ଭୁବନେଶ୍ବର: ଘରବାଲା ଭଡ଼ା ମାଗିଲା। ହୋଟେଲ୍ ମାଲିକ ୭ଦିନ ପାଇଁ ଖାଇବାକୁ ଦେଇ ପଲେଇଲା ଯେ ଆଉ ଆସିଲାନି କି ଫୋନ୍ ଉଠେଇଲାନି। କିଛି ତାମିଲ୍ ଲୋକ ବି କହିଲେ, ଏଠି ରହି କରୋନା ବାଣ୍ଟନି, ଘରକୁ ପଳାଅ। ତେଣୁ କିଛି ଉପାୟ ନପାଇ ଚେନ୍ନାଇରୁ ବାହାରି ଆସିଲୁ। ୩ ଜଣ ସାଙ୍ଗ ନିଜର ୩ଟା ସାଇକେଲ୍ ବିକିଲୁ। ସାଙ୍ଗମାନଙ୍କଠୁ କିଛି ହାତ ଉଧାରି ଆଣିଲୁ। ସବୁକୁ ମିଶେଇ ୧୦ ହଜାର ଟଙ୍କାରେ ପୁରୁଣା ଲୁନାଟେ କିଣି ସେଇଥିରେ ଚେନ୍ନାଇରୁ ୩ ଜଣ ବାହାରିଲୁ। ୧୨ଶହ କିଲୋମିଟର ପଳେଇ ଆସିଲୁଣି। ଆଉ ସମସ୍ୟା ନାହିଁ, ଓଡ଼ିଶାରେ ପହଞ୍ଚିଗଲା ପରେ ଭାରି ଆଶ୍ବସ୍ତ ଲାଗୁଛି ବୋଲି କହିଛନ୍ତି ବାଲେଶ୍ବର କୁପାରିର ବାସିନ୍ଦା ସୁଦର୍ଶନ ଖୁଣ୍ଟିଆ। ସୁଦର୍ଶନ କହିଛନ୍ତି, ସେଠାରେ ଆଉ ରହିବା ସୁରକ୍ଷିତ ଲାଗୁନଥିଲା। ଲକ୍ଡାଉନ ଯେତେ ବଢ଼ୁଥିଲା, ଆମ ପ୍ରତି ସ୍ଥାନୀୟ ଲୋକଙ୍କ ବ୍ୟବହାର ସେତେ ରୁକ୍ଷ ହେଉଥିଲା। ତେଣୁ ବାଧ୍ୟ ହୋଇ ୫ଦିନ ତଳୁ ବାହାରି ଆସିଲୁ। ୩ ଜଣ ଭଙ୍ଗା ଲୁନାଟାରେ ବସି ଆସିଥିବାରୁ ବାରମ୍ବାର ଗାଡ଼ି ଖରାପ ହେଉଥିଲା। ହେଲେ ଜଗନ୍ନାଥଙ୍କ ଦୟାରୁ ଓଡ଼ିଶା ପଳେଇ ଆସିଲା ପରେ ଦେହରେ ଜୀବନ ପଶିଲା। କ୍ବାରାଣ୍ଟିନରେ ରହି ଘରକୁ ଯିବୁ। ଏବେ ଆଉ ଫେରିବା ଭଳି ଲାଗୁନାହିଁ।
ଆନ୍ଧ୍ରରେ ପାଣି ପାଇପ୍ କାମ କରୁଥିବା ଖଗେଶ୍ବର ମାଝି କହିଛନ୍ତି, ଆନ୍ଧ୍ରରେ ଖାଇବାକୁ ବହୁତ ଭଲ ମିଳୁଥିଲା। କିନ୍ତୁ କମ୍ପାନି ମାଲିକ ଦରମା ଦେଲା ନାହିଁ। ଏଣେ ଘର ମାଲିକ ଭଡ଼ା ମାଗିଲା। ତେଣୁ ଆଉ ରହିବାର ଚାରା ନଥିଲା। ପଳେଇ ଆସିବାକୁ ବାଧ୍ୟ ହେଲୁ। ସାଇକେଲ୍ ଧରି କିଛି ସାଙ୍ଗ ପଳେଇ ଆସିଛୁ। ରାସ୍ତାରେ ୪ ଥର ଚକା ଲିକ୍ ହେଇଛି। କିଛି ବାଟ ଗଡ଼େଇବାକୁ ପଡ଼ିଛି। ତଥାପି ଭଗବାନଙ୍କ ଦୟାରୁ ଚକା ଲିକ୍ ମାରି ଫେରିବାକୁ ସମସ୍ୟା ହୋଇନାହିଁ। ମାତ୍ର ଦିନକୁ ୧୭ ଘଣ୍ଟା ଧରି ସାଇକେଲ୍ ଚଲାଉଥିଲି। ଘରକୁ ଆସିବାକୁ ବ୍ୟଗ୍ର ଥିଲି। ତେଣୁ ଦିନକୁ ପାଖାପାଖି ୨୫୦ କିଲୋମିଟର ବାଟ ଅତିକ୍ରମ କରି ଆସିବାକୁ ପଡ଼ିଲା। ଯଦିଓ ଚାଲିଚାଲି ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସରକାର ବସ୍ରେ ନେଇ ତାଙ୍କ ଜିଲ୍ଲା ସୀମାନ୍ତରେ ଛାଡ଼ିବାକୁ ବନ୍ଦୋବସ୍ତ କରିଛନ୍ତି ମାତ୍ର ଏ ବାବଦରେ ଅନେକ ଅବଗତ ନୁହନ୍ତି।