ଭୁବନେଶ୍ବର: ରାଜଧାନୀରୁ ବାଇକ୍ ଲୁଟ୍ କରୁଥିବା ଗ୍ୟାଙ୍ଗ୍ସବୁକୁ ବାନ୍ଧିବା ଲାଗି ଚାଲିଥିବା କମିସନରେଟ୍ ପୁଲିସର ସ୍ବତନ୍ତ୍ର ଅଭିଯାନ ବଳରେ ପୁଣି ୩ଜଣ ଧରାପଡ଼ିଛନ୍ତି। ଲିଙ୍ଗରାଜ ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଏହି ତିନିଜଣିଆ ଗ୍ୟାଙ୍ଗ୍କୁ ଗଞ୍ଜାମରୁ ଠାବ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ(୨୭), ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ନୀଳାଞ୍ଚଳ ଦିହୁଡ଼ି(୩୩) ଓ ତାରାସିଂ ଥାନା ଅଞ୍ଚଳର ଗଙ୍ଗାଧର ଜାନୀ ଓରଫ ବାୟା(୨୬)। ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ କୃଷ୍ଣର ସ୍ତ୍ରୀ ସାମିଲ ଥିବା ଜଣାପଡ଼ିଥିଲେ ହେଁ ସେ ଅନ୍ତଃସତ୍ତ୍ବା ଥିବାରୁ ଗିରଫଦାରୀରୁ ବର୍ତ୍ତିଯାଇଛି। ପୁଲିସ ସେମାନଙ୍କଠାରୁ ୧୨ଟି ବାଇକ୍, ଜାଲ୍ ନମ୍ବର ପ୍ଲେଟ, ଜାଲ୍ ଆର୍ସି ଓ ପୁଳାଏ ନକଲି ଚାବି ଜବତ କରିଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ଏହି ଗ୍ୟାଙ୍ଗ୍ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି।
କିଛି ବର୍ଷ ହେବ ଏହି ତିନିଜଣିଆ ଗ୍ୟାଙ୍ଗ୍ ଲିଙ୍ଗରାଜ, କ୍ୟାପିଟାଲ୍, ଖଣ୍ଡଗିରି, ଖାରବେଳନଗର, ଇନ୍ଫୋସିଟି ଆଦି ଥାନା ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ। ବିଶେଷକରି ସେମାନେ ପାର୍କ, ମନ୍ଦିର, ହସ୍ପିଟାଲ୍ ପରିସର, ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରୁଥିଲେ ଏବଂ ସେଠାରେ ଛକି ରହୁଥିଲେ। ନକଲି ଚାବି ବଳରେ ବାଇକ୍ ନେଇ ସେଠାରୁ ଚମ୍ପଟ ମାରିବା ପରେ କିଛି ଦୂରରେ ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ ଏବଂ ରାଜଧାନୀରୁ ବାଇକ୍ ନେଇ ପାର୍ ହୋଇଯାଉଥିଲେ। ଅନେକ ସମୟରେ ସେମାନେ ବାଇକ୍କୁ ଉଠାଇବା ପରେ ଅନ୍ୟ ପାର୍କିଂରେ ରଖୁଥିଲେ ଏବଂ ସୁବିଧା ଦେଖି ସେଠାରୁ ବାଇକ୍ ନେଉଥିଲେ। ଜାନୁଆରି ୩୦ ତାରିଖ ସନ୍ଧ୍ୟା ପାଖାପାଖି ୭ଟା ସମୟରେ ନିହାର ରଂଜନ ନାୟକ ଲିଙ୍ଗରାଜ ହାଟ ନିକଟରେ ବାଇକ୍ ରଖି ମନ୍ଦିର ଯାଇଥିଲେ। ଫେରିବା ବେଳକୁ ସେଠାରେ ବାଇକ୍ ନଥିଲା। ଅଭିଯୋଗ ପାଇ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିଥିଲା। ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ପରେ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା ଏବଂ ନିହାରଙ୍କ ବାଇକ୍ ଏକ ପାର୍କିଂରେ ଥିବା ଜାଣିବାକୁ ପାଇଥିଲା। ତେଣୁ ସେମାନଙ୍କୁ ଧରିବା ପାଇଁ ସ୍ପେସାଲ୍ ସ୍କ୍ବାଡ୍ ଓ ଲିଙ୍ଗରାଜ ଥାନା ପୁଲିସ ଜାଲ ବିଛାଇଥିଲା। ଗତକାଲି ଅପରାହ୍ଣ ୩ଟା ସମୟରେ ବାଇକ୍ଟିକୁ ନେବା ପାଇଁ କୃଷ୍ଣଚନ୍ଦ୍ର ପାର୍କିଂରେ ପହଞ୍ଚିଥିଲା। ସେ ବାଇକ୍ଟିକୁ ନେବା ବେଳେ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ତାକୁ କାବୁ କରିନେଇଥିଲେ। ମାଷ୍ଟରମାଇଣ୍ଡ କୃଷ୍ଣକୁ ବାନ୍ଧିବା ପରେ ତା’ର ସହଯୋଗୀ ନୀଳାଞ୍ଚଳ ଓ ବାୟାକୁ ଗିରଫ କରାଯାଇଥିଲା। ରାଜଧାନୀରୁ ଚୋରି ହୋଇଥିବା ବାଇକ୍ ଗୁଡ଼ିକୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରାଯାଉଥିଲା। ଗ୍ରାହକ ଯୋଗାଡ଼ କରୁଥିଲେ ବାୟା ଓ ନୀଳାଞ୍ଚଳ। ବାଇକ୍ ପିଛା ୫ରୁ ୭ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା।
ଦମ୍ପତି ଧରିଥିଲେ ଗ୍ୟାଙ୍ଗ୍ର ମଙ୍ଗ
ଗ୍ୟାଙ୍ଗ୍ର ମଙ୍ଗ ଧରିଥିଲେ କୃଷ୍ଣଚନ୍ଦ୍ର ଓ ତା’ର ପତ୍ନୀ। କୃଷ୍ଣର ସ୍ତ୍ରୀ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ କରିଥିଲା। ଚୋରା ବାଇକ୍ ବିକିବା ପାଇଁ ସେ କୋଡ୍ ୱାର୍ଡରେ ମେସେଜ୍ କରୁଥିଲା। ପୁଲିସ କୃଷ୍ଣଙ୍କ ପତ୍ନୀକୁ ଧରିଥିଲେ ହେଁ ସେ ୮ ମାସର ଅନ୍ତଃସତ୍ତ୍ବା ଥିବାରୁ କେବଳ ନୋଟିସ୍ ଦେଇ ଛାଡ଼ିଛି।