ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଭୁବନପୁର ଗ୍ରାମର ବିଭୁ ପାତ୍ର ନାମକ ଜଣେ ଛେଳି ପାଳକଙ୍କ ୧୨ଟି ଛେଳି ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଗୁହାଳ ଘରୁ ସବୁତକ ଛେଳି ଫିଟାଇ ନେଇଥିଲେ। ବନ୍ଧୁକଧାରୀଙ୍କ ସହ ଅନ୍ୟ ଜଣେ ଯୁବକ ତାଙ୍କ ପରିବାର ସଦସ୍ୟଙ୍କୁ ଭୟଭୀତ କରାଇଥିଲେ। ଅନ୍ୟ ୩ଜଣ ଯୁବକ ଛେଳି ପାଟିରେ ସେଲୋଟେପ୍ ବାନ୍ଧି ଗାଡ଼ିରେ ଉଠାଇ ନେଇଥିଲେ। ଏ ସଂପର୍କରେ ବିଭୁ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଚୋରି ହୋଇଥିବା ୧୨ଟି ଛେଳିର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ। ଅଭିଯୋଗକୁ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। କିନ୍ତୁ ଛେଳି କିମ୍ବା ଲୁଟେରାଙ୍କ ସଂପର୍କରେ ସୁରାକ୍ ପାଇପାରିନି। ସୂଚନାଯୋଗ୍ୟ, ଛେଳି ପାଳନ କରି ଯାହା ରୋଜଗାର ହେଉଥିଲା, ସେଥିରେ ବିଭୁଙ୍କ ପରିବାର ଚଳୁଥିଲା। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କ ଛେଳି ଚୋରି କରିନେବାରୁ ଏବେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପରିବାର କେମିତି ଚଳିବ, ସେଇ ଚିନ୍ତା ତାଙ୍କୁ ଘାରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp