ଚନ୍ଦ୍ରଶେଖରପୁର: ଲକ୍ଷ୍ୟ ଥିଲା ୭ ଦିନ ଭିତରେ ଏକାମ୍ରକାନନରୁ ଆଇଏମ୍ଏ ପର୍ଯ୍ୟନ୍ତ ନିର୍ମାଣଧୀନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ହଟିବ। ମାତ୍ର ତାହାର ଢେର ଆଗରୁ ମାତ୍ର ୩ ଦିନ ମଧ୍ୟରେ ସାଲିଆସାହିରେ ଜବରଦଖଲ ଉଚ୍ଛେଦ ଶେଷ ହୋଇଛି। ମାଟିରେ ମିଶିଛି ଚିହ୍ନଟ ହୋଇଥିବା ୫୫୬ ଘର। ବସ୍ତିବାସିନ୍ଦାଙ୍କ ସମେତ ଭଡ଼ା ଦିଆଯାଇଥିବା ଘରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଯେପରି କୌଣସି ପ୍ରକାର ଜବରଦଖଲ ନ ହୁଏ ସେଥିପାଇଁ ସଙ୍ଗେ ସଙ୍ଗେ ରାସ୍ତା ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। ୬ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ପୂର୍ତ୍ତ ବିଭାଗ, ବିଏମ୍ସି, ବିଡିଏ, ସ୍ମାର୍ଟସିଟି, ବିଦ୍ୟୁତ୍, ୱାଟ୍କୋର କର୍ମଚାରୀମାନେ ଏବେ ବି ଡେରା ପକାଇ ରାସ୍ତା କାମକୁ ତ୍ବରାନ୍ବିତ କରୁଛନ୍ତି। କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ତମ୍ଭୁ ଟାଣି ଡେରା ପକାଇଛି ପୁଲିସ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗୋଟିଏ ସମୟରେ ସାଲିଆସାହିରେ ପ୍ରଶାସନ ପଶିବାକୁ ଭୟ କରୁଥିଲା। ଜବରଦଖଲ ହଟାଇବା ଦୂରର କଥା, ସାମାନ୍ୟ ରାସ୍ତା ମରାମତି କରିବା ବେଳେ ବି ବହୁ ବିରୋଧର ସାମ୍ନା କରୁଥିଲେ ସରକାରୀ ଅଧିକାରୀ। ଏଥର କିନ୍ତୁ ସେମିତି କିଛି ଘଟି ନାହିଁ। ପ୍ରଥମ ଦିନରେ ପ୍ରଶାସନ ସାମାନ୍ୟ ବିରୋଧର ସାମ୍ନା କରିଥିଲା। ତେବେ ପ୍ରଶାସନ ସମସ୍ତ କଳବଳ କୌଶଳ ପ୍ରୟୋଗ କରି ସାଲିଆସାହିର ପ୍ରାୟ ୧୨ ଏକର ପରିମିତ ଜମିକୁ ଜବରଦଖଲ ମୁକ୍ତ କରିଛି। ୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ନିର୍ମାଣ ହେବାକୁ ଥିବା ଜାଗାକୁ ହିଁ କେବଳ ଜବରଦଖଲ ମୁକ୍ତ କରାଯାଇଛି। ଏହାବାଦ୍ ଆଉ କୌଣସି ବି ଘର ଭଙ୍ଗାଯାଇ ନ ଥିବା ବିଡିଏର ଜଣେ ଅଧିକାରୀ କହିଛନ୍ତି।
ଏକାମ୍ରକାନନ-ଆଇଏମ୍ଏ ରାସ୍ତା ବାଟ ଫିଟିଲା
ଲକ୍ଷ୍ୟ ଥିଲା ୭ ଦିନ, ୩ ଦିନରେ ସବୁ ଶେଷ
ପଡ଼ିଆରୁ ବସ୍ତିବାସିନ୍ଦାଙ୍କୁ ହଟାଇଲା ପ୍ରଶାସନ
ବସ୍ତିରୁ ହଟାଯାଇଥିବା ଲୋକଙ୍କୁ ଥଇଥାନ: ମନ୍ତ୍ରୀ
ଅନ୍ୟପକ୍ଷରେ ନିକଟରେ ଥିବା ପଡ଼ିଆରେ ପାଲ ଟାଣି ଆଶ୍ରୟ ନେଇଥିବା ପରିବାରଗୁଡ଼ିକୁ ବି ଛଡ଼ା ଯାଇନି। ଦୁଇଦିନ ଧରି ଖୋଲା ଆକାଶ ତଳେ ଶୀତ କାକରରେ ଆଶ୍ରୟ ନେବା ପରେ ଆଜି ହଠାତ୍ ଏକ ଉଚ୍ଛେଦକାରୀ ଦଳ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଘଉଡ଼ାଇଥିଲେ। ସକାଳୁ ସକାଳୁ ସେମାନଙ୍କୁ ଜାଗା ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲେ। ପ୍ରଶାସନ କଥା ମାନି ୧୦ରୁ ୧୫ ଜଣ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ଆଉ ଯେଉଁମାନେ ଯାଇ ନଥିଲେ, ସେମାନଙ୍କ ବିରୋଧରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଅପରାହ୍ଣରେ ଏକାଧିକ ବୁଲ୍ଡୋଜର ଲଗାଇ ଗୋଟିଏ ପରେ ଗୋଟିଏ ତମ୍ଭୁକୁ ଭାଙ୍ଗି ଦେଇଥିଲେ। ସନ୍ଧ୍ୟା ସୁଦ୍ଧା ପଡ଼ିଆ ଖାଲି ହୋଇଯାଇଛି। ତୃତୀୟ ଦିନ ଜବରଦଖଲ ସମୟରେ କେହି ବି ବିରୋଧ କରିବାକୁ ଆସି ନଥିଲେ। ବରଂ ବସ୍ତିବାସିନ୍ଦାମାନେ ନିଜ ସାମଗ୍ରୀଗୁଡ଼ିକୁ ସାଇତି ରଖିବାକୁ ଲାଗିପଡ଼ିଥିଲେ। ଘରୁ ସାମଗ୍ରୀ କାଢ଼ିବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ।
ଗୋଟିଏ ପରେ ଉଚ୍ଛେଦ ଚାଲିଥିବା ବେଳେ ଅନ୍ୟପଟେ ଥଇଥାନ ମଧ୍ୟ ହେଉଛି। ଯେଉଁମାନେ ବୁଦ୍ଧବିହାର ଆବାସ ପ୍ରକଳ୍ପରେ ଘର ପାଇସାରିଛନ୍ତି, ସେମାନେ ଚାବି ନେଇ ରହୁଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ଚାବି ଗ୍ରହଣ କରିନାହାନ୍ତି, ସେମାନେ ତୁରନ୍ତ ଚାବି ନେଇ ସେଠାରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଯଦି କୌଣସି ପରିବାର ଏକ୍ଷେତ୍ରରେ ପ୍ରଶାସନକୁ ସହଯୋଗ ନ କରନ୍ତି ତେବେ ପରବର୍ତ୍ତୀ ସମୟରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏମିତିକି ଆବାସ ଯୋଜନାରେ ସେମାନଙ୍କୁ ଘର ମିଳି ନପାରେ ବୋଲି ବିଡିଏର ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ସାଲିଆସାହିରେ ଯେଉଁମାନେ ଘର ଛାଡ଼ୁନାହାନ୍ତି, ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। କାରଣ ସେମାନେ ଏକାଧିକ ଘର ଭଡ଼ାରେ ଲଗାଇଛନ୍ତି। କାଳେ ସେମାନଙ୍କ ଘର ଭାଙ୍ଗିଯିବ ସେହି ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି। ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବସ୍ତିରୁ ହଟାଯାଇଥିବା ସମସ୍ତ ଲୋକଙ୍କୁ ଥଇଥାନ କରାଯିବ।
ବସ୍ତିରେ ସୌଖୀନ ଜୀବନଯାପନ
ବାହାରୁ ଦେଖିଲେ ଛୋଟିଆ ଘର। ଭିତରକୁ ପଶିଲେ ମୁଣ୍ଡ ବାଜିବା ଥୟ। ମାତ୍ର ଜବରଦଖଲ ଉଚ୍ଛେଦ ସମୟରେ ଘର ଭିତରରୁ ବାହାରୁଥିବା ସାମଗ୍ରୀଗୁଡ଼ିକ ଦେଖିଲେ କୌଣସି ସୌଖୀନ ଘରଠାରୁ କମ୍ ନୁହେଁ। ଘର ଭିତରେ ପଲଙ୍କ, ଆଲମିରା, ଫ୍ରିଜ୍, କୁଲର, ୱାସିଂମେସିନ୍ ପରି କେତେ କ’ଣ ସାମଗ୍ରୀ। ଏମିତିକି ବିଲାତି କୁକୁର ବି ଘରେ ପାଳିଛନ୍ତି। ଏସବୁ ସାମଗ୍ରୀ ଦେଖି ଉଚ୍ଛେଦକାରୀ ଦଳର ଆଖି ଜଳକା ମାରି ଯାଇଥିଲା। ସମସ୍ତ ସାମଗ୍ରୀ ବାହାରକୁ ଆଣିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ଏଥିସହ ଘର ଭିତରୁ ବିଜୁଳି ଓ ଇଣ୍ଟରନେଟ୍ ସଂଯୋଗ ବି ହୋଇଥିଲା। ଏସବୁ ସୌଖିନ ସାମଗ୍ରୀ ରଖି ବସ୍ତି ଭିତରେ ବର୍ଷ ବର୍ଷ ଧରି ରହି ଆସୁଥିଲେ ଏକାଧିକ ପରିବାର।
ରାଜନେତାଙ୍କ କବଳରେ ଘର
ଚିଲିକା ନିର୍ବାଚନମଣ୍ଡଳୀର ଏକ ପଞ୍ଚାୟତରେ ସରପଞ୍ଚ ଅଛନ୍ତି। ହେଲେ ସାଲିଆସାହିରେ ତାଙ୍କ ଘର ଅଛି। ବସ୍ତିରେ ଏକାଧିକ ଘର ନିର୍ମାଣ କରି ତାହାକୁ ଭଡ଼ାରେ ଲଗାଇ ଅର୍ଥ ଉପାର୍ଜନ କରୁଥିଲେ। ଉଚ୍ଛେଦ ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ବିଏମ୍ସିର ଦୁଇଜଣ କର୍ପୋରେଟରଙ୍କର ଏହା ପରିସରରେ ୧୦ରୁ ୧୨ଟି ଘର ରହିଥିବା ଦେଖିବାକୁ ମିଳିଥିଲା। ଉଚ୍ଛେଦ ସମୟରେ କେହି ପ୍ରତିବାଦ କରି ନଥିଲେ। ବରଂ ସ୍ବଇଚ୍ଛାରେ ପ୍ରଶାସନକୁ ସହଯୋଗ କରିଥିଲେ। ଆମ ସପକ୍ଷରେ କେହି କହୁନ କି ଲେଖୁନ ବୋଲି କର୍ପୋରେଟର୍ ଜଣକ ସାମ୍ବାଦିକଙ୍କ ଆଗରେ ଦୁଃଖ ବଖାଣୁଥିଲେ।
ତଣ୍ଡ ଗଣିଲେ ୫୦ ହଜାର
ଜବରଦଖଲ ଉଚ୍ଛେଦର ପ୍ରଥମ ଦିନରେ ଭୁଲ୍ରେ ଏକ ଘର ଭାଙ୍ଗି ହଟହଟା ହୋଇଛି ଉଚ୍ଛେଦକାରୀ ଦଳ। ଯେଉଁ ଘର ଭାଙ୍ଗିଥିଲେ ସମ୍ପୃକ୍ତ ଘରର ହିତାଧିକାରୀଙ୍କୁ ଆଜି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଆଜି ପ୍ରଶାସନକୁ ୫୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/21/saliasahi-2025-11-21-01-34-52.jpg)