ଜମ୍ମୁ କଶ୍ମୀରରୁ ଫେରିଲେ ୧୨୦ ବାଟାଲିୟନର ଯବାନ

ଭୁବନେଶ୍ବର : କେବେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ତ କେବେ କାଠୁଆ ଶୀତକୁ ହଜମ କରି କଶ୍ମୀରରେ ରାତିରାତି ଅନିଦ୍ରା ରହି ସୀମାକୁ ସୁରକ୍ଷା। ଭାରତ ମାତା ଏବଂ ଭାରତୀୟଙ୍କ ପାଇଁ ସମର୍ପିତ ୧୨୦ ବାଟାଲିୟନ୍‌ ବିହାର ରେଜିମେଣ୍ଟ୍‌ର ପଦାତିକ ‌ସୈନିକମାନେ ଦୀର୍ଘ ସାଢ଼େ ୯ ବର୍ଷ ପରେ ଭୁବନେଶ୍ବର ଫେରିଛନ୍ତି। ବିହାର ରେଜିମେଣ୍ଟ୍‌ର ପ୍ରାୟ ୧୦୦ ଜଣ ପ୍ରାଦେଶିକ ସୈନିକ ଆଜି ସନ୍ଧ୍ୟାରେ ହୀରାଖଣ୍ଡ ‌ଏକ୍ସପ୍ରେସ୍‌ରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଜଣେ ଅଫିସର, ୪ଜଣ ଜୁନିୟର କମିସନର୍‌ ଏବଂ ୯୯ଜଣ ଯବାନ କଶ୍ମୀର ଯାଇଥିବା ବେଳେ ଆଜି ଟ୍ରେନ୍‌ରୁ ଓହ୍ଲାଇବା ପରେ ସେମାନଙ୍କୁ ଗାର୍ଡ ଅଫ୍‌ ଅନର ଦେଇ ସ୍ବାଗତ କରାଯାଇଥିଲା।

କମାଣ୍ଡିଙ୍ଗ୍‌ ଅଫିସର କର୍ଣ୍ଣେଲ୍‌ ଡିଡି ସ୍ବାଇଁ, ସୁବେଦାର ମେଜର ଅଜୟ କୁମାର, ସ‌ୁବେଦାର ଏସ୍‌କେ ବରାଳଙ୍କ ସମେତ ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିଥିଲେ। ଏଭଳି ସ୍ବାଗତ ଉତ୍ସବ ଦେଖି ସୈନିକମାନଙ୍କ ମୁହଁରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଲା, ଏହି ରେଜିମେଣ୍ଟ୍‌ରୁ ଯାଇଥିବା ଯବାନ କୌଣସି ବି ଅପରସେନ୍‌ରେ କ୍ଷତାକ୍ତ ନହୋଇ ଲଢ଼ୁଆ ମନୋଭାବର ପରିଚୟ ଦେଇଛନ୍ତି ବୋଲି କର୍ଣ୍ଣେଲ୍‌ ସ୍ବାଇଁ କହିଛନ୍ତି। ଏହି ରେଜିମେଣ୍ଟ୍‌ର କମ୍ପାନିରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଯବାନମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର