ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ୟୁଟିଲିଟି ସେଣ୍ଟର୍/ମାର୍କେଟ୍ କମ୍ପ୍ଲେକ୍ସରେ ୧୨ଲକ୍ଷ ୧୦ ହଜାରରୁ ଅଧିକ ଟଙ୍କା ଭଡ଼ା ବାକି ପଡ଼ିଛି। ମୋଟ ୧୪ ଦୋକାନ ମଧ୍ୟରୁ କେବଳ ଦୁଇଟି ଦୋକାନର ଭଡ଼ା ବାବଦ ବକେୟା ୯ଲକ୍ଷ ଟଙ୍କା ରହିଛି। ଏହି ବକେୟା ରାଶି ଶୀଘ୍ର ପଇଠ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ବାରମ୍ବାର ନୋଟିସ୍ ଦେଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି କିମ୍ବା ଦୋକାନ ଘର ଛାଡ଼ୁ ନାହାନ୍ତି। ତେଣୁ ତିନିମାସରୁ ଅଧିକ ଭଡ଼ା ବାକିଥିବା ଦୋକାନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଦୋକାନରେ ଥିବା ଜିନିଷପତ୍ରକୁ ଜବତ କରିବା ସହ ସେମାନଙ୍କୁ ବାହାର କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।
ସୂଚନା ଅନୁସାରେ, ଗତ ଫେବ୍ରୁଆରି ସୁଦ୍ଧା କେବଳ ଦୁଇଟି ଦୋକନୀ ତାଙ୍କ ସମସ୍ତ ଭଡ଼ା ପଇଠ କରିଥିବା ବେଳେ ବାକି ମାନେ ଦେଇନାହାନ୍ତି। ଜଣେ ଦୋକାନୀଙ୍କ ଉପରେ ସର୍ବାଧିକ ୫ ଲକ୍ଷ ୪ ହଜାରରୁ ଅଧିକ ଟଙ୍କା ଓ ଅନ୍ୟଜଣଙ୍କ ଉପରେ ପ୍ରାୟ ୪ ଲକ୍ଷ ଟଙ୍କା ଭଡ଼ା ବକେୟା ରହିଛି। ସେହିଭଳି ୪ଟି ଦୋକାନ ଉପରେ ୪୦ ହଜାରରୁ ଅଧିକ ଟଙ୍କା ବକେୟା ରହିଛି।
ୟୁଟିଲିଟି ସେଣ୍ଟର ଭଡ଼ା ଟଙ୍କା କ୍ୟାପିଟାଲ ହସ୍ପିଟାଲର ଏକମାତ୍ର ନିଜସ୍ବ ଫଣ୍ଡ। ଆରକେଏସ୍ ବୈଠକରେ ଯେଉଁ ଉନ୍ନୟନ ମୂଳକ ନିଷ୍ପତ୍ତି ନିଆଯାଏ, ଏହି ଟଙ୍କାରୁ ହିଁ କାର୍ଯ୍ୟ ସମ୍ପାଦନ କରାଯାଇଥାଏ। ଭଡ଼ା ଟଙ୍କା ଆସୁ ନଥିବାରୁ ବହୁ ନିଷ୍ପତ୍ତି ଏବେ ଟଙ୍କା ଅଭାବରୁ ଅଟକି ରହିଛି।
ଏ ବାବଦରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଦୋକାନୀମାନଙ୍କୁ ବାରମ୍ବାର ନୋଟିସ୍ ଦେଲା ପରେ ମଧ୍ୟ ଶୁଣୁନାହାନ୍ତି। ଆର୍କେଏସ୍ ବୈଠକରେ ମଧ୍ୟ ଭଡ଼ା ଟଙ୍କା ଦେବାକୁ କୁହାଯାଇଛି। କିନ୍ତୁ ସେମାନେ ବିଭିନ୍ନ ଆଳ ଦେଖାଇ ରହୁଛନ୍ତି। କୋଭିଡ୍ ସମୟରେ କିଛି ସମୟ ଛାଡ଼ କରାଯାଇଥିଲା। ଏହା ପରଠାରୁ ସେମାନେ ଆଉ ଟଙ୍କା ଦେଉନାହାନ୍ତି। ତେଣୁ ଭଡ଼ା ଦେଉନଥିବା ଦୋକାନଗୁଡ଼ିକୁ ସେଠାରୁ ଉଚ୍ଛେଦ ସହ ଟଙ୍କା ଆଦାୟ ପାଇଁ କଠୋର ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।