ଭୁବନେଶ୍ବର: ୧୬ନମ୍ବର ଜାତୀୟ ରାଜପଥରେ ଛିନ୍‌ତାଇ କରୁଥିବା କୁଖ୍ୟାତ ଉଲା ତାରୋ(୨୦)କୁ ଆଜି ଭରତପୁର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ତା’ ନିକଟରୁ ୧୨ଟି ଦାମୀ ମୋବାଇଲ୍‌ ଓ ଲୁଟ୍‌ ବେଳେ ସେ ବ୍ୟବହାର କରୁଥିବା ଗୋଟିଏ ପଲ୍‌ସର ବାଇକ୍‌ ଜବତ କରାଯାଇଛି।

Advertisment

ସୂଚନା ମୁତାବକ ଗତ ୧୬ତାରିଖ ଦିନ ବିକାଶ ସ୍ବାଇଁ ତାଙ୍କ ବନ୍ଧୁଙ୍କୁ ଛାଡ଼ିବା ଲାଗି ବରମୁଣ୍ଡା ବସଷ୍ଟାଣ୍ଡକୁ ଆସିଥିଲେ। ବସ୍‌ଷ୍ଟାଣ୍ଡରେ ସେ ଫୋନ୍‌ରେ କଥା ହେଉଥିବା ସମୟରେ ଉଲା ଓ ତା’ର ଜଣେ ସହଯୋଗୀ ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। କିନ୍ତୁ ଦ୍ରୁତ ବେଗରେ ପଳାଉଥିବା ବେଳେ ସେମାନେ ଏକ କାର୍‌ରେ ପିଟି ହୋଇଯାଇଥିଲେ। ବାଇକ୍‌ରୁ ପଡ଼ି ଉଲା ଗୁରୁତର ଆହତ ହୋଇଥିବା ବେଳେ ତା’ର ସହଯୋଗୀ ସେଠାରୁ ଦୌଡ଼ି ପଳାଇଥିଲା। ‌ଉପସ୍ଥିତ ଲୋକେ ଉଲାକୁ କାବୁ କରି ଭରତପୁର ଥାନା ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ କଟକ ବଡ଼ ମେଡିକାଲକୁ ପଠାଇଥିଲା। ତା’ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ସେ ସୁସ୍ଥ ହେବା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେ ଓ ତା’ର ସହଯୋଗୀ ତମାଣ୍ଡୋ, ଖଣ୍ଡଗିରି, ନୂଆପଲ୍ଲୀ, ମଞ୍ଚେଶ୍ବର ଥାନା ସମେତ ଅନ୍ୟସ୍ଥାନରୁ ଛିନ୍‌ତାଇ କରିଥିବା ସେ ସ୍ବୀକାର କରିଛି। ପୂର୍ବରୁ ତା’ ନାଁରେ ଖଣ୍ଡଗିରି ଓ ତମାଣ୍ଡୋ ଥାନାରେ ମାମଲା ଥିବା ଜଣାପଡ଼ିଛି।