ଭୁବନେଶ୍ବର: ସକାଳୁ ସକାଳୁ ବ୍ରାଉନ୍ସୁଗାର ବେପାର। ସକରାତ୍ମକ ଚିନ୍ତା ବଦଳରେ କରୁଥିଲା ନିଶା ବେପାର। କମ ସମୟରେ ଅଧିକ ରୋଜଗାର କରିବା ଆଶାରେ ବ୍ରାଉନ୍ସୁଗାର ବେପାରୀକୁ କାବୁ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍। ଧଉଳି ପାଦଦେଶରୁ ଆଜି ୧୨୧ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ହେଲା ଅଜୟ କୁମାର ପରିଡ଼ା ଓରଫ ରାଜା।
ପ୍ରେସ୍ ବିଜ୍ଞପ୍ତିରେ ପୁଲିସ କହିଛି, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ରାକେମା ଗାଁର ଦୁର୍ଯ୍ୟୋଧନ ପରିଡ଼ାଙ୍କ ପୁଅ ଅଜୟ କୁମାର ପରିଡ଼ା ଓରଫ ରାଜା (୨୫) ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀ ପଡ଼ିଆ ବସ୍ତିରେ ରହୁଥିଲା। ସେ ବାଲେଶ୍ବର ଓ ଜଳେଶ୍ବରରୁ ଧଳାଜହର ଆଣି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଖୁଚୁରା ବେପାରୀଙ୍କୁ ଯୋଗାଉ ଥିଲା। ରାଜାର ଏହି ବେଆଇନ ବେପାର ସଂପର୍କରେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।
ପାର୍ବଣ ପୂର୍ବରୁ ଓଡ଼ିଶା ପୁଲିସ ନିଶା ବେପାରୀଙ୍କ ବିରୋଧରେ ଅପରେସନ ‘ପ୍ରହାର’ ଆରମ୍ଭ କରିଛି। ଏହି ଅଭିଯାନ କ୍ରମେ ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି। ପୁଲିସ ଆଜି ଭୁବନେଶ୍ବରରେ ଜଣେ ନିଶା ବେପାରୀ ଠାରୁ ୧୨୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୁଲିସ କହିଛି।
ପୁଲିସ କହିଛି ଗୁଇନ୍ଦା ସୂତ୍ର ଆଧାରରେ ପୁଲିସ ଜାଣିବାକୁ ପାଇଥିଲା ଯେ, ରାଜା ଆଜି ବ୍ରାଉନସୁଗାର ବିକିବା ପାଇଁ ଧଉଳି ପାଦଦେଶରେ ଗ୍ରାହକଙ୍କ ଅପେକ୍ଷାରେ ଅଛି। ଏହାକୁ ଆଧାର କରି ଏକ ସ୍ବତନ୍ତ୍ର ଟିମ୍ ନିଦ୍ଦିଷ୍ଟ ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲେ। ଅପସେନନ ‘ପ୍ରହାର’ ଅଧିନରେ ଏହି ଚଢ଼ଉ ସମୟରେ ରାଜା ପାଖରୁ ୧୨୧ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏଥି ସହିତ ଅଭିଯୁକ୍ତ ପାଖରୁ ନଗଦ ୧୦୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଓ ମୋବାଇଲ ସିମ୍ ଜବତ କରିଛି। ରାଜାକୁ ପୁଲିସ ଗିରଫ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
Bhubaneswar | Brown sugar