ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନରେ ୧୨ ହଜାର ପର୍ଯ୍ୟଟକ

ଡେରାସରେ ୧୪୩୦ ପର୍ଯ୍ୟଟକ, ଗୋଡ଼ିବାରିରେ ୨୮୦

ବାରଙ୍ଗ/ତ୍ରିଶୁଳିଆ : ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ। କରୋନା କଟକଣା କୋହଳ ହେବା ପରେ ଏହା ହେଉଛି ସର୍ବାଧିକ ପର୍ଯ୍ୟଟକ ସଂଖ୍ୟା। ଆଜି ମୋଟ ୧୨ ହଜାର ୪୩୯ ଟିକେଟ୍‌ ବିକ୍ରି ହୋଇଥିଲା। ଅଫ୍‌ଲାଇନ୍‌ରେ ୧୨ ହଜାର ୨୪ ଖଣ୍ଡ ଓ ଅନ୍‌ଲାଇନ୍‌ରେ ୪୧୫ ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ନୂଆବର୍ଷରେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଏକ ପ୍ରମୁଖ ଭ୍ରମଣସ୍ଥଳ ହୋଇଥିବାରୁ କରୋନା ଭୟ ସତ୍ତ୍ବେ ଏଥର ଏତେ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବାରୁ କର୍ତ୍ତୃପକ୍ଷ ଖୁସି ବ୍ୟକ୍ତ କରିଛନ୍ତି। ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସୂଚନାନୁସାରେ, କୋଭିଡ୍‌ କଟକଣା କୋହଳ ହୋଇଥିଲେ ବି ଦ୍ବିତୀୟ ଲହରି ଭୟ ରହିଛି। ତେଣୁ ଲୋକେ ଏବେ ବି ବାହାରେ ବୁଲାବୁଲି କରିବାକୁ ପସନ୍ଦ କରୁନାହାନ୍ତି। ତଥାପି ଗତ ରବିବାର ଦିନ ୧୧ ହଜାର ୧୪୨ ଟିକେଟ୍‌ ବିକ୍ରି ହୋଇଥିଲା। ଆଜି ୧୨ ହଜାରକୁ ଟପିଛି। ତେଣୁ ଧୀରେ ଧୀରେ ଲୋକମାନେ ନନ୍ଦନକାନନ ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି।

ତେବେ ଗତ ୨୦୨୦ ନୂଆବର୍ଷରେ ୩୫ ହଜାର ୮୪୭ ଟିକେଟ୍‌ ବିକ୍ରି ହୋଇଥିଲା। ୨୦୧୭ ମସିହାରେ ରେକର୍ଡ ୫୦ ହଜାର ୬୬୮ ଟିକେଟ୍‌ ବିକ୍ରି ହୋଇଥିଲା। ପର୍ଯ୍ୟଟକମାନଙ୍କ କହିବା ଅନୁସା‌ରେ, ବିଗତ କିଛି ବର୍ଷ ହେଲା ନନ୍ଦନକାନନର କିଛି ପ୍ରମୁଖ ଆକର୍ଷଣ କମିବା‌ରେ ଲାଗିଛି। ନୂଆ ନୂଆ ପ୍ରାଣୀ ଦେଖିବାକୁ ମିଳୁନାହିଁ। ତେଣୁ ଧୀରେ ଧୀରେ ପର୍ଯ୍ୟଟକ ସଂଖ୍ୟା କମୁଛି। ମାତ୍ର କର୍ତ୍ତୃପକ୍ଷଙ୍କ କହିବା କଥା, ଅକ୍ଟୋବର ୪ ତାରିଖ ପରଠାରୁ ଟିକେଟ ବିକ୍ରି ବୃଦ୍ଧି ପାଇ ପାଇ ମୋଟ୍‌ ୧ ଲକ୍ଷ ୯୧ ହଜାର ୫୩୭ରେ ପହଞ୍ଚିଲାଣି। ତେଣୁ ରାଜସ୍ବ ଆଦାୟ ଧୀରେ ଧୀରେ ସ୍ବାଭାବିକ ଧାରାକୁ ଫେରୁଛି ବୋଲି କୁହାଯାଉଛି। ସେହିଭଳି ଆଜି ରାଜ୍ୟ ଉଦ୍ଭିଦ ଉଦ୍ୟାନର ପର୍ଯ୍ୟଟକ ସଂଖ୍ୟା ମଧ୍ୟ ବଢ଼ିଛି। ବଣଭୋଜି ବନ୍ଦ ଥିବା ସତ୍ତ୍ବେ ଆଜି ୧୨୨୯ ଟିକେଟ୍‌ ବିକ୍ରି ହୋଇଥିବା ଉପନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଡେରାସରେ ୧୪୩୦ ପର୍ଯ୍ୟଟକ, ଗୋଡ଼ିବାରିରେ ୨୮୦
ମେଣ୍ଢାଶାଳ : ଆଜି ନୂଆବର୍ଷ ପାଇଁ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଡେରାସ ଡ୍ୟାମ୍‌ରେ ୧୪୩୦ ଟିକେଟ୍‌ ବିକ୍ରି ହୋଇଥିଲା ଓ ୫୧ ହଜାର ୨୫ ଟଙ୍କାର ରାଜସ୍ବ ମିଳିଥିଲା। ରାଜଧାନୀରେ କରୋନା କଟକଣା ସତ୍ତ୍ବେ ନୂଆବର୍ଷ ମଜା ନେବା ପାଇଁ ଏତେସଂଖ୍ୟକ ପର୍ଯ୍ୟଟକ ଡେରାସ ବୁଲିଥିଲେ। ସେହିପରି ଗୋଡ଼ିବାରିରେ ଆଜି ୨୮୦ ଟିକେଟ୍‌ ବିକ୍ରି ହୋଇଥିଲା ଓ ସେଥିରୁ ୩୦ହଜାର ୨୨୦ ଟଙ୍କା ରାଜସ୍ବ ମିଳିଥିଲା। ପର୍ଯ୍ୟଟକମାନେ ଏହି ଅଭୟାରଣ୍ୟ ମଧ୍ୟରେ ଥିବା ୨୬ଟି ପର୍ଯ୍ୟଟନସ୍ଥଳ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର