ଭୁବନେଶ୍ୱର : ସବୁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ହେଲା ଓ ୨୫ଟି ମଡ୍ୟୁଲାର୍‌ ଓଟି ପ୍ରସ୍ତୁତ ହୋଇଗଲା। ପୂର୍ବରୁ ଆବଶ୍ୟକ ସର୍ଜନ ନିଯୁକ୍ତି ହୋଇସାରିଛନ୍ତି। ତେଣୁ ଅସ୍ତ୍ରୋ‌ପଚାର ପାଇଁ ଆଉ ରୋଗୀମାନଙ୍କୁ ବେଶି ଦିନ ଲାଇନ୍‌ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି କୁହାଗଲା। ମାତ୍ର ଏହି ଖୁସି ଖବର ବର୍ତ୍ତମାନ ସୁଦ୍ଧା ସେମିତି ଖବର ହୋଇ ରହିଯାଇଛି। ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ରୋଗୀମାନଙ୍କୁ ସେମିତି ପୂର୍ବ ଭଳି ତାରିଖ ପରେ ତାରିଖ ହିଁ ମିଳୁଛି। ଫଳରେ ରୋଗୀମାନେ ଠିକଣା ସମୟରେ ଅପରେସନ୍‌ର ସୁବିଧା ନପାଇ କଲବଲ ହେଉଛନ୍ତି। ଏହା ହେଉଛି ଭୁବନେଶ୍ବର ଏମ୍‌ସର ଅବସ୍ଥା। ୨୫ଟି ମଡ୍ୟୁଲାର୍‌ ଓଟି ମଧ୍ୟରୁ ୧୨ଟି ଅଚଳ ହୋଇ ରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆବଶ୍ୟକ ସଂଖ୍ୟକ ସର୍ଜନ ଥିବା ସତ୍ତ୍ବେ ଅନ୍ୟାନ୍ୟ କର୍ମଚାରୀ ଅଭାବରୁ ଏଭଳି ସ୍ଥିତି ଉପୁଜିଛି ଓ ସର୍ଜନମାନେ ହାତବାନ୍ଧି ବସିବାକୁ ବାଧ୍ୟ ହେଉଛନ୍ତି।

Advertisment

publive-image

ସୂଚନା ଅନୁସାରେ, ଏଠାକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ମାସିକ ହାରାହାରି ୩୦୦ଜଣ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି। ଏଥିମଧ୍ୟରୁ କର୍କଟ ରୋଗ, ହୃଦ୍‌ରୋଗ, ଅସ୍ଥିଶଲ୍ୟ, ଟ୍ରମା ଆଣ୍ଡ୍‌ ଏମର୍ଜେନ୍ସି, ନ୍ୟୁରୋ ସର୍ଜରି, ୟୁରୋ ସର୍ଜରି, ଇଏନ୍‌ଟି, ଆଖି, ଶିଶୁ, ସାଧାରଣ ସର୍ଜରି, ପ୍ଲାଷ୍ଟିକ ସର୍ଜରି ସମେତ ସବୁ ସୁପର ସ୍ପେସାଲିଷ୍ଟ ବିଭାଗର ଅସ୍ତ୍ରୋପଚାର ହୁଏ। ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଏଠାରେ ୭୭୦୯, ୨୦୧୮ରେ ୮୭୩୮, ୨୦୧୯ରେ ୯୫୪୨ ଅସ୍ତ୍ରୋପଚାର ହୋଇଥିଲା। ୨୦୨୦ ମହାମାରୀ ପୂର୍ବରୁ ଏଠାରେ ପ୍ରତିଦିନ ୧୫ଟି ଓଟି ଜରିଆରେ ୬୦ରୁ ଅଧିକ ଅସ୍ତ୍ରୋପଚାର ହେଉଥିଲା। ଅପରେସନ୍‌ ଦରକାର କରୁଥିବା ରୋଗୀ ସଂଖ୍ୟା ବଢ଼ୁଥିବାରୁ ୧୫ ଓଟି ଉପରେ ଅଧିକ ଚାପ ପଡ଼ୁଥିଲା। ଫଳରେ ବହୁ ରୋଗୀଙ୍କୁ ଅପେକ୍ଷା କରି ରହିବାକୁ ପଡ଼ୁଥିଲା। ତେଣୁ ୩୦ଟି ଓଟି କାର୍ଯ୍ୟକ୍ଷମ କରିବା ପାଇଁ ୨୦୧୭ ମସିହାରୁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୧ ଜୁଲାଇରେ ଅତିରିକ୍ତ ୧୦ଟି ଓଟିର ବ୍ୟବସ୍ଥା ସହିତ ସମୁଦାୟ ୨୫ଟି ମଡ୍ୟୁଲାର ଓଟି କାର୍ଯ୍ୟକ୍ଷମ ହୋଇଥିବା ନେଇ ଘୋଷଣା ହେଲା। ମଡ୍ୟୁଲାର୍‌ ଓଟିରେ ଓଟି ଲାଇଟ୍‌, ଓଟି ଟେବୁଲ, ଏସି, ହେପାଫିଲ୍‌ଟର, ମଡର୍ଣ୍ଣ ଷ୍ଟେରିଲାଇଜେସନ୍‌ ଆଦି ବ୍ୟବସ୍ଥା ସଂଯୁକ୍ତ ହୋଇ ରହିଛି। ନୂତନ ଓଟି ପ୍ରତିଷ୍ଠା ପାଇଁ ଯେଉଁ କମ୍ପାନିକୁ ଦାୟିତ୍ବ ଦିଆଯାଇଥିଲା, ତାହା ଆବଶ୍ୟକ ସରଞ୍ଜାମ ବ୍ୟବସ୍ଥା ସହିତ ସେ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କଲେ।

ମାତ୍ର ପରିତାପର କଥା, ଗତ ଜୁଲାଇ ମାସରେ ମଡ୍ୟୁଲାର୍‌ ଓଟି ସବୁ ହସ୍ତାନ୍ତର ହେଲା ସିନା ଓଟି ପାଇଁ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲାନାହିଁ। ଫଳରେ ବର୍ତ୍ତମାନ ୧୨ଟି ଓଟି ଅଚଳ ଅବସ୍ଥାରେ ରହିଛି। ଓଟି ପରିଚାଳନା ପାଇଁ ସର୍ଜନ, ନିଶ୍ଚେତକ ଡାକ୍ତର, ଆବଶ୍ୟକ ଆବାସିକ ଡାକ୍ତର, ଓଟି ପ୍ରଶିକ୍ଷଣ ନେଇଥିବା ଟେକ୍ନିସିଆନ, ନର୍ସ, ପାରାମେଡିକାଲ କର୍ମଚାରୀ ଓ ଆଟେଣ୍ଡାଣ୍ଟ ଆବଶ୍ୟକ। ସର୍ଜନଙ୍କୁ ବାଦ୍‌ ଦେବା ପରେ ୨୫ ଓଟି ପାଇଁ ଯେତିକି ଅନ୍ୟାନ୍ୟ କର୍ମଚାରୀ ଦରକାର, ସେତିକି ନିଯୁକ୍ତି ହୋଇପାରିନାହିଁ। ଫଳରେ ୧୨ ଓଟି ଥାଇ ନଥିବା ଭଳି ସ୍ଥିତିରେ ରହିଛି। କିନ୍ତୁ ଏମ୍‌ସ କର୍ତ୍ତୃପକ୍ଷ ଏହାକୁ ମାନିବାକୁ ନାରାଜ। ଏମ୍‌ସ ପକ୍ଷରୁ କୁହାଯାଇଛି ଯେ ଓଟି ପରିଚାଳନା ପାଇଁ କର୍ମଚାରୀଙ୍କ ଅଭାବ ନାହିଁ। କୋଭିଡ୍‌ ଡ୍ୟୁଟିରେ କିଛି କର୍ମଚାରୀଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର ସବୁ ଓଟି କାର୍ଯ୍ୟକ୍ଷମ ହେବ। ୨୦୨୦ ଏବଂ ୨୦୨୧ ମସିହାରେ କୋଭିଡ୍‌ ମହାମାରୀ କାରଣରୁ ଅସ୍ତ୍ରୋପଚାର ବନ୍ଦ ଥିଲା। କେବଳ ଜରୁରୀକାଳୀନ ଅପରେସନ୍‌ ପାଇଁ ୭ଟି ଓଟି ଚାଲୁଥିଲା। ଦୀର୍ଘ ଦିନ ଧରି ଅସ୍ତ୍ରୋପଚାର ବନ୍ଦ ଥିବାରୁ ଏବେ ଅପେକ୍ଷାରେ ଥିବା ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଏମ୍‌ସ ପକ୍ଷରୁ ସଫେଇ ଦିଆଯାଇଛି। ତେବେ ଆବଶ୍ୟକ ଓଟି ଅଭାବରୁ ସର୍ଜନମାନେ ମଧ୍ୟ ନିରାଶ ହେଉଥିବା ଜଣାପଡ଼ିଛି। ବାରମ୍ବାର ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ତାରିଖ ଦେବା ଯନ୍ତ୍ରଣାଦାୟକ ବୋଲି ଅନେକ ସର୍ଜନ କହିଛନ୍ତି। ତେଣୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେଇ ସବୁ ମଡ୍ୟୁଲାର ଓଟିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି ହେଉଛି।