୨୦୨୫ ସୁଦ୍ଧା ଚାଲିବ ୧୨୦୦ ସିଟି ବସ୍‌

କଟକ-ଭୁବନେଶ୍ୱର-ପୁରୀର ଗମନାଗମନ ବ୍ୟବସ୍ଥା ବଦଳିବ

ଭୁବନେଶ୍ୱର: ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବ। ଏହାକୁ ନଜରରେ ରଖି କଟକ ଏବଂ ପୁରୀର ବି ଗମନାଗମନ ବ୍ୟବସ୍ଥା ବଦଳିବ। ଏଥିପାଇଁ ବିଡିଏ, ସିଡିଏ ଏବଂ ପିକେଡିଏକୁ ନେଇ ସ୍ୱତନ୍ତ୍ର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ସିଟି ବସ୍‌ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ସିଟି ବସ୍‌ ପହଞ୍ଚିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହେବ। ୨୦୦୨ ସୁଦ୍ଧା ଏହି ଅଞ୍ଚଳରେ ୬୦୦ସିଟି ବସ୍‌ ଚାଲିବାକୁ ଥିବାବେଳେ ୨୦୨୫ ସୁଦ୍ଧା ୧୨୦୦ସିଟି ବସ୍‌ ଚଲାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଭୁବନେଶ୍ୱର-ପୁରୀ-କଟକର ଗମନାଗମନ ବ୍ୟବସ୍ଥା ବଦଳାଇବା ପାଇଁ ବିପିଟିଏସ୍‌ କାର୍ଯ୍ୟ କରିବ। ଜାତୀୟ ସ୍ତରର ମାନଦଣ୍ଡ ଅନୁଯାୟୀ କିପରି ଗମନାଗମନ ବ୍ୟବସ୍ଥା ବଦଳିବ ସେନେଇ ବିପିଟିଏସ୍‌ ଯୋଜନା କରୁଛି। ପ୍ରତ୍ୟେକ ଅଞ୍ଚଳରେ ଯେପରି ସିଟି ବସ୍‌ ଠିକ୍‌ ଭାବେ ପରିଚାଳନା ହୋଇପାରିବ ସେଥିପାଇଁ ଇଡ୍‌କୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆବଶ୍ୟକ ଜମି ଯୋଗାଇ ଦେବେ। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସ୍ଥାନରେ ବସ୍‌ ଡିପୋ, ଆବଶ୍ୟକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୩୦ସୁଦ୍ଧା ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ଗମନାଗମନ ବ୍ୟବସ୍ଥା ବଦଳାଇବା ଏବଂ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବା ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ପ୍ରସାରିତ ଗମନାଗମନ ବ୍ୟବସ୍ଥା ପାଇଁ ଇଡ୍‌କୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ଥାନରେ ତୁରନ୍ତ ଜମି ଯୋଗାଇ ଦେବାକୁ କୁହାଯାଇଛି। ଏଥିରେ ତିନିଟି ଜିଲ୍ଲାରେ ୧୯ଟି ସ୍ଥାନରେ ୫ଏକର ଲେଖାଏ ଜମି ମଗାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ ଡିପୋ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଡ଼କଣ, ଘାଟିକିଆ/କଳିଙ୍ଗନଗର, ପଟିଆ, ପାତ୍ରପଡ଼ା ଏବଂ ଭଗବାନପୁର, ପାଣ୍ଡରା, ଫୁଲନଖରାରେ ୫ଏକର ଲେଖାଏଁ ଜମି ଯୋଗାଇବ। ପଟିଆରେ ଯେଉଁ ୫ଏକର ଜମି ମିଳିଛି ସେଠାରେ ବସ୍‌ ଡିପୋ କରିବା ସମ୍ଭବ ନଥିବାରୁ ଏହା ବଦଳରେ ଆଉ ୫ଏକର, ପାତ୍ରପଡ଼ା ଏବଂ ଭଗବାନପୁରରେ ଅତିରିକ୍ତ ୨ଏକର ଲେଖାଏ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି।

ସେହିପରି ଇଡ୍‌କୋ ଇନଫୋସିଟି, ଇନଫୋ ଭ୍ୟାଲି, ରାମଦାସପୁର/ଭଗବାନପୁର ଅଞ୍ଚଳରେ ୫ଏକର ଲେଖାଏ ଜମି ଯୋଗାଇବ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦାସପୁର, ସିଜୁଆ ଏବଂ ଅନ୍ୟ ତିନିଟି ଉପଯୁକ୍ତ ସ୍ଥାନରେ ୫ଏକର ଲେଖାଏ ଜମି ଯୋଗାଇବ। କଟକ ଜିଲ୍ଲା ପ୍ରଶାସନ ନାରାୟଣପୁର, ଗୋପାଳପୁର ଏବଂ ଜଗତପୁରରେ ୫ଏକର ଲେଖାଏ ଜମି, ପୁରୀ ଜିଲ୍ଲା ପ୍ରଶାସନ ମାଳତିପାଟପୁର ଏବଂ ଅନ୍ୟ ଏକ ଉପଯୁକ୍ତ ସ୍ଥାନରେ ୫ଏକର ଜମି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଛି। ଏହି ଜମିକୁ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବେ।

କଟକରୁ ପୁରୀ ପର୍ଯ୍ୟନ୍ତ ଗମନାଗମନ ବ୍ୟବସ୍ଥା ଉନ୍ନତିକରଣ ପାଇଁ ଆଲୋଚନା ହୋଇଥିଲେ ହେଁ ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା ଯେପରି ବିଶ୍ୱ ଶ୍ରେଣୀର ହେବ ସେଥିପାଇଁ ନିଷ୍ପତ୍ତି ହୋଇଛି। ହକି ବିଶ୍ୱକପ୍‌- ୨୦୧୮ ପୂର୍ବରୁ ଅର୍ଥାତ୍‌ ଆସନ୍ତା ନଭେମ୍ବର, ୨୦୧୮ସୁଦ୍ଧା ରାଜଧାନୀରେ ୩୦୦ସିଟି ବସ୍‌ ଚଲାଇବାକୁ ଯୋଜନା ହୋଇଛି। ଏଥିପାଇଁ ଇଡ୍‌କୋ ଅଞ୍ଚଳରେ ସ୍ୱତନ୍ତ୍ର ବସ୍‌ କରିଡର କରିବାକୁ କୁହାଯାଇଛି।

୨୦ବସ୍‌ରୁ ପଞ୍ଜୀକରଣ ଟିକସ ଛାଡ଼ ହେବ

୨୦ଟି ସିଟି ବସ୍‌ (୧୫ଟି ବଡ଼ ଏବଂ ୫ଟି ଛୋଟ ବସ୍‌) ଉପରୁ ପଞ୍ଜୀକରଣ ଟିକସ ଏବଂ ଜରିମାନା ଛାଡ଼ କରିବାକୁ ବିପିଟିଏସ୍‌ ପକ୍ଷରୁ କୁହାଯାଇଛି। ଏହି ବସ୍‌ଗୁଡ଼ିକ ବହୁତ ଦିନ ହେଲା କିଣା ହୋଇଥିଲେ ହେଁ ପଞ୍ଜୀକରଣ ପାଇଁ ଆବେଦନ ହୋଇନି। ତେଣୁ ଏହା ଏବେ ପଞ୍ଜୀକରଣ କଲେ ପଞ୍ଜୀକରଣ ଫି’ ବାବଦକୁ ଅଧିକ ଜରିମାନା ଦେବାକୁ ପଡ଼ିବ। ତେଣୁ ୨୦ଟି ବସ୍‌ର ପଞ୍ଜୀକରଣ ଓ ଜରିମାନା ଫି’ ଛାଡ଼ କରିବାକୁ ପ୍ରସ୍ତାବ ମିଳିବା ପରେ ଏହାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗ ନିକଟରେ ଆବେଦନ କରିବାକୁ କୁହାଯାଇଛି। ଏହାସହ ବିପିଟିଏସ୍‌କୁ ମୋଟର ଯାନ ଆଇନ ଅନୁଯାୟୀ ରାଜ୍ୟ ପରିବହନ ଭାବେ ଘୋଷଣା କରିବାକୁ ଆଲୋଚନା ହୋଇଛି। ଏହାପରେ ବିଭିନ୍ନ ଅଞ୍ଚଳକୁ ଭିତ୍ତି କରି ସିଟି ବସ୍‌ଗୁଡ଼ିକୁ ପରମିଟ୍‌ ଦେବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି।

ରାଜଧାନୀରେ ଅଟୋ ରିକ୍ସା ନିୟନ୍ତ୍ରଣ ହେବ

ରାଜଧାନୀର ବିଏମ୍‌ସି ଅଞ୍ଚଳରେ ଏବେ ଅଟୋ ରିକ୍ସା ଚିନ୍ତାର ବିଷୟ ପାଲଟିଛି। କେତୋଟି ରୁଟ୍‌ରେ ଆବଶ୍ୟକତାଠାରୁ ଅଧିକ ଅଟୋ ରିକ୍ସା ଚଳାଚଳ କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ତେଣୁ ରାଜଧାନୀରେ କିପରି ଶୃଙ୍ଖଳିତ ଭାବେ ଅଟୋରିକ୍ସା ଚଳାଚଳ କରିବ ସେଥିପାଇଁ ଅଟୋ ରିକ୍ସା ଲାଇସେନ୍ସ ନିୟନ୍ତ୍ରଣ ହେବ। କେଉଁ ରୁଟ୍‌ରେ କେତେ ଅଟୋ ଚାଲିବ, କେଉଁ କେଉଁ ଅଟୋ ଚାଲିବ ତାହା ଧାର୍ଯ୍ୟ ହେବ। ସେହପିରି ଭୁବନେଶ୍ୱରର ପ୍ରଦୂଷଣ ସମସ୍ୟା ଚିନ୍ତାଜନକ ହେବାକୁ ଯାଉଥିବାରୁ କିପରି ସମସ୍ତ ପେଟ୍ରୋଲ ଓ ଡିଜେଲ୍‌ ଚାଳିତ ଅଟୋ ଇ-ରିକ୍ସାରେ ପରିଣତ ହେବ ସେଥିପାଇଁ ନଗର ଉନ୍ନୟନ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି। ଇ-ଯାନ ନୀତିରେ ଏନେଇ ଆର୍ଥିକ ଅନୁଦାନ ଓ ଋଣ ବ୍ୟବସ୍ଥା କିପରି ଉପଲବ୍ଧ ହେବ ସେନେଇ ଅନୁଧ୍ୟାନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର