ଭୁବନେଶ୍ୱର(ତାପସ ଦାସ): ବିଶ୍ୱର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲାଇ ଦେବାର ପ୍ରତିଶ୍ରୁତି ଦେଇ ବିଜ୍ଞାପନ। ବିଜ୍ଞାପନ ଦେଖି ସାରା ରାଜ୍ୟରୁ ପାଖାପାଖି ୧୫ଟି ପରିବାର ରାଜଧାନୀରେ ଥିବା ଆଇଓ୍ଵା ଟୁରସଆଣ୍ଡ ଟ୍ରାଭେଲ୍ସରେ କାଗଜପତ୍ର ଓ ପାସପୋର୍ଟ ଜେରକ୍ସ ସହିତ ଆବେଦନ କଲେ। ବିମାନଟିକଟ, ହୋଟେଲ୍ରେ ଖାଇବା, ରହିବା, ଗାଇଡ୍ ଓ ଭିସା ଆଦି ନେଇ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କଲା ସଂସ୍ଥା। ଏପରିକି ବିମାନ ଟିକଟର ଜେରକ୍ସ କପି ଓ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ପର୍ଯ୍ୟଟକମାନଙ୍କୁ ଦିଆଯାଇଥିଲା। କୁହାଯାଇଥିଲା ଯେ, ଏକ ନିର୍ଦିଷ୍ଟ ଦିନରେ ଆସି ଟ୍ରାଭେଲ୍ସରେ ପହଞ୍ଚିବେ। ପରେ ସେମାନେ ବିଦେଶକୁ ଉଡିଯିବେ। ତେବେ ରାଜ୍ୟରୁ ଏଭଳି ୧୫ଟି ପରିବାର ନିଜ ପିଲାଛୁଆ ଓ ପତ୍ନୀଙ୍କୁ ଧରି ଭୁବନେଶ୍ୱର ପହଞ୍ଚି ଦେଖନ୍ତି ତ ସଂସ୍ଥାରେ ତାଲା। ସଂସ୍ଥା ମୁଖ୍ୟଙ୍କ ମୋବାଇଲ୍ ଫୋନ୍ ସୁଇଚଅଫ୍। ସମସ୍ତ ୧୫ଟି ପରିବାରର ମୁଖ୍ୟଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏମିତି ଭାବେ ସେମାନେ ଠକେଇର ଶିକାର ହେବେ ବୋଲି ବିଶ୍ୱାସ କରି ପାରି ନ ଥିଲେ। ଶେଷରେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ସହିଦନଗର ଥାନା ଅଧୀନ ରସୁଲଗଡ଼ କେଶବ କଂପ୍ଲେକ୍ସରେ ରହିଛି ଆଇଓ୍ଵା ଟୁରସ ଆଣ୍ଡ ଟ୍ରାଭେଲ୍ସ। ଏହି ସଂସ୍ଥା ମାଲେସିଆ, ସିଙ୍ଗାପୁର ଆଦି ପର୍ଯ୍ୟଟନସ୍ଥଳକୁ ବୁଲାଇବାକୁ ୭ ରାତି ଓ ୮ ଦିନର ଏକ ଟୁର ପ୍ୟାକେଜର ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣା ଅଞ୍ଚଳର ଏଲଆଇସି ଡିଓ ସନାତନ ବେହେରା ମଧ୍ୟ ବିଦେଶ ଭ୍ରମଣରେ ଯିବାକୁ ଆବେଦନ କରିଥିଲେ। ତାଙ୍କ ପରିବାରର ଗୀତାରାଣୀ ବେହେରା, ସନ୍ଦୀପ କୁମାର ବେହେରା ଓ ସୁଶ୍ରୀ ସଂଗୀତା ବେହେରା ପ୍ରମୁଖ ବିଦେଶ ଯାଇଥାନ୍ତେ। ଏଥି ପାଇଁ ସନାତନ ସଂସ୍ଥା ନିକଟରେ ୨ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ଆକାରରେ ଜମା କରିଥିଲେ। ଟ୍ରାଭେଲ୍ସ କର୍ତୃପକ୍ଷ ତାଙ୍କ ପରିବାରର ୪ ଜଣଙ୍କ ପାସପୋର୍ଟ ମଧ୍ୟ ରଖିଛି। ଗତକାଲି ସେମାନେ ଭୁବନେଶ୍ୱରରେ ପହଞ୍ଚି ସେହି ଟ୍ରାଭେଲ୍ସ ନିକଟରେ ପହଞ୍ଚିବା ପରେ ସେଠାରେ ତାଲା ପଡ଼ିଥିଲା। ଆଉ ସେ ଦେଖିବାକୁ ପାଇଥିଲେ ତାଙ୍କ ଭଳି ଆହୁରି ୧୪ଟି ପରିବାର ଏଭଳି ସାମନ ଢ଼ଙ୍ଗରେ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସହିଦନଗର ଥାନାରେ ସନାତନ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ତେବେ ସନାତନଙ୍କ ଏଭଳି ଠକେଇ ଅଭିଯୋଗ ନେଇ ଆଇଓ୍ଵା ଟୁରସ ଆଣ୍ଡ ଟ୍ରାଭେଲ୍ସ ମୁଖ୍ୟ ଦେବୀ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/bbs2.jpg)