୧୨ଟି ସ୍ଥାନରେ ଖୋଲିଲା ଚିଲିକା ଫ୍ରେସ୍‌

୪.୮ କୋଟି ଟଙ୍କା ଖର୍ଚ୍ଚ, ଡିସେମ୍ବର ସୁଦ୍ଧା ଆଉ ୧୪ଟି

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ସ୍ୱାସ୍ଥ୍ୟକର ପରିବେଶରେ ସତେଜ ମାଛ ଓ ମତ୍ସ୍ୟଜାତ ଦ୍ରବ୍ୟ ଯୋଗାଇ ଦେବା ପାଇଁଁ ପଦକ୍ଷେପ ନେଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପୂର୍ବରୁ ଫିସ୍‌ଫେଡ୍‌ ମାଧ୍ୟମରେ ସହରର ୩ଟି ସ୍ଥାନରେ ‘ଚିଲିକା ଫ୍ରେସ୍‌’ ଖୋଲାଯାଇଥିବା ବେଳେ ଆଉ ୨୬ଟି ସ୍ଥାନରେ ଖୋଲିବା ଲାଗି ‘ଫାଲକନ୍‌ ମେରାଇନ୍‌’ ସହ ବୁଝାମଣା ହୋଇଥିଲା। ସେହି ଅନୁଯାୟୀ ଆଜି ରାଜଧାନୀର ଆଉ ୧୨ଟି ସ୍ଥାନରେ ‘ଚିଲିକା ଫ୍ରେସ୍‌’ ଖୋଲାଯାଇଛି। ଏଥିପାଇଁ ୪.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଆଜି ରାଜଧାନୀର କେଶରୀ ସିନେମା ହଲ୍‌ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଲିକା ଫ୍ରେସ୍‌ ଆଉଟଲେଟ୍‌କୁ ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ଆଜି ପ୍ରଥମ ପର୍ଯ୍ୟାୟରେ ଡୁମୁଡୁମା, ଶୈଳଶ୍ରୀବିହାର, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ ନଗର, ରସୁଲଗଡ଼, କଳିଙ୍ଗନଗର, ଲକ୍ଷ୍ମୀସାଗର, ପୋଖରୀପୁଟ, ଖଣ୍ଡଗିରି, ନାକାଗେଟ୍‌, ସାଂପୁର ଏବଂ ପଟିଆ ଛକ ଆଦି ମୋଟ ୧୨ଟି ସ୍ଥାନରେ ‘ଚିଲିକା ଫ୍ରେସ୍‌’ ଖୋଲିଛି। ଫିସ୍‌ଫେଡ୍‌ ଏବଂ ଫାଲକନ୍‌ର ମିଳିତ ଉଦ୍ୟମ (ପିପିପି) ମୋଡ୍‌ରେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆଉ ୧୪ଟି ‘ଚିଲିକା ଫ୍ରେସ୍‌’ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ମତ୍ସ୍ୟ ଓ ପ୍ରାଣୀ ସମ୍ପାଦ ବିଭାଗ ପକ୍ଷରୁ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଭଦ୍ରକ, ଜୟପୁର, ବାରିପଦା, ଭବାନୀପାଟଣା ସହରରେ ୧୦୦ଟି ‘ଚିଲିକା ଫ୍ରେସ୍‌’ ପର୍ଯ୍ୟାୟ କ୍ରମେ ଖୋଲିବା ଲାଗି ଉଦ୍ୟମ ଜାରି ରହିଛି।

ଫାଲକନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀଙ୍କୁ ଗ୍ରାହକଙ୍କ ସହ ଯୋଡ଼ିବାରେ ଏହା ସହାୟକ ହେବ। କମ୍‌ ମୂଲ୍ୟରେ ଗ୍ରାହକଙ୍କ ନିକଟରେ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯାଇଛି। ଏବେ ୧୨ଟି ଚିଲିକା ଫ୍ରେସ୍‌ ଖୋଲିଛି। ସ୍ଥାନ ଚିହ୍ନଟ ହେବା ପରେ ଆଉ ୧୪ଟି ଖୋଲିବା ଦିଗରେ ପଦକ୍ଷେପ ନିଆଯିବ।

ଉଦ୍‌ଘାଟନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯର୍୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଫିସ୍‌ଫେଡ୍‌ ଓ ଫିିସ୍‌କୋଫେଡ୍‌ର ଅଧ୍ୟକ୍ଷ ଟି.ପ୍ରସାଦ ରାଓ ଦୋରା, ମତ୍ସ୍ୟ ଓ ପ୍ରାଣୀ ସମ୍ପାଦ ବିିଭାଗ ଶାସନ ସଚିବ ବିଶାଳ ଗଗନ, ମତ୍ସ୍ୟ ବିଭାଗ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ି ପ୍ରସ୍ତୁତ ଖାଦ୍ୟ

ଗ୍ରାହକଙ୍କ ପାଖରେ ପହଞ୍ଚିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ। ଆଉ ହୋଟେଲ ଯିବାକୁ ପଡ଼ିବନି କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହେବନି। ଗାଡ଼ିରେ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏଭଳି ଏକ ଅଭିନବ ପ୍ରୟାସ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଫିସ୍‌ଫେଡ୍‌ ମାଧ୍ୟମରେ ମୁକ୍ତ ଟେଣ୍ଡର ପ୍ରକ୍ରିୟାରେ ଡାଟମ ମାର୍କେଟିଂ ଲିମିଟେଡ୍‌ ପ୍ରଥମ ପର୍ଯ୍ୟାୟରେ ୧୦ଟି ‘ଫିସ୍‌ ଅନ୍‌ ହ୍ଵିଲ୍‌’ ଗାଡ଼ିର ଶୁଭାରମ୍ଭ ହୋଇଛି। କେଶରୀ ହଲ୍‌ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଗାଡ଼ି ମାଧ୍ୟମରେ ଗ୍ରାହକମାନେ ନିଜ ପସନ୍ଦ ଅନୁଯାୟୀ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ପାଇବେ। ସ୍ୱଚ୍ଛ ପରିବେଶ ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯିବ। ସହରର ବିଭିନ୍ନ ସ୍ଥାନ ସମେତ ପର୍ଯ୍ୟଟନସ୍ଥଳୀରେ ବି ଏହି ଗାଡ଼ି ବୁଲିବ। ଏବେ ୯ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ। ଗ୍ରାହକଙ୍କ ପସନ୍ଦକୁ ଆଖିରେ ରଖି ଏହି ସଂଖ୍ୟାକୁ ବୃଦ୍ଧି କରାଯିବ। ସତେଜ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର