ଇ-ଅନ୍‌ୱାଇଣ୍ଡ୍‌ରେ ଭାଗନେଲେ ୧୨ ହଜାର

ଭୁବନେଶ୍ବର : ଅନ୍‌ ୱାଇଣ୍ଡ-୨୦୨୧ର ଦ୍ୱାଦଶ ସଂସ୍କରଣ ଥ୍ରିଡି ଭର୍ଚୁଆଲ ପ୍ଳାଟ୍‌ଫର୍ମ ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇଛି। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଷ୍ଠିତ ଦେଶର ଏହି ସର୍ବବୃହତ୍‌ କେ-୧୨ ସାଂସ୍କୃତିକ ମହୋତ୍ସବରେ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବାର କୌଶଳ, ଉଦ୍ୟୋଗୀ, ସହଯୋଗ, ଦଳ ଗଠନ, ଦଳଗତ କାର୍ଯ୍ୟ, ସମାଲୋଚକ ଚିନ୍ତାଧାରା, ବୁଝାମଣା, ସୃଜନଶୀଳତା ପରି ବଳିଷ୍ଠ ଦିଗରେ ତାଲିମ ଦିଆଯାଇଛି। ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ର ଭାଇସ୍ ଚେୟାରପର୍ସନ୍‌ ଶିଳ୍ପୀ ସାହୁ ଏହି ମେଗା ଇଭେଣ୍ଟକୁ ଉଦ୍‌ଘାଟନ କରି କହିଲେ, ଏହି ମେଗା ଇଭେଣ୍ଟ ଦ୍ୱାରା ଛାତ୍ରଛାତ୍ରୀ ବୃହତ୍‌ କାର୍ଯ୍ୟକ୍ରମ ଆୟୋଜନ ଓ ଏହାକୁ ସୂଚାରୁରୂପେ ସମ୍ପାଦନ କରିବା କୌଶଳ ଶିଖି ପାରିବେ। କାର୍ଯ୍ୟକ୍ରମରୁ ମିଳୁଥିବା ଅର୍ଥର କିଛି ଅଂଶ ସମାଜ ମଙ୍ଗଳ ଓ ଗରିବ ପିଲାଙ୍କ ସହାୟତାରେ ବିନିଯୋଗ କରାଯିବ।

ଏହି ଭର୍ଚୁଆଲ୍ ପ୍ଳାଟଫର୍ମରେ ୬ଟି ଟ୍ରାକ୍‌ରେ, ୨୪ଟି କର୍ମଶାଳା, ଆକର୍ଷଣୀୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦିନିକିଆ କାର୍ଯ୍ୟକ୍ରମରେ ପ୍ଲେ’ ଗ୍ରୁପ୍‌ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ମେଗା ଇଭେଣ୍ଟ ଆଇସଲ୍ୟାଣ୍ଡ ଥ୍ରିଡି ଭର୍ଚୁଆଲ ପ୍ଳାଟଫର୍ମରେ ହେଲ୍ପ ଡେସ୍କ, ଟ୍ରାକ୍ ଲବି, ମେନ୍ ଅଡିଟୋରିୟମ୍ ଓ ଗେମ୍ ଜୋନ୍ ଆଦି ଅନ୍ତର୍ଭୁକ୍ତ ଥିଲା। ଛାତ୍ରଛାତ୍ରୀ ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଜାପାନର ଚିହୋ ନାକାଗାୱା ବିଭିନ୍ନ ଜାପାନିଜ୍ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଶିଖାଇଥିଲେ। ଟାଇ ଏଣ୍ଡ ଡାଏ, ଗେଟ୍ ଗ୍ରୋଭି ମଧ୍ୟ ଖାଦ୍ୟ ପ୍ରସ୍ତୁତି କର୍ମଶାଳାରେ ସାମିଲ୍‌ ହୋଇଥିଲା। ଏହି କର୍ମଶାଳାରେ ଷ୍ଟାଣ୍ଡଅପ୍‌ କମେଡି, ଫିଲ୍ମ ମେକିଙ୍ଗ୍‌, ଫେସ୍‌ ପେଣ୍ଟିଙ୍ଗ୍‌, ମକ୍‌ଟେଲ୍‌, ସ୍ନାକ୍ସ ପ୍ରସ୍ତୁତି, କଳା ଓ ହସ୍ପଶିଳ୍ପର କର୍ମଶାଳା ଖ୍ୟାତାନାମା ବିଶେଷଜ୍ଞଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ସ୍ପିନ୍‌ ଦ ହୁଇଲ୍‌, କାହୋଟ୍‌, ଗେସ୍ ଦ ଲୋଗୋ, ଇମୋଟିକନ୍ ବାଟେଲ୍‌, ବିଜିଏମ୍‌ଆଇ ଓ ଭାଲୋରାଣ୍ଟ, ପ୍ୟାକମାନ୍‌, ଫୁଟବଲ୍ ପରି ଖେଳ ଗେମ୍ ଜୋନ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ଥିଲା। ଶାରଭରି ଜାମେନିସ୍‌ଙ୍କ କଥକ ନୃତ୍ୟ, ବଲିଉଡ଼୍ କୋରିଓଗ୍ରାଫର୍‌ ମାନସୀ ପାଟିଲ୍‌ଙ୍କ ଫ୍ୟୁଜନ୍ ଡ୍ୟାନ୍ସ, ସ୍କୁପ୍ ହୁପ୍‌ର ଅଙ୍କୁର ଡୋବରିଆଲ୍‌ଙ୍କ ଦ୍ୱାରା ସଂଗୀତ ପରିବେଷିତ ହୋଇଥିଲା। ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟର ଫାଇନାଲିଷ୍ଟ୍ ତଥା ବାଲୁକା ଶିଳ୍ପୀ ସନ୍ତୋଷ କୁମାର ସେଠୀ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ଦ୍ୱାରା ଉଦ୍‌ଘାଟନୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର