବ୍ୟବହାର କରିଥିଲା। ତଥାପି ବିଳମ୍ବିତ ରରତି ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇପାରିନଥିଲା।
ଶେଷ ଖବର ଅନୁସାରେ ନିଆଁ ନିୟନ୍ତ୍ରଣକୁ ଆସିବା ବେଳକୁ କବାଡ଼ିଆ ଗୋଦାମ ପାଉଁଶ ପାହାଡ଼ ପାଲଟିଯାଇଥିଲା। ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ହଠାତ୍ ତାର ଛିଡ଼ିପଡ଼ିବା ପରେ ବଡ଼ଧରଣର ସ୍ପାର୍କିଂ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ଗୋଦାମରେ ଥିବା ଲୋକେ ଭୟରେ ବାହାରକୁ ଧାଇଁଥିଲେ। ଚାହୁଁଚାହୁଁ ନିଆଁ ଲାଗିଯାଇଥିଲା। କବାଡ଼ିଆ ଗୋଦାମ ଭିତରେ ଗଦା ହୋଇଥିବା ବର୍ଜ୍ୟ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। କଳ୍ପନାରୁ ଅଗ୍ନିଶମ ଗାଡ଼ି ପହଞ୍ଚିବା ବେଳକୁ ଅଫିସ ରୁମ୍ ଓ ରୋଷେଇ ଘରକୁ ନିଆଁ ମାଡ଼ିଯାଇଥିଲା। ପରେପରେ ନିଆଁ ପୂରା ଗୋଦାମକୁ ବ୍ୟାପୀ ଯାଇଥିଲା।