୧୨୧ଙ୍କୁ ମିଳିଲା ବିଡିଏ, ହାଉସିଂବୋର୍ଡ ଘର ସ୍ବତ୍ବ

ସରକାର ଛାଡ଼ କଲେ ୨୯ କୋଟି ୧୫ ଲକ୍ଷ, ଅନ୍‌ଲାଇନ୍‌ କାରବାର ସରକାରୀ ବ୍ୟବସ୍ଥାକୁ ଭରସାଯୋଗ୍ୟ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଡିଏ ଓ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି) ପକ୍ଷରୁ ଘର ଓ ଜମି ପାଇଥିବା ହିତାଧିକାରୀମାନେ ଦୀର୍ଘ ଦିନ ପରେ ଲିଜ୍‌ଡିଡ୍‌ ପାଇବାକୁ ଯାଉଛନ୍ତି। ଏହା ଅତ୍ୟନ୍ତ ଖୁସିର କଥା। ସାଧାରଣ ଲୋକ ଯେଭଳି ଉତ୍ତମ ସରକାରୀ ସେବା ପାଇପାରିବେ, ତାହା ସରକାରଙ୍କ ଲକ୍ଷ୍ୟ। ସେଥିପାଇଁ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଉପରେ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ଏହି ଅନ୍‌ଲାଇନ୍‌ କାରବାର ସରକାରୀ ବ୍ୟବସ୍ଥାକୁ ଭରସାଯୋଗ୍ୟ କରିଛି। ସ୍ବାଧୀନତା ପୂର୍ବରୁ ଟେମ୍ପୁଲ୍‌ ସିଟି ଭାବେ ପରିଚିତ ଥିବା ଭୁବନେଶ୍ବର କ୍ରମେ କ୍ୟାପିଟାଲ ସିଟି ଓ ଏଜୁକେସନ ହବ୍‌ ନାମରେ ପରିଚିତ ହୋଇଥିଲା। ଏବେ ଦେଶର ସ୍ପୋର୍ଟସ୍ କ୍ୟାପିଟାଲ ଭାବରେ ଆଗକୁ ବଢ଼ୁଛି। ୪୦ ହଜାର ଲୋକଙ୍କ ପାଇଁ ତିଆରି ହୋଇଥିବା ଭୁବନେଶ୍ବର ଜନସଂଖ୍ୟା ଏବେ ୧୫ଲକ୍ଷରେ ପହଞ୍ଚିଲାଣି। ଆହ୍ବାନ ତ’ ସବୁବେଳେ ସବୁ କ୍ଷେତ୍ରରେ ରହିବ; କିନ୍ତୁ ସମସ୍ତଙ୍କର ସହଯୋଗ ରହିଲେ, ଭୁବନେଶ୍ବର ସୁନ୍ଦର, ସୁରକ୍ଷିତ ଓ ସମୃଦ୍ଧ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନରେ ଆୟୋଜିତ ବିଡିଏ ଓ ଓଏସ୍‌ଏଚ୍‌ବି ପକ୍ଷରୁ ଘର ଓ ଜମି ପାଇଥିବା ହିତାଧିକାରୀଙ୍କୁ ଲିଜ୍‌ ଡିଡ୍‌ ଆବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି।

ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲିଜ୍‌ ଡିଡ୍‌ ବଣ୍ଟନ କରିଥିଲେ। ଆର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗ ନଗର, ଅନନ୍ତ ବିହାର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବବିହାର ଏବଂ ଡୁମୁଡ଼ୁମାରେ ଦୀର୍ଘ ୨୦ ବର୍ଷ ହେଲା ଜିଏ ବିଭାଗରୁ ମିଳିଥିବା ଜମି ଉପରେ ବିଡିଏ ଓ ଓଏସ୍‌ଏଚ୍‌ବି ପକ୍ଷରୁ ନିର୍ମାଣ ହୋଇଥିବା ଘରଗୁଡ଼ିକ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ସେମାନଙ୍କୁ ଏ ପର୍ଯ୍ୟନ୍ତ ଲିଜ୍ ଡିଡ୍‌ ମିଳି ନଥିଲା। ମାଲିକାନା ସ୍ବତ୍ବ ନ ଥିବାରୁ ହିତାଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀ ଏହି ସବୁ ଜାଗା ଉପରେ ଜରିମାନା, ସୁଧ ତଥା ବିଭିନ୍ନ ଦେୟ ବାବଦକୁ ୨୯କୋଟି ୧୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଛାଡ଼ କରିଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।
ଓଏସ୍‌ଏଚ୍‌ବି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କହିଥି‌ଲେ, ହାଉସିଂବୋର୍ଡ ପକ୍ଷରୁ ୧୯୯୭, ୨୦୦୪ ଓ ୨୦୦୬ରେ ୧୯ହଜାର ୨୧୮ଟି ଘର(ଇଡବ୍ଲୁଏସ୍‌) ଦିଆଯାଇଛି। ପୁରୁଣା ଦରରେ ହିତାଧିକାରୀ ଲିଜ୍‌ଡିଡ୍‌ କରିବେ। ସରକାର ୧୭୬୪ ହିତାଧିକାରୀଙ୍କ ୧୦ କୋଟି ଛାଡ଼ କରିଛନ୍ତି। ଗୃହ ନିର୍ମାଣ ସହ ବୃକ୍ଷରୋପଣ ଲକ୍ଷ୍ୟରେ ଡିଡ୍‌ ସହ ଏକ ଗଛ ଦିଆଯାଉଛି ବୋଲି ସେ କହିଛନ୍ତି।

ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ କହିଥିଲେ, ‘ଆଫର୍ଡେବଲ ହାଉସିଂ’ ଯୋଜନାରେ ୭ ହଜାର ୫ ଶହ ଘର ତିଆରି ହେଉଛି। ଆଉ ୧୫ ହଜାର ଘର ତିଆରି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମଂଜୁରି ମିଳିଲେ ତିଆରି ହେବ। ୧୧୫ଟି ବସ୍ତିକୁ ଜାଗା ମିସନ୍‌ରେ ସାମିଲ କରାଯାଇଛି। ୩୧ ଡିସେମ୍ବର ସୁଦ୍ଧା ୩୨୪ଟି ବସ୍ତିକୁ ରାସ୍ତା, ବିଦ୍ୟୁତ୍‌, ଟଏଲେଟ, ଖେଳ ପଡ଼ିଆ, ଡ୍ରେନ୍‌ ଇତ୍ୟାଦି ଯୋଗାଇ ଦିଆଯିବ। ସହରାଞ୍ଚଳ ରାସ୍ତା ନିର୍ମାଣ ଯୋଜନା ‘ସିଓର ସ୍କିମ’ରେ ୮୦ କୋଟି ଟଙ୍କା ମିଳିଛି। ସେହିଭଳି ୧୦୦କୋଟି ଟଙ୍କା ଡ୍ରେନ୍‌ ପାଇଁ ମିଳିଛି। ପାଣି ଜମିବା ସମସ୍ୟା ଉପରେ ମଧ୍ୟ କାମ ଚାଲିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଡିଏ ସେକ୍ରେଟାରି କବୀନ୍ଦ୍ର କୁମାର ସାହୁ ବିଡିଏର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିବା ବେଳେ ଓଏସ୍‌ଏଚ୍‌ବି ସେକ୍ରାଟାରି ସାଗରିକା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ବିଡିଏ ସ୍କିମ୍‌ରେ ୧୯୨୫ଜଣ ଓ ଗୃହ ନିର୍ମାଣ ନିଗମ ସ୍କିମ୍‌ରେ ୮୭୮ଜଣ ଏଭଳି ମୋଟ୍‌ ୨୮୦୩ ଜଣ ହିତାଧିକାରୀ ଲିଜ୍‌ଡିଡ୍‌ ପାଇବାକୁ ଯାଉଛନ୍ତି। ଆଜି ବଣ୍ଟାଯାଇଥିବା ୧୨୧ଲଜ୍‌ଡିଡ୍‌ ମଧ୍ୟରେ ବିଡିଏର ୭୮ଟି ରହିଥିବା ବେଳେ ଗୃହ ନିର୍ମାଣ ନିଗମର ୪୩ଟି ଡିଡ୍‌ ରହିଛି।

ସେହିଭଳି ଗୃହ ନିର୍ମାଣ ନିଗମ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ ୩୧୭୬୫ ଗୋଟି ବିଭିନ୍ନ କିସମର ବାସଗୃହ ଓ ଜମି ଯୋଗାଇ ଦିଆଯାଇଛି। ଏଥିରେ ଆର୍ଥିକ ଦୁର୍ବଳ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ୧୯୨୧୮ଟି ବାସଗୃହ ନିର୍ମାଣ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର