ଭୁବନେଶ୍ୱର: ସୁଲଭ ଗୃହ ଯୋଜନାରେ ଘର ପାଇଥିବା ୧୨୩ଜଣ ହିତାଧିକାରୀ ଆଜି ଗୃହ ପ୍ରବେଶ କରିଛନ୍ତି। ଚନ୍ଦ୍ରଶେଖରପୁର ବୁଦ୍ଧବିହାରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପ୍ରକଳ୍ପରେ ଏମାନେ ଆଜିଠାରୁ ସ୍ଥାୟୀ ଭାବେ ନିଜ ଘରେ ରହିଛନ୍ତି। ଏଥିରେ ୧୮ଜଣ ଦିବ୍ୟାଙ୍ଗ ରହିଛନ୍ତି। ୩୬ ନମ୍ବର ଵାର୍ଡ ଅନ୍ତର୍ଗତ ଭେଙ୍କଟେଶ୍ୱର ବସ୍ତି, ସ୍ୱପ୍ନା ଟ୍ରଷ୍ଟ, ୯ ନମ୍ବର ଵାର୍ଡ ଅନ୍ତର୍ଗତ ଗାଡ଼କଣ
ମୌଜାର ମହାବୀର ବସ୍ତି, ୪୩ ନମ୍ବର ଵାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳର ପାନବଜର ବସ୍ତି, ୩୬ ନମ୍ବର ଵାର୍ଡ ଅନ୍ତର୍ଗତ ନିକୋପାର୍କ ବସ୍ତି ସହ ପିଚୁପଡିଆ ବସ୍ତି, ଭଗବତୀ-୨ ବସ୍ତି, ମାଆ ଭଗବତୀ ବସ୍ତି, ସାଲିଆସାହିରୁ କିଛି ଲୋକ, ତାରିଣୀ ବସ୍ତି, ତେଲୁଗୁ ବସ୍ତି ଆଦି ବସ୍ତିର ଏହି ଯୋଗ୍ୟ ହିତାଧିକାରୀ ଆଜି ସପରିବାର ଗୃହ ପ୍ରବେଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଏମ୍ସି ମାଧ୍ୟମରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯଥା- ପାନୀୟ ଜଳ, ବିଦ୍ୟୁତ୍ ଆଲୋକ, ଗ୍ୟାସ୍ ସଂଯୋଗ, ଏପରିକି ସେମାନଙ୍କ ଆସବାବପତ୍ର ପରିବହନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଗତ ସ୍ୱାୟତ୍ତଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ସ୍ୱପ୍ନର ଘର ଚାବି ପ୍ରଦାନ କରିଥିଲେ। ଲଟେରି ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଥିଲା। ଅପରପକ୍ଷେ ଗୃହ ପ୍ରବେଶ କରି ସଂଗେ ସଂଗେ ରୋଷେଇ କରି ଖାଇବା ସମ୍ଭବ ହେବ ନାହିଁ। ଅପରପକ୍ଷେ ସ୍ଥାନାନ୍ତର ପରିବାରରେ ଅନେକ ଶିଶୁ, ବୃଦ୍ଧ ଓ ବୃଦ୍ଧା ଅଛନ୍ତି। ତେଣୁ ସ୍ଥାନାନ୍ତର ପ୍ରକ୍ରିୟାରେ ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଗୃହ ପ୍ରବେଶ ପରେ ହିତାଧିକାରୀମାନେ ସେମାନଙ୍କ ଖୁସି ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-16-2025-09-14-07-32-04.jpg)