ନେତାମାନେ ପୂର୍ବ ଇସ୍ତାହାର ପୁନଃ ଉପସ୍ଥାପନ କରନ୍ତି

୧୨ ପ୍ରତିଭାଙ୍କୁ ‘ଶ୍ରୀ ସମ୍ମାନ’

ଭୁବନେଶ୍ୱର: ବ୍ୟକ୍ତି ତା’ର ବ୍ୟକ୍ତିତ୍ୱ ଓ କାମ ଦ୍ୱାରା ପରିଚିତ ହୁଏ। ମଣିଷ ନିଜ କାମରେ ସିଦ୍ଧହସ୍ତ ହୋଇପାରିଲେ ହିଁ ଜଣେ ଆଦର୍ଶ ଶ୍ରେଣୀୟ ବ୍ୟକ୍ତି ହୋଇପାରିବ। ମାତ୍ର ସଫଳତାକୁ ନେଇ ଗର୍ବ କଲେ ତାହା ଭବିଷ୍ୟତରେ ଯନ୍ତ୍ରଣା ଦେବା ସହ ସମୂଳେ ଧ୍ୱଂସ କରଦିଏ ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ପ୍ରଭୁ ଚାଓ୍ଵଲା। ‘ପରିଚୟ ଫାଉଣ୍ଡେସନ୍‌’ ପକ୍ଷରୁ ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ‘ଶ୍ରୀ ଆଓ୍ଵାର୍ଡ’ର ତୃତୀୟ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ନେତାମାନେ ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦିଅନ୍ତି ପରବର୍ତୀ ନିର୍ବାଚନରେ ବି ସେଇ ଏକା ଇସ୍ତାହାର ପୁଣି ଜନତାଙ୍କ ସମ୍ମୁଖରେ ରଖନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଳ୍ପଭାଷୀ ଗୁଣ ଏବଂ କାର୍ଯ୍ୟଧାରା ବିଷୟରେ କହିବା ସହ ଓଡ଼ିଶା ମାଟି ଦୀପକ ମିଶ୍ରଙ୍କ ଭଳି ନ୍ୟାୟାଧୀଶଙ୍କୁ ଜନ୍ମ ଦେବା ସମ୍ପର୍କରେ ମତ ରଖିଥିଲେ। ତେଣୁ ଓଡ଼ିଶାର ଐତିହ୍ୟ ଓ ଗାରିମାକୁ ନେଇ ଓଡ଼ିଶାବାସୀ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ସେ ଶାହାରୁଖ ଖାନ୍‌ଙ୍କ ଉପରେ ମତ ରଖି କହିଥିଲେ ଅଭିନେତାଙ୍କୁୁ ଦର୍ଶକମାନେ ସଫଳ କରାଇଥାଆନ୍ତି। ଏକଥା ଭୁଲିଯିବା ଉଚିତ୍‌ ନୁହେଁ ଯେ, ଲୋକେ ପ୍ରତିଦିନ ସେମାନଙ୍କୁ ଟେଷ୍ଟ୍‍ କରନ୍ତି। ସେହିପରି ଅଟଳ ବିହାରୀ ବାଜପାୟୀ, ଅରୁଣ ଜେଟ୍‌ଲି, ଅମିତାଭ ବଚ୍ଚନଙ୍କ ସମ୍ପର୍କରେ କହିବା ସହ ରାକ୍ଷୀ ସାଓ୍ଵନ୍ତଙ୍କ ସହ ସାକ୍ଷାତକାର ପରର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ‘ରୁଚି’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ସହ ସମାଜସେବୀ ଜଗଦାନନ୍ଦ, ମର୍ଦଳ ଗୁରୁ ବନମାଳୀ ମହାରଣା, କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଉଦ୍ୟୋଗବିତ୍‌ ସୁବ୍ରତ ପାଣି, ଚିକିତ୍ସା ବିଜ୍ଞାନୀ ଡ.ଦୀପକ ରଂଜନ ଦାସ, ଶିକ୍ଷାବିତ୍‌ ସୁଧିର କୁମାର ରାଉତ, ସାମ୍ବାଦିକ ଅରବିନ୍ଦ ଦାସ, କ୍ରୀଡ଼ାବିତ୍‌ ପଙ୍କଜ ଭୁଏ, ଉଦୀୟମାନ ପ୍ରତିଭା ଦୟାନିଧି ଦଧିଚ, ଟ୍ରେଣ୍ଡ୍‌ସେଟର ତ୍ରିନାଥ ପାତ୍ର, କଳା କ୍ଷେତ୍ରରେ କାଳୀପ୍ରସନ୍ନ ପଟ୍ଟନାୟକଙ୍କୁ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଉପସ୍ଥିତ ଥିଲେ। ପରେ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ, କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ, ରୁଚି ଓ ଫ୍ରୋଜିଟ୍‌ର ନିର୍ଦେଶକ ରଶ୍ମୀ ସାହୁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଜୋଶୀ ନିଜ ବାପାଙ୍କ ସହ ଉପସ୍ଥିତ ରହି ପରସ୍ପର ସମ୍ପର୍କରେ କହିଥିଲେ। ଦୀକ୍ଷା ତିଓ୍ଵାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର