ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କରାଜ ଘଟଣା : ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ, ଲାଗିଲା ‘ଆତଙ୍କବାଦୀ’ ଦଫା

ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ ୨୧ ଜଣଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ପ୍ରଥମ ଦଫ‌ାରେ ୧୮ ଜଣଙ୍କୁ ଧରିଥିବା‌ ବେଳେ ଦ୍ବିତୀୟ ଦଫାରେ ଆଉ ୩ ଜଣଙ୍କୁ ଧରିଛି। ପ୍ରଥମେ ଧରାପଡ଼ିଥିବା ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ନାବାଳକ। ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୨ ଜଣଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ଉପସ୍ଥାପନ କରାଯିବା ପରେ ବ୍ରହ୍ମପୁର ଜୁଭେନାଇଲ ହୋମ୍‌କୁ ପଠାଯାଇଛି। ଗିରଫ ୬ ଅଭିଯୁକ୍ତ ହେଉଛନ୍ତି ବଡ଼ଗଡ଼ ବିଜେବି ନଗରର ମାଧବ ଚନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ରନା‌ଥ ନାୟକ, ବଡ଼ଗଡ଼ ମହିଷାଖାଲର ଚନ୍ଦନ ଦା‌ସ, କେ. ସନ୍ତୋଷ କୁମାର ଓ ବିଶ୍ବନାଥ ପ୍ରଧାନ ଏବଂ ବଡ଼ଗଡ଼ କେନାଲ ରୋଡ୍‌ର ପ୍ରିୟରଞ୍ଜନ ଦାସ।

ଦ୍ବିତୀୟ ଦଫାରେ ଧରାପଡ଼ିଥିବା ୩ ଜଣଙ୍କୁ ପଚରାଉଚରା ଚାଲିଛି। ସେମାନଙ୍କର ବୟସ ମଧ୍ୟ ଯାଞ୍ଚ କରାଯାଉଛି। ପୁଲିସ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ସେମାନେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ପୁଲିସ‌ ସେମାନଙ୍କୁ ବିଭିନ୍ନ ଜାଗାରୁ ଉଠାଇ ଆଣିଥିଲେ ମଧ୍ୟ ସେମାନେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ସକାଳେ ଧରାପଡ଼ିଥିବା ନାବାଳକଙ୍କ ମଧ୍ୟରୁ ମହିଷାଖାଲର ଦୁଇଜଣ ଘଟଣାରେ ସାମିଲ ନଥିବା ଅଭିଯୋଗ ହୋଇଛି। ଦୁଇ ନାବାଳକଙ୍କର ମା’ ଆଜି କ୍ୟାପିଟାଲ ଥାନାରେ ପହଞ୍ଚି ଏଭଳି ଅଭିଯୋଗ କରିବା ସହ ଛାଡ଼ି ଦେବା ପାଇଁ ନେହୁରା ହୋଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ସିସିଟିଭି ଓ ଭିଡିଓ ଫୁଟେଜ୍‌ ଜରିଆରେ ଚିହ୍ନଟ କରାଯାଇଛି ଓ କେହି ଆତ୍ମସମର୍ପଣ କରିନାହାନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି।

ଏହାଛଡ଼‌ା ଏଥିରେ ସମ୍ପୃକ୍ତ ଅନ୍ୟ ୩ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ଗୋପୀ ଓ ପ୍ରୀତମ ଫେରାର ଅଛନ୍ତି ବୋଲି ପୁଲିସ କହୁଛି। ସେମାନଙ୍କୁ ଧରିବା ପାଇଁ କ୍ୟାପିଟାଲ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଦ୍ବିତୀୟ ଦଫାରେ ଗିରଫ ୩ ଜଣ ମୁଖ୍ୟ ଅଭିଯୁକ୍ତ କି ନାହିଁ ଯାଞ୍ଚ ଚାଲିଛି।

ସୁରକ୍ଷାକୁ ନେଇ ପ୍ରଶ୍ନ
ଶୁକ୍ରବାରର ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏବେ ବି ଭୟର ବାତାବରଣ ଲାଗି ରହିଛି। ମାର୍କେଟରେ ପ୍ରବଳ ଭିଡ଼ ସମୟରେ ଏହି ଘଟଣା ଘଟିଥିବାରୁ ସେଇ ଅଧ ଘଣ୍ଟାର ଚିତ୍ରକୁ ଲୋ‌କଙ୍କ ସହ ଦୋକାନୀ ଭୁଲି ପାରୁନାହାନ୍ତି। କ୍ୟ‌ାପିଟାଲ ଥାନା ବିପରୀତ ଦିଗରେ ଏହି ଘଟଣା ଘଟିଥିଲେ ମଧ୍ୟ ବିଳମ୍ବରେ ପହଞ୍ଚି ଥିବାରୁ ପୁଲିସ ବିବାଦକୁ ଆସିଛି। ଏଭଳି ଘଟଣା ଘଟିବା ନେଇ ଉଠା ଦୋକାନୀଙ୍କ ସହ ସାଧାରଣ ଲୋକ ଓ ଗ୍ରାହକ ପୁଲିସର ଅବହେଳାକୁ ଦୋଷ ଦେଇଛନ୍ତି। ଘଡି କିଣା-ବିକା ଭଳି ଏକ ଛୋଟ ଘଟଣାକୁ ନେଇ ଏଭଳି କାଣ୍ଡ ଘଟିବା ଓ ପୁଲିସ ଠିକ୍‌ ସମୟ‌ରେ ନ ପହଞ୍ଚିବା ଘଟଣା ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। କମିସନରେଟ୍‌ ପୁଲିସ ୧୨ତମ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ‘ଉଇ ଡେୟାର, ଉଇ କେୟାର୍‌’ ସ୍ଲୋଗାନ୍‌କୁ ପରିବର୍ତ୍ତନ କରି ‘ଆମ ପୁଲିସ, ଆମ ସୁରକ୍ଷା’ କରିଛି। ହେଲେ ଖୋଲାଖୋଲି ଭାବରେ ଅପରାଧୀଙ୍କ ଏଭଳି ଆତଙ୍କରାଜ ଘଟଣାରେ ‘ସୁରକ୍ଷା’କୁ ନେଇ ପ୍ରଶ୍ନ ଉଠିଛି।

୧୩ଦଫା ସହ ଆର୍ମସ ଆକ୍ଟ
ଅଭିଯୁକ୍ତଙ୍କ ବିରୋଧରେ କମିସନରେଟ୍‌ ପୁଲିସ ଲଗାଇଛି ସଙ୍ଗୀନ ଦଫା। ଆଇପିସିର ୧୪୭, ୩୪୧, ୩୨୩, ୩୨୪, ୩୨୫, ୨୯୪, ୩୮୬, ୩୦୭, ୩୯୫, ୪୨୭, ୫୦୬, ୧୪୮, ୧୪୯ ଭଳି ୧୩ଟି ଦଫା ସହ ୨୭ ଆର୍ମସ୍‌ ଆକ୍ଟ ଦଫାରେ ମାମଲା ରୁଜୁ ହୋଇଛି। ତା’ ସହିତ ଆତଙ୍କବାଦୀଙ୍କ ବିରୋଧରେ ଲାଗୁଥିବା ସଂଶୋଧିତ ଅପରାଧ ଆଇନର ଦଫା ୭ ବଳରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଏହି ସମସ୍ତ ଦଫା ରହିଛି। ବ୍ୟବସାୟୀମାନେ ଭୟରେ ମୁହଁ ଖୋଲୁ ନାହାନ୍ତି। ଏଣୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରୁଛି।

ସ୍ଥିତି ଉପରେ ନଜର ଅଛି
ଖବର ଉପରେ ସମ୍ପୂର୍ଣ୍ଣ ନଜର ରହିଛି। ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରାଯାଉଛି। ସର୍ବସାଧରଣରେ ଦଙ୍ଗା, ଜନସାଧାରଣଙ୍କୁ ଭୟଭୀତ କରିବା ଓ ଆତଙ୍କ ସୃ୍ଷ୍ଟି କରିବା ଭଳି ଘଟଣାକୁ କଦାପି ବରଦାସ୍ତ କରାଯିବ ନାହିଁ। ଯିଏ ବି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ପାଟ୍ରୋଲିଂ କଡ଼ାକଡ଼ି
ଦିନେ କାଳେ ପିସିଆର ଭ୍ୟାନ୍‌ ଦିଶୁ ନ ଥିବା ୟୁନିଟ୍‌-୨ ମାର୍କେଟ୍‌ ଅଞ୍ଚଳରେ ଏବେ ପିସିଆର ଭ୍ୟାନ୍‌ ଘଡ଼ିକୁ ଘଡ଼ି ଚକ୍କର କାଟୁଛି। ଏକାଠି ଛିଡ଼ା ହୋଇ ଗୁଲି ଖଟି କରୁଥିବା ଯୁବକଙ୍କ ଆଡ଼କୁ କର୍ମଚାରୀମାନେ ଗାଡ଼ିରୁ ଓହ୍ଲାଇ ମାଡ଼ି ଆସୁଥିବା ପରିଲକ୍ଷିତ ହୋଇଛି। ବ୍ୟବସାୟୀ ଓ ଗ୍ରାହକ ଏହି ପାଟ୍ରୋଲିଂକୁ ସ୍ବାଗତ କରିଛନ୍ତି। କିନ୍ତୁ ବଡ଼ ବଡ଼ ଘଟଣା ଘଟିବା ପରେ ପୁଲିସ ଏଭଳି ତତ୍ପରତା ଦେଖାଇଥାଏ। ପରେ ଚର୍ଚ୍ଚା ଥମିଗଲେ ଆଉ ତତ୍ପରତା ପ୍ରକାଶ ପାଏନାହିଁ। ପୁଣି ଆଉ ଏକ ଅଘଟଣକୁ ଅପେକ୍ଷା କରେ ବୋଲି କେତେକ ବ୍ୟବସାୟୀ ମତ ରଖିଛନ୍ତି।

ଗ୍ୟାଙ୍ଗ୍‌ୱାର୍‌ ଆଶଙ୍କା
ଏଠାରେ ଅର୍ଦ୍ଧାଧିକ ଉଠାଦୋକାନ ବ୍ୟବସାୟ ଜଣେ ଅଣଓଡ଼ିଆ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ତାଙ୍କ ଆଶୀର୍ବାଦ ବିନା ଏଠାରେ ଅନ୍ୟ ଦୋକାନ ପଡ଼ିପାରେ ନାହିଁ କିମ୍ବା ତାଙ୍କ ଛତ୍ରଛାୟା ତଳେ ଥିବା ଦୋକାନୀଙ୍କୁ କେହି ହାତ ମାରି ପାରନ୍ତି ନାହିଁ। ଏଥିରେ ପୁଲିସ ଓ ବିଏମ୍‌ସି କର୍ମଚାରୀ ମଧ୍ୟ ସାମିଲ ଥା’ନ୍ତି। ସେଥିପାଇଁ ବର୍ଷ ବର୍ଷ ଧରି ଏଭଳି ଏକ ବ୍ୟବସାୟୀ ଗ୍ୟାଙ୍ଗ୍‌ ଏଠାରେ ରହିଛି। ଏହି ଆତଙ୍କରାଜ ପରେ ଗୋଟିଏ ଗୋଷ୍ଠୀ ବ୍ୟବସାୟୀମାନଙ୍କର ଶତ୍ରୁ ଭାବରେ ଛିଡ଼ା ହୋଇଛି। ଘଣ୍ଟା କିଣାବିକାକୁ ନେଇ ସୂତ୍ରପାତ ହୋଇଥିବା ଗଣ୍ଡଗୋଳ ଏହି ଆତଙ୍କରାଜକୁ ଜନ୍ମ ଦେଇଥିଲା। ଯେଉଁଥିରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨ ଜଣ ନାବାଳକଙ୍କୁ ଜୁଭେନାଇଲ୍‌ ହୋମ୍‌ ପଠାଯାଇଛି। ଏବେ ଉଭୟଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ୩ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ଯେ କୌଣସି ସମୟରେ ଗ୍ୟାଙ୍ଗ୍‌ୱାର୍‌ ହୋଇପାରେ ବୋଲି କେତେକ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର